ନୂଆବର୍ଷରେ ରୁପାଦ୍ୱାରରେ ଝଲସିବ ଶ୍ରୀମନ୍ଦିର। ପ୍ରଥମେ ଚାରୋଟି ଦ୍ୱାର ହେବ ରୂପାଛାଉଣୀ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ସଜେଇ ହେଉଛି ଶ୍ରୀକ୍ଷେତ୍ର (Shreekhetra)। ଚାଲିଛି ବିଶ୍ୱ ଐତିହ୍ୟ ( World Hearitage) କ୍ଷେତ୍ରର ଉନ୍ନତିକରଣ କାର୍ଯ୍ୟ। ସେପଟେ ବାଦ ପଡିନାହିଁ ଶ୍ରୀମନ୍ଦିର (Shreemandir)। ନୂଆବର୍ଷରେ ରୁପାଦ୍ୱାରରେ ଝଲସିବ ଶ୍ରୀମନ୍ଦିର। ପ୍ରଥମେ ଚାରୋଟି ଦ୍ୱାର ହେବ ରୂପାଛାଉଣୀ।
ସେଥିରେ ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାରକୁ ରୂପାଛାଉଣୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ ମାସ ପୂର୍ବରୁ ରୂପାଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ। ଯେହେତୁ ଏହି ତିନୋଟି ଦ୍ୱାରର କବାଟ ନଷ୍ଟ ହୋଇଯାଇଛି ତେଣୁ ନୂତନ କବାଟ ନିର୍ମାଣ କରାଯିବ। ଏଥିପାଇଁ ମାଲେସିଆ (Malyasia) ଠାରୁ ଶାଗୁଆନ କାଠ ଅଣାଯାଉଛି। ଦୁଇତିନି ଦିନ ମଧ୍ୟରେ କାଠ ଆସି ପହଞ୍ଚିବ। ଦୁଇ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ। କବାଟ କାମ ସରିଲେ ତାପରେ ରୂପାଛାଉଣୀ କରାଯିବ।
ପ୍ରାୟ ୧୫ ଜଣ କାରିଗର ଏହି କାର୍ଯ୍ୟ କରିବେ। ନିଳାଦ୍ରୀ ଭକ୍ତ ନିବାସରେ ଏହିକାର୍ଯ୍ୟ କରାଯିବ। ସିସିଟିଭି ଲଗାଯାଇ ପରିଚାଳନା କମିଟି ସଦସ୍ୟ ଏହି କାର୍ଯ୍ୟକୁ ତଦାରଖ କରିବେ। ସେମାନେ ସୁଦ୍ଧ ପୁତ ଭାବେ ପାରମ୍ପରିକ ଗାମୁଛା ପରିଧାନ କରି କାର୍ଯ୍ୟ କରିବେ। ସେମାନେ ହବିଷ୍ୟାନ୍ନରେ ରହି ମହାପ୍ରସାଦ ସେବନ କରିବେ।
ସେପଟେ ପୂର୍ବରୁ ମୁମ୍ବାଇରୁ ବିଶେଷଜ୍ଞ ଟିମ୍ (Mumbai Expert Team) ଟି ପର୍ଯ୍ୟାୟରେ ଆସି ଭିତର ତିନି ଦ୍ୱାର ଅନୁଧ୍ୟାନ କାରିଥିଲେ। ତିନି ଦ୍ୱାରକୁ ପାରମ୍ପରିକ ଭାବେ ରୁପାଛାଉଣୀ କରାଯିବ। ଏମିତିକି ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାର ଝୋବାକୁ ସୁନାରେ ନୁଆ ତିଆରି କରାଯିବା ପାଇଁ ଟିମ୍ ଅନୁଧ୍ୟାନ କରିଥିଲା। ପୁରୀ ଗସ୍ତ ସମୟରେ ଆସିଥିବା ଟିମ୍ ତିନି ଦ୍ୱାରକୁ ରୁପାଛାଉଣୀ କରିବା ପାଇଁ ଅଧିକ ଯତ୍ନବାନ ହେବାକୁ ପଡିବ ବୋଲି କହିଥିଲେ। ମହାପ୍ରଭୁଙ୍କ ନିକଟରେ ନିତି ଚାଲିବା ସମୟରେ ଗୋଟିଏ ଦ୍ୱାର ଖୋଲା ରହିଲେ ଅନ୍ୟ ଗୋଟିଏ ଦ୍ୱାର ମୁକୁଳା ଥାଏ।
ମନ୍ଦିର ଭିତରେ ଯେହେତୁ ରୂପାଛାଉଣୀ କରାଯିବ ଏଣୁ ନୀତି ପ୍ରଭାବିତ ନହେବା ପାଇଁ ଦ୍ୱାର ନିକଟରେ ଅସ୍ଥାୟୀ ଭାବେ ତାଟି ତିଆରି କରାଯିବ ବୋଲି ଜଣାପଡିଛି। ସେପଟେ ପରିଚାଳନା କମିଟି ସହ ଆଲୋଚନା କରାଯାଇ କିଭଳି କାର୍ଯ୍ୟ କରାଯିବ ସେନେଇ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଶ୍ରୀମନ୍ଦିର ଖୋଲିବା ନେଇ ଏଯାବତ ପ୍ରଶାସନ ସ୍ପଷ୍ଟ କରିନଥିବା ବେଳେ ସେପଟେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆଗେଇ ଚାଲିଛି। ହେଲେ କେବେ ଦୂର ହେବ କରୋନା ଆଉ ଭକ୍ତ ଏସବୁକୁ ଉପଭୋଗ କରିପାରିବେ ସେହି ସମୟକୁ ରହିଛି ଅପେକ୍ଷା ।