close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନନ୍ଦପୁରର ନିଆରା ଲାଠି ପୂଜା

କୋରାପୁଟ ଜିଲ୍ଲା ନନ୍ଦପୁରର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଏହାର ସଂସ୍କୃତି ଓ ପରମ୍ପରା ଅନନ୍ୟ । ଏଠାକାର ନୂଆ ଧାନ ଜୟପୁର ଗଲାପରେ ଜୟପୁର ରାଜା ନୂଆ ଖାଇବା ପରମ୍ପରା ରହିଛି । ସେହିପରି ଏଠାରେ ଥିବା ଭୈରବୀ ମନ୍ଦିରରେ ଅଷ୍ଟମୀ ରାତିରେ ଲାଠି ପୂଜା ହେବା ପରେ ନବମୀ ଦିନ ଲାଠି ଠାକୁରାଣୀଙ୍କୁ ଜୟପୁର ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁର ନିଆଯାଇଥାଏ । ଏଠାକାର ଏହି ଲାଠି ଠାକୁରାଣୀ ପୂଜା ପରମ୍ପରା ରାଜାରାଜୁଡା ଅମଳରୁ ଚାଲି ଆସିଛି ।

ନନ୍ଦପୁରର ନିଆରା ଲାଠି ପୂଜା
ନନ୍ଦପୁରର ନିଆରା ଲାଠି ପୂଜା

ମାଆଙ୍କ ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁରରେ ପାଳିତ ହୋଇଯାଇଛି ଲାଠିଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ଜୟପୁରରେ ଖୁବ୍‌ ଧୁମଧାମ୍‌ରେ ପାଳିତ ହୋଇଛି ଲାଠିଯାତ୍ରା । କୋରାପୁଟରେ ରହୁଥିବା ଆଦିବାସୀଙ୍କ ସହ ଜଡିତ ଏହି ନିଆରା ପରମ୍ପରା ଲାଠିପୂଜା, ଲାଠିପୂଜା ଶୋଭାଯାତ୍ରା କାହିଁ କେତେ କାଳରୁ ରଜା ରାଜୁଡ଼ା ଅମଳରୁ ହୋଇଆସୁଛି । ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ ।ଲାଠି, ବାଉଁଶରେ ନାଲି କପଡ଼ା, କଉଡ଼ି ବାନ୍ଧି ଶୋଭାଯାତ୍ରାରେ ସହରକୁ ଆସୁଛନ୍ତି ବିଭିନ୍ନ ଅଞ୍ଚଳର ଶହ ଶହ ଲୋକ । ସେପଟେ ଯୋଡ଼ି ନାଗରା, ତୁରୀ ବାଦ୍ୟରେ କମ୍ପୁଛି ସମଗ୍ର ଅଞ୍ଚଳ । ପୂଜାର୍ଚ୍ଚନାରେ ବ୍ୟସ୍ତ ପୂଜକ ।  ଶାରଦୀୟ ଦୁର୍ଗାପୂଜାରେ, ଯେତେବେଳେ ସବୁଠି ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ପୂଜା କରିବାର ପରମ୍ପରା ରହିଛି, ସେଠି ଜୟପୁରରେ ଏଭଳି ଲାଠିପୂଜାର ପରମ୍ପରା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ସମୟ ସିନା ବଦଳିଛି, ହେଲେ ବଦଳିନି ପରମ୍ପରା ।  ଦଶହରା ଅବସରରେ କୋରାପୁଟରେ ଆଦିବାସୀମାନେ ପାଳନ କରୁଥିବା ଏହି ନିଆରା ପରମ୍ପରା କାହିଁ କେତେ କାଳରୁ, ରଜା ରାଜୁଡ଼ା ଅମଳର ଚାଲି ଆସୁଛି । ଦୁର୍ଗା ପୂଜାରେ ଜୟପୁରରେ ପାଳିତ ହେଉଥିବା ଏହି ଲାଠିଯାତ୍ରାର ପରମ୍ପରା ସମ୍ପୂର୍ଣ୍ଣ ନିଆରା ।ତେବେ ଲାଠି ପୂଜା ସମୟରେ ଶତାଧିକ ଗାଁରୁ ଆସୁଥିବା ଲୋକମାନେ ପ୍ରତିବର୍ଷ ଏମିତି ଲାଠି ଧରି ପାହାଡ଼ ପର୍ବତ ଅତିକ୍ରମ କରି ପୂଜା ପାଇଁ ଜୟପୁରରେ ପହଞ୍ଚିଥାନ୍ତି । ଲାଠି ଧାରଣ ସମୟରେ ଲାଠି ଧାରୀ ମାନଙ୍କୁ କିଛି ସ୍ୱତନ୍ତ୍ର ନିୟମକୁ ପାଳନ କରିବା ପାଇଁ ପଡିଥାଏ ଯେମିତିକି ଏମାନେ କାହାଦ୍ୱାରା ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଲାଠି ପୂଜା ବେଳେ ନଡ଼ିଆ କଦଳୀ ବଳି ଦିଆଯାଇଥାଏ । କୁହାଯାଏ,  ଦଶହରା ବେଳେ ଜୟପୁର ରାଜା ମା‘ କନକ ଦୁର୍ଗାଙ୍କ ପୂଜା କରୁଥିଲେ । ଆଉ ପ୍ରଜାମାନେ ନିଜ ଇଷ୍ଟଦେବଙ୍କୁ ସାଥିରେ ନେଇ ରାଜାଙ୍କ ଦର୍ଶନ ପାଇଁ ଆସୁଥିଲେ । ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କୋରାପୁଟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ଲାଠି ଶୋଭାଯାତ୍ରା କରି ଜୟପୁର ଆସୁଛନ୍ତି ।ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଲାଠି ଯାତ୍ରାରେ କୌଣସି ସ୍ୱତନ୍ତ୍ର ଦେବା ଦେବୀଙ୍କୁ ପୂଜା କରାଯାଇନଥାଅ, ଏଠି ଲାଠି ରୂପରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ ।ହେଲେ ଦୁଃଖର କଥା ଲାଠି ଯାତ୍ରା ପାଇଁ ବିଭିନ୍ନ ଦୂରଦୁରନ୍ତରୁ ଜୟପୁରକୁ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଜିଲ୍ଲାପ୍ରଶାସନ ପକ୍ଷରୁ ଶହ ଶହ ସଂଖ୍ୟାରେ ଜୟପୁର ଆସୁଥିବା ଏହି ଲାଠିଧାରୀଙ୍କ ପାଇଁ ଖାଇବା ସହ ରହିବା ବ୍ୟବସ୍ଥା କରିବା କଥା । ହେଲେ କେବଳ ଚାଉଳ, ଡାଲି ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଥିବା ବେଳେ ଲାଠିଧାରୀମାନେ ରହିବା ପାଇଁ ବହୁତ ହଇରାଣ ହେଉଛନ୍ତି । ଯାହାକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।