କଥାକୁହା 'ନିରବ' ଯନ୍ତ୍ର

ଇତିହାସ ପାଲଟୁଛି ରେଡ଼ିଓ

କଥାକୁହା 'ନିରବ' ଯନ୍ତ୍ର

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ସନ୍ଧ୍ୟା ହେଇ ଆସୁଥିବ। ସୂର୍ଯ୍ୟ ବି ବିଶ୍ରାମ ନେଇ ସାରିଥିବେ। ଗଛ କୋଣରୁ ଜହ୍ନ ବି ଉଙ୍କି ମାରୁଥିବ । ରେଡ଼ିଓରେ ବାଜୁଥିବ ଲତା ଦିଦିଙ୍କ ସେଇ ଚିରସବୁଜ ଗୀତ । ଟେବୁଲ କୋଣରେ ଥୁଆ ହୋଇଥିବା ସେଇ ରେଡ଼ିଓ ଟିଏ । ତା'ରି ଭାସି ଆସୁଥିବ ଲତା ଦିଦିଙ୍କର ଚିରସବୁଜ ଗୀତ ଗୁଡ଼ିକ..ବସା କଣ୍ଠରେ ରେଡ଼ିଓ ଭିତରୁ ଭାସି ଆସୁଥିବ ଅନେକ ଶବ୍ଦ । ମଝିରେ ମଝିରେ କୋହଭରା କଣ୍ଠ ଭାସି ଆସୁଥିବ ରେଡ଼ିଓ ଭିତରୁ । ମୁଁ, ନାନୀ ଓ ଭାଇ ବସିଥାଉ ରେଡ଼ିଓ ସାମ୍ନାରେ । ଲାଇନ୍ କଟି ଯାଇଥିବ । କିନ୍ତୁ, ରେଡ଼ିଓ ବକି ଚାଲିଥିବ ଅନେକ କିଛି । ହଁ, ସେଇ ରେଡ଼ିଓ, ଯାହାକୁ ୩୫ ବର୍ଷ ତଳେ ମା' ନେଇକି ଆସିଥିଲା ଆମ ଘରକୁ ବାହା ହେଲା ବେଳେ(ଯୌତୁକ ବି କହି ପାରନ୍ତି) । ଅତି ଯତ୍ନର ସହ ତାକୁ ଏବେ ବି ସାଇତି ରଖିଛନ୍ତି ବାପା । ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ଥିଲା 'ଆପଣଙ୍କ ପସନ୍ଦ' । ସକାଳ ୯ଟାରେ ଟ୍ୟୁସନ ସରିବା ମାତ୍ରେ ସାଇକଲ ଧରି ମୁଁ ଧାଉଁଥିଲି ଘରକୁ ଶୁଣିବା ପାଇଁ ୯.୧୫ରେ ଥିଲା ଆପଣଙ୍କ ପସନ୍ଦ କାର୍ଯ୍ୟକ୍ରମ । କେବଳ ଯେ ଗୀତ ଶୁଣୁଥିଲୁ ତାହା ନୁହେଁ, ଅନେକ ଥର ରେଡ଼ିଓରେ କ୍ରିକେଟ୍ ମ୍ୟାଚ ବି ଶୁଣିଛୁ । ଆଇଆଇଏମସିରେ ପଢ଼ିଲାବେଳେ ଅନେକ ଥର ରେଡିଓ ଫିଚର କରିଛି। ସାଙ୍ଗମାନଙ୍କ ସହ ମିଶି ଆମେ ଫିଚର କରିଥିଲୁ। ପିଲା ଦିନରୁ ରେଡିଓ ପ୍ରତି ଥିବା ଦୁର୍ବଳତା ଓ ଭଲପାଇବା ଆଜି ବି ସେମିତି ଅତୁଟ ରହିଛି..ପିଲାବେଳେ ସେଇ ରେଡ଼ିଓରେ ଲତା ଦିଦି, ରଫି ସାହାବ ଆଉ କିଶୋର ଦାଦାଙ୍କର ଅନେକ ଗୀତ ଶୁଣିଛି । ଶୀତ ଦିନ ହେଇଥିବ । ସକାଳୁଆ କୁହୁଡ଼ିରେ ଖରାରେ ବସି ପାଠ ପଢୁଥିବି ଆଉ ପାଖରେ ରେଡ଼ିଓ ବି ବାଜୁଥିବ । 'ରୂପା ଶଗଡ଼ିରେ ସୁନା କନିଆଁ', 'ହୃଦୟର ଏଇ ଶୂନ୍ୟତା' ପୁଣି କେତେବେଳେ ଖୋକା ଭାଇ ଗୀତ। ଏମିତି ଏକ ନିଆରା ସମ୍ପର୍କ ରେଡ଼ିଓ ସାଙ୍ଗେ ଥିଲା ।

କଥାକୁହା 'ନିରବ' ଯନ୍ତ୍ର

ବିଶ୍ୱଯୁଦ୍ଧ ସମୟରେ ଏହା ଥିଲା ଏକ ପ୍ରକୃଷ୍ଟ ମାଧ୍ୟମ । ୧୯୨୦ ମସିହାରେ ପ୍ରଥମେ ୟୁରୋପ, ଚିକାଗୋ ଓ ପିଟସବର୍ଗରେ ପ୍ରଥମେ ରେଡ଼ିଓ ସ୍ଥାପନ କରା ଯାଇଥିଲା । ୧୯୨୩ ମସିହା ବେଳକୁ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫୦ଟି ଷ୍ଟେସନ ସ୍ଥାପିତ ହୋଇଥିଲା । ଏହାପରେ ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଲା । ୧୯୨୬ ମସିହାରେ ଜାତୀୟ ବ୍ରଡକାଷ୍ଟିଂ କମ୍ପାନୀ(ଏନବିସି) ମାଧ୍ୟମରେ ପ୍ରସାରିତ ହେଲା । ଏହାପରେ କଲମ୍ବିଆ ବ୍ରୋଡକାଷ୍ଟିଂ ସିଷ୍ଟମ, ପବ୍ଲିକ ସର୍ଭିସ ନେଟୱାର୍କ, ପବ୍ଲିକ ବ୍ରଡକାଷ୍ଟିଂ ସର୍ଭିସ ଭଳି ଅନେକ ଗୁଡ଼ିଏ ସ୍ୱାଧୀନ ଭାବେ ପ୍ରସାରିତ ହେବାରେ ଲାଗିଲା । ସେତେବେଳେ ବ୍ରିଟିଶଙ୍କ ପାଇଁ ଏହି ମାଧ୍ୟମ ବେଶ୍ ସହାୟକ ହେଉଥିଲା । ସେହିପରି ୧୯୨୧ ମସିହା ଅଗଷ୍ଟ ୨୦ ତାରିଖରେ ଭାରତରେ ରେଡ଼ିଓ ସେବା ଆରମ୍ଭ ହୋଇଥିଲା ବୋଲି ଟାଇମ୍ସ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଥିଲା । ପ୍ରଥମେ ୧୯୨୩ ମସିହାରେ ବମ୍ବେଠାରେ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ସେଥିପାଇଁ ଉଭୟ କଲିକତା ଓ ବମ୍ବେରେ ୨ଟି ସ୍ୱତନ୍ତ୍ର ଟ୍ରାନ୍ସମିଟର ରଖାଯାଇଥିଲା । କୁହାଯାଏ ୧୯୨୨ ମସିହା ଫେବ୍ରୁଆରୀ ୨୩ ତାରିଖରେ ରେଡ଼ିଓକୁ ଭାରତରେ ପ୍ରସାରଣ କରିବା ପାଇଁ ଅନୁମତି ମିଳିଥିଲା ।

ଭାରତରେ ପ୍ରଥମ ପ୍ରସାରଣ କଣ୍ଟ୍ରୋଲର ଲିଓନେଲ ଫିଲ୍ଡେନ ତାଙ୍କ ଆତ୍ମଜୀବନୀରେ ଭାରତର ପ୍ରଥମ ପ୍ରସାରିତ ରେଡ଼ିଓ ବିଷୟରେ ମଧ୍ୟ ଲେଖିଛନ୍ତି । ୧୯୨୭ ମସିହାରେ ରେଡ଼ିଓ ଦ୍ୱାରା ୟୁରୋପ ଆର୍ଥିକ ଲାଭ କରିବା ପରେ ଏହାର ପ୍ରଭାବ ଭାରତରେ ପଡିଥିଲା । ସେଥିପାଇଁ ଭାରତର କେତେକ ବ୍ୟବସାୟୀ ରେଡ଼ିଓକୁ ବ୍ୟବସାୟିକ ଭିତ୍ତିରେ ପ୍ରସାରଣ କରିବା ପାଇଁ ମନସ୍ଥ ହେଲେ । ତେଣୁ ବମ୍ବେ ଓ କଲିକତାରେ ସେମାନେ ୨ଟି ଛୋଟ ଷ୍ଟେସନ ସ୍ଥାପନ କରିଥିଲେ । ଏହାର ୩ ବର୍ଷ ପରେ ସେମାଙ୍କ ଶ୍ରୋତାଙ୍କ ସଂଖ୍ୟା ୭ ହଜାରରେ ପହଞ୍ଚିଥିଲା । ମାତ୍ର ବିପୁଳ ପରିମାଣରେ କ୍ଷତି ହୋଇଥିବାରୁ ପରବର୍ତ୍ତୀ ସମୟରେ ସେମାନେ ଅନିଚ୍ଛା ପ୍ରକାଶ କରିଥିଲେ । ଭାରତ ସରକାର ମଧ୍ୟ କେତେକ ରେଡ଼ିଓ ଡିଲରଙ୍କ ଠାରୁ ଟ୍ରାନ୍ସମିଟର ଆଣିବା ପାଇଁ ସ୍ଥିର କରିସାରି ଥିଲେ ବି କ୍ଷତିକୁ ଦୃଷ୍ଟିରେ ରଖି ଆରମ୍ଭ କରି ପାରି ନ ଥିଲେ । ଏହାପରେ ଭାରତରେ ରହୁଥିବା ବିବିସି ୟୁରୋପିଆନଙ୍କ ସହ ଆଲୋଚନା କରି ୫୦  ପ୍ରତିଶତ ଅର୍ଥ ଦେବାକୁ ଭାରତ ସରକାର ରାଜି ହୋଇଥିଲେ ।

ଏହାର ପରବର୍ତ୍ତୀ ସମୟରେ ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ସର୍ଭିସ(ଆଇଏସବିଏସ) ନାମରେ ସରକାର ପ୍ରସାରଣ କରିବା ପାଇଁ ସ୍ଥିର କଲେ । ଏହା ଶ୍ରମ ଓ ଶିଳ୍ପ ବିଭାଗ ଅଧୀନରେ ରହିଥିଲା । ତେବେ ଏହାର ପ୍ରଥମ କଣ୍ଟ୍ରୋଲର ଥିଲେ ଲିଓନେଲ ଫିଲଡେନ । ପରବର୍ତ୍ତୀ ସମୟରେ ଏହାର ବହୁଳ ପ୍ରସାରଣ ହେବ ଫଳରେ ୧୯୩୬ ମସିହା ଜୁନ ମାସରେ ଫିଲ୍ଡେନ ଏହାର ନାମ ପରିବର୍ତ୍ତନ କରି ଅଲ ଇଣ୍ଡିଆ ରେଡ଼ିଓ ରଖିଥିଲେ । ଏହି ନାଁ ଆସିବା ପଛରେ ମଧ୍ୟ ଏକ ଛୋଟିଆ କାହାଣୀ ଅଛି । ବିରୋଧୀଙ୍କ ବିରୋଧ ଏବଂ ଲୋକଙ୍କ ଉଚ୍ଚାରଣ ସମସ୍ୟାରେ ଫିଲ୍ଡେନ ଚିନ୍ତିତ ହୋଇ ପଡ଼ିଥିଲେ । ସେଥିପାଇଁ ସେ ଭାଇସରଏ ଲର୍ଡ ଲିନଲାଇଟଗ୍ଲୋ ଙ୍କୁ ନିଜର ଦୁଃଖ କଥା ଶୁଣେଇଥିଲେ । ଏହା ଶୁଣି ଲର୍ଡ ଫିଲ୍ଡେନଙ୍କ ପ୍ରତି ସନ୍ତୁଷ୍ଟ ହୋଇଥିଲେ ଏବଂ ଇଣ୍ଡିଆନ ଷ୍ଟେଟ ବଦଳରେ ଅଲ ଇଣ୍ଡିଆ ଓ ବ୍ରୋଡକାଷ୍ଟିଂ ବଦଳରେ ରେଡ଼ିଓ ରଖିବାକୁ କହିଥିଲେ । ଏହି କଥାଟି ଫିଲ୍ଡେନଙ୍କ ମନକୁ ଛୁଇଁ ଥିଲା । ଏହାପରେ ସେ ଏହି ନୂତନ ନାମଟିକୁ ଆପଣେଇବାକୁ ସଚିବାଳୟରେ ପ୍ରସ୍ତାବ ରଖିଥିଲେ ଏବଂ ତାକୁ ସମସ୍ତେ ଗ୍ରହଣ କରିଥିଲେ । ସେଠାରୁ ହିଁ ଜନ୍ମ ନେଇଥିଲା ଅଲ ଇଣ୍ଡିଆ ରେଡ଼ିଓ । ୧୯୪୬ ମସିହାରେ ଏହା ଶ୍ରମ ଓ ଶିଳ୍ପ ବିଭାଗରୁ ସ୍ଥାନାନ୍ତରିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିଥିଲା ।

ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ବିଶେଷ ଭୂମିକା ତୁଲେଇ ଥିବା ଏହି ରେଡ଼ିଓ ଭାରତର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ବିଶେଷ ଭୂମିକା ଅର୍ଜନ କରିଥିଲା । ଭାରତ ଛାଡ଼ ଆନ୍ଦୋଳନରେ କଂଗ୍ରେସର ସ୍ୱାଧୀନତା ସଂଗ୍ରାମୀ ଉଷା ମେହେଟା, ଵିଠଲ ଦାସ ଖକ୍କର ଓ ଚନ୍ଦ୍ରକାନ୍ତ ଜାଭେରି ପ୍ରମୁଖ ୧୯୪୨ ମସିହା ସେପ୍ଟେମ୍ବର ୩ ତାରିଖରେ ବମ୍ବେରେ ୪୧.୭୮ ମିଟର ବ୍ୟବଧାନରେ ଭୂତଳ ରେଡ଼ିଓ ପ୍ରସାରଣ କରିବା ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ସେମାନେ ନିଜର ବାର୍ତ୍ତା ପ୍ରେରଣ କରୁଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ଅନେକ ସମୟରେ ଏହି ରେଡ଼ିଓ ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଥିଲେ ।

ଏହାପରେ ଆସିଲା ଏଫଏମ ରେଡ଼ିଓ । ୧୯୯୩ ମସିହାରେ ରେଡ଼ିଓର ଚାହିଦା ବିପୁଳ ପରିମାଣରେ ହୋଇଯାଇ ଥିବାରୁ ବିଭିନ୍ନ ବେସରକାରୀ ସଂସ୍ଥାମାନ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଏଫଏମ ଷ୍ଟେସନ ପ୍ରତିଷ୍ଠା କରିବାରେ ଲାଗିଲେ । ଅବଶ୍ୟ ୧୯୭୭ ମସିହାରେ ମାଡ୍ରାସ ଓ ୧୯୯୨ ମସିହାରେ ଜଳନ୍ଧରରେ ପ୍ରଥମ ରେଡ଼ିଓ ଏଫଏମ ପ୍ରତିଷ୍ଠା ହୋଇ ସାରିଥିଲା । ଏହା ଏତେ ମାତ୍ରାରେ ଲୋକଙ୍କ ପସନ୍ଦ ହୋଇଥିଲା ଯେ, ପ୍ରତି ୧୦ ସେକେଣ୍ଡ ବିଜ୍ଞାପନକୁ ୨୫୦ରୁ ୩୦୦ ଟଙ୍କା ଚାର୍ଜ କରୁଥିଲେ ଏବଂ ସେହି ସମୟରେ ସରକାରୀ ରେଡ଼ିଓ ଅଲ ଇଣ୍ଡିଆ ରେଡ଼ିଓ ଘଣ୍ଟାକୁ ୩ ହଜାର  ଟଙ୍କା ବିଜ୍ଞାପନ ବାବଦକୁ ନେଉଥିଲା । ଏବେ ତ ଘରେ ଘରେ ପୁରେ ପୁରେ ଏଫଏମ ଷ୍ଟେସନ । ଏହାସହ କମ୍ୟୁନିଟି ବା ଗୋଷ୍ଠୀ ରେଡ଼ିଓ କେନ୍ଦ୍ର ଗୁଡ଼ିକ ମଧ୍ୟ ପ୍ରତିଷ୍ଠା ହେଲାଣି । ଓଡ଼ିଶାରେ କୋଣାର୍କ, ରେଭେନ୍ସା, ସୋଆ ୟୁନିଭରସିଟି ଆଦିର ନିଜର ରେଡ଼ିଓ କେନ୍ଦ୍ର ରହିଛି । ଲୋକେ ଯେତେ ଟିଭିକୁ ପସନ୍ଦ କଲେ ବି ବ୍ୟସ୍ତବହୁଳ ଜୀବନରେ ଆଜିର ଯୁବପିଢ଼ି କାନରେ ଇଅର ଫୋନ ଲଗାଇ 92.7 କି 93.5 ଅବା 104 ରେଡ଼ିଓ ଚକୋଲେଟ ଶୁଣୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରେଡ଼ିଓର ଚାହିଦା କମିଥିଲେ ବି ନୂଆ ରୂପରେ ଏହା ଯୁବପିଢ଼ିଙ୍କ ନିକଟରେ କେତେକାଂଶରେ ଛାପ ପକାଇଛି।