close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର...ଖୋଲିଲା ଶିମିଳିପାଳ ଅଭୟାରଣ୍ୟ...ପ୍ରଥମ ଦିନରେ ଖଚାଖଚ ଭିଡ...ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ଇ-ବୁକିଂ ବ୍ୟବସ୍ଥା...

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଫାଇଲ ଫଟୋ

ଦେବେଶ କୁମାର ନାହକ, ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ୪ ମାସ ପରେ ଆଜିଠାରୁ ଖୋଲିଛି ଶିମିଳିପାଳ ଜାତୀୟ ଅଭୟାରଣ୍ୟ ।  ବର୍ଷା ପାଇଁ  ଜୁନ୍ ମାସରୁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିବା ବେଳେ ଆଜିଠୁ ପୁଣି ଥରେ ଅଭୟାରଣ୍ୟର ମଜା ନେବେ ପର୍ଯ୍ୟଟକ । ଶିମିଳିପାଳ ଅଭୟାରଣ୍ୟରେ ବରେହିପାଣି, ଯୋରନ୍ଦା ଭଳି ଜଳପ୍ରପାତ ସମେତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରିବେ ସମସ୍ତେ ।  ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ବନ୍ୟଜନ୍ତୁଙ୍କୁ ଦେଖିପାରିବେ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମିଥାଏ ।  ୪ ମାସ ପରେ ଅଭୟାରଣ୍ୟ ଖୋଲିଥିବାରୁ ଆଜି ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପିଠାବଟା ଏବଂ ଯଶିପୁରରେ ୨ଟି ପ୍ରବେଶପଥର ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ପିଠାବଟା ଗେଟ୍ ରାସ୍ତାରେ ଶତାଧିକ ପର୍ଯ୍ୟଟକ ଶିମିଳିପାଳ ଭିତରେ ପ୍ରବେଶ କରିଛନ୍ତି । ଏପରିକି ଦୂରଦୂରାନ୍ତରରୁ ଗାଡ଼ି ଭଡ଼ା କରି ଅନେକ ପର୍ଯ୍ୟଟକ ଆସିଛନ୍ତି । ପ୍ରଥମ ଦିନରେ ଅଭୟାରଣ୍ୟ ବୁଲାବୁଲି କରି ଏହାର ବେଶ୍ ମଜା ନେଇଛନ୍ତି ।  ସେହିପରି,  ଯଶିପୁର ଗେଟ୍ ଦେଇ ଅନେକ ପର୍ଯ୍ୟଟକ ପ୍ରବେଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରୁ ଆସିଛନ୍ତି ।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନଲାଇନ୍ ବୁକିଂର ବ୍ୟବସ୍ଥା କରିଛି ବନ ବିଭାଗ । WWW.ECOTOURODISHA.COMରେ ଅନଲାଇନ୍ ବୁକିଂ କରିପାରିବେ ପର୍ଯ୍ୟଟକ । ଏଥିସହ ଶିମିଳିପାଳର ଗୁଡ଼ଗୁଡୁଆ ଓ ନଅଣାରେ ରହିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେବଳ ରହିବା ନୁହେଁ ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛି ବିଭାଗ ।

ଆଜିଠାରୁ ଜୁନ୍ ୨୦୨୦ ଯାଏ ଖୋଲା ରହିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିଦିନ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ ।  ବନ୍ୟଜନ୍ତୁ ଭରା  ଶିମିଳିପାଳ ଜାତୀୟ ଅଭୟାରଣ୍ୟ ବୁଲିବା ସହ ପାଖାପାଖି ୮ ମାସ କାଳ ଏହାର ମଜା ନେଇପାରିବେ ବୋଲି କହିଛନ୍ତି ପିଠାବଟା ରେଞ୍ଜ ଅଫିସର୍ ।