ଯୁବତୀଙ୍କୁ ପ୍ରତାରଣା କରି ବନ୍ଧା ହେଲେ ଏସଓଜି ଯବାନ
Advertisement

ଯୁବତୀଙ୍କୁ ପ୍ରତାରଣା କରି ବନ୍ଧା ହେଲେ ଏସଓଜି ଯବାନ

ଅଭିଯୁକ୍ତ ସୁବର୍ଣ୍ଣପୁର ବୀରମହାରାଜପୁରର ଦେବରାଜ କର୍ଣ୍ଣ

ଫାଇଲ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ପ୍ରଥମେ ପ୍ରେମ । ପରେ ମନ୍ଦିରରେ ବିବାହ । ହେଲେ ଚାକିରିରେ ବଦଳି ହେବା ପରେ ପୁରା ବଦଳି ଯାଇଥିଲେ ଏସଓଜି ଯବାନ । ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଥିଲେ ସତ, ହେଲେ ଆପୋଷ ବୁଝାମଣା କରି କଥା ସାରିଦେଇଥିଲା ପୋଲିସ । ଅନ୍ୟପଟେ ଟଙ୍କାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ଚୁପ୍ ରଖିବାକୁ ଉଦ୍ୟମ ହେଉଥିଲା । ତେଣୁ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିଥିଲେ ପୀଡ଼ିତା । ଶେଷରେ ଅଭିଯୁକ୍ତ ଏସଓଜି ଯବାନ ଦେବରାଜ କର୍ଣ୍ଣଙ୍କୁ ଗିରଫ କରିଛି ପୋଲିସ । କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳର ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

ମନ୍ତ୍ରୀ ଓ ବିଧାୟକଙ୍କ ଚାପ ପକାଇ ମାମଲାରୁ ଖସି ଯିବାକୁ ଉଦ୍ୟମ ଚଳାଇଥିବା ଅଭିଯୁକ୍ତ ଦେବରାଜଙ୍କ ସବୁ ଉଦ୍ୟମ ଫେଲ ମାରିଛି । ଗିରଫ ପରେ ତାଙ୍କୁ ଫୁଲବାଣୀ କୋର୍ଟରେ ହାଜର କରାଯାଇଛି । ଅଭିଯୋଗ ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଦେବରାଜଙ୍କ ଘର । ସେ ଫିରିଙ୍ଗିଆ ଥାନା ଅଞ୍ଚଳରେ କ୍ୟାମ୍ପରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଏମିତି କି ମନ୍ଦିରରେ ଦୁହେଁ ବିବାହ ମଧ୍ୟ କରିଥିଲେ। କିଛି ମାସ ସ୍ୱାମୀ ଓ ସ୍ତ୍ରୀ ଭଳି ରହିଥିଲେ । ତାପରେ ଦେବରାଜଙ୍କର ଏଠାରୁ ବଦଳି ହୋଇ ଯାଇଥିଲା । ବଦଳି ହେବା ପରେ ଦେବରାଜ ଆଉ ଧରାଛୁଆଁ ଦେଇ ନଥିଲେ ବୋଲି ଯୁବତୀ ଅଭିଯୋଗ କରିଥିଲେ । 

ସେପଟେ ଦେବରାଜ ଗତ ଡିସେମ୍ବର ୨୪ରେ ଅନ୍ୟ ଜଣଙ୍କୁ ବିବାହ କରୁଥିବା ଖବର ପାଇ ପୀଡ଼ିତା ପ୍ରଥମେ ମହିଳା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । କମିସନଙ୍କ ନିର୍ଦ୍ଦେଶ ମତେ ପୁଲିସ ଅଭିଯୋଗ ଗ୍ରହଣ କରି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା । ତାପରେ ଦେବରାଜ ଓ ପୀଡ଼ିତାଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । ଅଭିଯୋଗ ପ୍ରତ୍ୟାହାର କରିନେବାକୁ ପୀଡ଼ିତାଙ୍କୁ ଅଭିଯୁକ୍ତ ଯବାନ ଚାପ ମଧ୍ୟ ପକାଇଥିବା ଅଭିଯୋଗ ହୋଇଛି । 

ଶେଷରେ ଗତ ୩ ତାରିଖରେ ପୀଡ଼ିତା ଅଭିଯୋଗ ଶୁଶାଣିକୁ ଆସି ଜିଲ୍ଲାପାଳ ଓ ଏସପିଙ୍କୁ ସବୁକଥା ଜଣାଇଥିଲେ । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଥିଲେ । ଜଣେ  ମନ୍ତ୍ରୀଙ୍କ ଭାଇ ତାଙ୍କୁ ଟଙ୍କା ନେଇ ଚୁପ ରହିବାକୁ ଚାପ ପକାଉଥିବା ସେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଓ ଏସପି ଅଭିଯୋଗକୁ ଗୁରୁତର ସହ ନେଇ ମାମଲା ରୁଜୁ କରିବାକୁ ଫିରିଙ୍ଗିଆ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୫ ତାରିଖରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା । ଏକ ପୁଲିସ ଟିମ ଶୁକ୍ରବାର ରାତିରେ ବୀରମହାରାଜପୁରରେ ଚଢ଼ାଉ କରି ଦେବରାଜଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଆହୁରି ପଢ଼ନ୍ତୁ; ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ୪ ଛାତ୍ରଙ୍କ ମୃତ୍ୟୁ