)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ହାହାକାର ସୃଷ୍ଟି କରିଛି । ଆମ ଦେଶ ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ପାର୍ କରିସାରିଲାଣି । ସେହିପରି ୮୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଲକଡାଉନ୍ ୨.o ଶେଷ ହେବାକୁ ଏବେ ଆଉ କିଛି ଦିନ ବାକି ଅଛି । ତେବେ ଏସବୁ ଭିତରେ ଭାରତ ପାଇଁ ଆଶ୍ୱସ୍ତିକର ଖବରଟିଏ ଆସିଛି ।
ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, କେବେ ଦେଶରୁ କୋରୋନା ମହାମାରୀ ଯିବ ? କେବେ ଭାରତ ସମ୍ପୁର୍ଣ୍ଣ ଭାବେ କୋରୋନା ମୁକ୍ତ ହୋଇପାରିବ ? ତେବେ ଏ ପ୍ରଶ୍ନର ଉତ୍ତର ଦେଇଛି ସିଙ୍ଗାପୁରର ଏକ ବିଶ୍ୱ ବିଦ୍ୟାଳୟ । ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ଲୋଲୋଜୀ ଏଣ୍ଡ ଡିଜାଇନ୍(SUTD) ଏକ ରିପୋର୍ଟରେ କହିଛି, ଆସନ୍ତା ମଇ ୨୧ ଭିତରେ ଭାରତ କୋରୋନା ମୁକାବିଲାରେ ସଫଳ ହୋଇଯିବ । ଭାରତ ଏହି ସମୟ ମଧ୍ୟରେ ୯୭ ପ୍ରତିଶତ ସଫଳତା ପାଇସାରିଥିବ ବୋଲି ଏହି ବିଶ୍ୱବିଦ୍ୟାଳୟ ଦାବି କରିଛି । ସେହିପରି ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଥିବା କହିଛି SUTD । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତର ସ୍ଥିତି ଭଲ ନେଇ WHO ମଧ୍ୟ ସ୍ୱୀକାର କରିଛି ।
ବିଶ୍ୱର ସମସ୍ତ ଦେଶର ସ୍ଥିତିକୁ ଦେଖି, କୋରୋନା ମହାମାରୀ ଜୀବନଚକ୍ରକୁ ପରଖି ଏଭଳି ରିପୋର୍ଟ ପ୍ରସ୍ତୁତ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ କେବଳ ଭାରତ କାହିଁକି, ଅନ୍ୟ ଦେଶଗୁଡ଼ିକ ମଧ୍ୟ କୋରୋନା ମୁକାବିଲାରେ କେବେ ସଫଳ ହେବେ, ସେନେଇ ତାରିଖ ପ୍ରସ୍ତୁତ କରିଛି ଏହି ବିଶ୍ୱବିଦ୍ୟାଳୟ । ଆସନ୍ତା ୨୯ ମଇ ଭିତରେ ସମଗ୍ର ବିଶ୍ୱ କୋରୋନା ମୁକାବିଲା କ୍ଷେତ୍ରରେ ୯୭ ପ୍ରତିଶତ ସଫଳ ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି ।