ଧାନ ବିକ୍ରି ପାଇଁ ଅଖା ସମସ୍ୟା

ଧାନ ବିକ୍ରିକୁ ନେଇ ହନ୍ତସନ୍ତ ହେଉଛନ୍ତି ନୟାଗଡ଼ ଚାଷୀ। ସରକାରୀ କଳର ଅପାରଗତା ହେଉ ଅବା ମଣ୍ଡି ଟୋକନଗତ ସମସ୍ୟା ଫଳରେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେବେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ନୟାଗଡ଼ ଖମାରସାହି ସେବା ସମବାୟ ସମିତି ଧାନ ମଣ୍ଡିରେ। 

ଧାନ ବିକ୍ରି ପାଇଁ ଅଖା ସମସ୍ୟା
ପ୍ରତୀକାତ୍ମକ ଫଟୋ

ନୟାଗଡ଼: ଧାନ ବିକ୍ରିକୁ ନେଇ ହନ୍ତସନ୍ତ ହେଉଛନ୍ତି ନୟାଗଡ଼ ଚାଷୀ। ସରକାରୀ କଳର ଅପାରଗତା ହେଉ ଅବା ମଣ୍ଡି ଟୋକନଗତ ସମସ୍ୟା ଫଳରେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେବେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ନୟାଗଡ଼ ଖମାରସାହି ସେବା ସମବାୟ ସମିତି ଧାନ ମଣ୍ଡିରେ। 

ଏଠାରେ କିନ୍ତୁ ସମସ୍ୟା ଟିକେ ଭିନ୍ନ । ଚାଷୀଙ୍କୁ ମଣ୍ଡି ଟୋକନ ତ ମିଳିଛି ହେଲେ ଅଖା ଅଭାବରୁ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି ଚାଷୀ । ମିଲରଙ୍କ ମନମାନୀ ଯୋଗୁ ଠିକ୍ ସମୟରେ ମଣ୍ଡିରୁ ଧାନ ଉଠି ପାରୁନଥିବାରୁ ଏଭଳି ସମସ୍ୟା ଭୋଗୁଛନ୍ତି ଲୋକେ । ଯୋଗାଣ ବିଭାଗକୁ ଅଭିଯୋଗ କରିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁନାହାନ୍ତି ।  ସେପଟେ ଏନେଇ  ଦେଖାଦେଇଛି ଅସନ୍ତୋଷ । ଚଳିତ ବର୍ଷ ସରକାରଙ୍କ ତରଫରୁ ଜିଲ୍ଲାର ୮ବ୍ଲକର ଚାଷୀଙ୍କ ପାଇଁ ୧୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାକୁ ୧୫୯ଟି ସେବା ସମବାୟ ସମିତି ମାଧ୍ୟମରେ ଧାନମଣ୍ଡି ଖୋଲାଯାଇଛି ।  ତେବେ ବର୍ତ୍ତମାନ ସୁଧା ୩ ଲକ୍ଷ, ୮୫ କ୍ୱିଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣା ସରିଥିବା ବେଳେ ବାକି ଧାନ କିଣିବାରେ ସମସ୍ୟା ଉପୁଜିଛି । 

ମିଲରମାନେ ମଣ୍ଡିରେ ଆବଶ୍ୟକ ପରିମାଣର ଅଖା ଯୋଗାଉ ନଥିବାରୁ ଚାଷୀ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି । ସେପଟେ ଯେଉଁ କେତେଟି ଅଖା ମିଳୁଛି ସେସବୁ ଚିରାଫଟା ଅଖା ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଅଭିଯୋଗକୁ ମିଲର ସ୍ଵୀକାର କରିବା ସହ ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଅଖା ଯୋଗାଇ ଦେଲେ ସମସ୍ୟା ଦୂରହେବ ବୋଲି କହି ନିଜ ଉପରୁ ଦୋଷ ଉଠାଇ ଦେଇଛନ୍ତି । ଅନ୍ୟପଟେ ମଣ୍ଡିରେ ଅଖାର ଅଭାବ ନାହିଁ, ଧାନ ଉଠାଇବା କାମ ମିଲରଙ୍କର ବୋଲି କହୁଛି ଯୋଗାଣ ବିଭାଗ । 

ତେବେ ଚାଷୀଙ୍କ ସମସ୍ୟା ଶୁଣିବା ବଦଳରେ ମିଲର ଓ ଯୋଗାଣ ବିଭାଗ ପରସ୍ପର ଉପରେ ଦୋଷ ଲଦି ବସିଯାଇଛନ୍ତି । ତେବେ ଏନେଇ  ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଚାଷୀ।