'ଓ ସ୍ତ୍ରୀ, କଲ୍ ଆନା'... ସତରେ କ'ଣ ସେ ଆସେ ?

ବିଶ୍ୱାସ-ଅବିଶ୍ୱାସ-ଅନ୍ଧବିଶ୍ୱାସ

'ଓ ସ୍ତ୍ରୀ, କଲ୍ ଆନା'... ସତରେ କ'ଣ ସେ ଆସେ ?
ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଗତବର୍ଷ 'ସ୍ତ୍ରୀ' ନାମକ ଏକ ବଲିଉଡ ଚଳଚ୍ଚିତ୍ର ପରଦାକୁ ଆସିଥିଲା । 'ସ୍ତ୍ରୀ' ଏକ ପ୍ରେତାତ୍ମା, ଯିଏ କି ପୁରୁଷମାନଙ୍କୁ ଝାମ୍ପି ନେଉଥିଲା । ତେଣୁ, ଭୟରେ ଗାଁ ଲୋକମାନେ ନିଜ ଘର କାନ୍ଥରେ 'ଓ ସ୍ତ୍ରୀ, କଲ୍ ଆନା' ଅର୍ଥାତ୍ ସ୍ତ୍ରୀ ତମେ କାଲି ଆସ ବୋଲି ଲେଖୁଥିଲେ । ଏହି କାହାଣୀର କଥାବସ୍ତୁ ଏମିତି ଥିଲା । ସମାଜରେ ଆଜି ବି କଳାଯାଦୁ, ଭୂତ ପ୍ରେତକୁ ନେଇ ଗବେଷଣା ଚାଲିଛି । କଳାଯାଦୁ ଓ ବୈଜ୍ଞାନିକ ପଦ୍ଧତି ସର୍ବଦା ବିପରୀତ । ତେଣୁ, ସ୍ତ୍ରୀ ଫିଲ୍ମରେ ଭୂତ ପ୍ରେତ ବିଷୟରେ ଦେଖାଇବା ସହ କଳାଯାଦୁ ବି ଦର୍ଶାଯାଇଛି । ସମାଜରେ ଆଜି ବି ପ୍ରେତାତ୍ମା ଉପରେ ଫିଲ୍ମ ନିର୍ମାଣ କରାଯାଉଛି । ବିଭିନ୍ନ ଭାଷାକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ପ୍ରତିବର୍ଷ ଅନେକ ହରର୍ ଫିଲ୍ମ ନିର୍ମାଣ କରାଯାଉଛି । ସେହିପରି କିଛିବର୍ଷ ପୂର୍ବେ ଇମ୍ରାନ ହାସମୀଙ୍କ ଏକ ସିନେମା 'ଏକ୍ ଥି ଡାୟନ' ପରଦାକୁ ଆସିଥିଲା । ପ୍ରେତାତ୍ମାର ଶକ୍ତି କିଭଳି ତାର କେଶରେ ସବୁଠୁ ଅଧିକ ଥାଏ, ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ତେଣୁ,ଏଠି ପ୍ରଶ୍ନ ଉଠୁଛି ଯେ ବାସ୍ତବ ଦୁନିଆରେ କ'ଣ ଏମିତି ହୁଏ ? ଅନେକ ହରର୍ ସିନେମାରେ ଭୂତ ଛଡ଼ାଇବାକୁ ବିଭିନ୍ନ ପନ୍ଥା ଆପଣା ଯାଇଥାଏ । ବାସ୍ତବ ଦୁନିଆରେ କ'ଣ ଏମିତି ହୁଏ ?

ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରାଣୀଗୁଡ଼ା ଗାଁରେ ଜଣେ ନାବାଳକକୁ ଚିକିତ୍ସା ନାଁରେ ଅତ୍ୟାଚାର କରାଯାଇଛି । ଦେହ ଅସୁସ୍ଥ ହେବାରୁ ନାବାଳକକୁ ଡାକ୍ତରଙ୍କ ପାଖକୁ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନିଆଯାଇଥିଲା । ସେଠାରେ ଗୁଣିଆ ନାବାଳକ ଜଣଙ୍କୁ ଭୂତ ଲାଗିଥିବା କହି ତାଙ୍କ ପାଟିରେ ଚପଲ ପୂରାଇଥିଲେ ଏବଂ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ନାବାଳକ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହିପରି ଏଇ ନିକଟରେ କେନ୍ଦୁଝରରେ ଜଣେ କ୍ୟାନ୍ସର ପୀଡ଼ିତା ୧୦ ବର୍ଷର ଝିଅକୁ ବଞ୍ଚାଇବାକୁ ଯାଇ ଗୁଣିଆର ସାହାରା ନେଇଥିଲେ ବାପା-ମା' । ଗୁଣିଆ ସେମାନଙ୍କୁ ଏକ ତୁଳସୀ ଗଛ ଦେଇଥିଲା ଏବଂ ତୁଳସୀ ଗଛକୁ ପାଖରେ ରଖିବାକୁ ଝିଅର ବାପା-ମା'ଙ୍କୁ କହିଥିଲା । ତୁଳସୀ ଗଛ ଯେତିକି ଦିନ ପର୍ଯ୍ୟନ୍ତ ବଞ୍ଚିବ, ସଞ୍ଜନା ସେତିକି ଦିନ ପର୍ଯ୍ୟନ୍ତ ବଞ୍ଚିବ ବୋଲି ଗୁଣିଆ କହିଥିଲା । ମାତ୍ର, ତୁଳସୀ ଗଛ ସିନା ବଞ୍ଚିଗଲା ହେଲେ ସଞ୍ଜନା ବଞ୍ଚି ପାରିଲା ନାହିଁ । କ୍ୟାନ୍ସର ରୋଗରେ ପୀଡ଼ିତା ସଞ୍ଜନା ସବୁଦିନ ପାଇଁ ଆଖି ବୁଜିଦେଲା । ତୁଳସୀ ଗଛରେ ବନ୍ଧା ଥିବା ମଣିଷର ଜୀବନ ଶେଷରେ ପାଣି ଫୋଟକା ପରି ଫାଟିଗଲା । ଆହୁରି ଅନେକ ଉଦାହରଣ ରହିଛି । କିଛି ମାସ ପୂର୍ବରୁ ମାଲକାନଗିରି କାଲିମେଳା ବ୍ଲକ୍ ଉର୍ମାଗୁଡ଼ା ଗାଁରେ ଜଣେ ମହିଳାଙ୍କୁ ଗୁଣିଆ କାମୁଡ଼ା ଚିକିତ୍ସା କରିଥିଲେ ।

ମଣିଷ ଚନ୍ଦ୍ର ପୃଷ୍ଠକୁ ଗଲାଣି, କିନ୍ତୁ ଏଠି ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ସତେ ଯେମିତି ମଣିଷର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅନ୍ଧବିଶ୍ୱାସର ଅନ୍ଧାରି ମୂଲକରେ ଏବେ ବି ବଞ୍ଚୁଛନ୍ତି ସାଧାରଣ ଲୋକ । ଗୋଟେପଟେ ସରକାରଙ୍କ କାଗଜପତ୍ରରେ ସଚେତନତା ଏବଂ ଅନ୍ୟପଟେ ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ । ଏହି ଅବସ୍ଥାରେ ତ୍ରିଶଙ୍କୁ ପାଲଟିଛି ମଣିଷର ଜୀବନ । ବିଶେଷ କରି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳେ । କେବଳ ଅନ୍ଧ ବିଶ୍ୱାସରେ ମଣିଷ ଏଠି ଜିଉଁନି, ବିଭିନ୍ନ ସମୟରେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ନରହତ୍ୟା ମଧ୍ୟ କରୁଛି । ଚଳିତବର୍ଷ ଜାନୁଆରୀ ୨୫ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ମଙ୍ଗରି ମୁଣ୍ଡା ନାମକ ଜଣେ ମହିଳାଙ୍କ ସମେତ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆ ଯାଇଥିଲା । ସେହିପରି ୨୦୧୮ରେ ରାଜ୍ୟରେ ୨୫ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ରେ ୯୯ଟି ମାମଲା ହୋଇଥିଲା । ଏହା ପୂର୍ବରୁ ୨୦୧୬ରେ ଗୁଣି ସନ୍ଦେହରେ ହତ୍ୟା ମାମଲା ୮୩ଟି ରୁଜୁ ହୋଇଥିବାବେଳେ ୨୦୧୫ରେ ୫୮ଟି ମାମଲା ରୁଜୁ ହୋଇଥିଲା । କେବଳ କେନ୍ଦୁଝରରେ ଗତ କିଛି ବର୍ଷ ମଧ୍ୟରେ ୫୭ ଜଣଙ୍କୁ ହତ୍ୟା କରାଯାଇଛି ।

ଆଦିବାସୀ ଇଲାକାରେ ଅନେକ ସଞ୍ଜନା ଅଛନ୍ତି, ପ୍ରତିଦିନ ଏମିତି ଗୁଣିଆ ଭରସାରେ ଯେଉଁମାନଙ୍କ ପ୍ରାଣ ଯାଉଛି । ଅନେକ ନାବାଳକ ଅଛନ୍ତି, ଯେଉଁମାନଙ୍କୁ ଭୂତ ଭାବି ଅନେକ ଗୁଣିଆ ନିର୍ଯାତନା ମଧ୍ୟ ଦେଉଛନ୍ତି । ସର୍ବୋପରି ପ୍ରଗତିଶୀଳ ଓଡ଼ିଶାର ବାଟ ଓଗାଳୁଛି ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ଭଳି ଏକ ବ୍ୟାଧି ଶାନ୍ତ ସମାଜକୁ କଳୁଷିତ ମଧ୍ୟ କରୁଛି । ଆଉ ନିରୀହ ଲୋକେ ହତ୍ୟା ନଚେତ୍ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି । ଫଳରେ ସବୁ କ୍ଷେତ୍ରରେ ଆଗକୁ ବଢୁଥିବା ଓଡ଼ିଶା କିନ୍ତୁ ଗୁଣିଗାରେଡ଼ି ଜନିତ ଅପରାଧରେ ଅନ୍ୟ ରାଜ୍ୟଠାରୁ ଢେର୍ ଆଗରେ ରହିଛି । ଆଉ ଏଥିରେ ୨୦୧୩ରେ ଲାଗୁ ହୋଇଥିବା ଗୁଣିଗାରେଡ଼ି ନିରୋଧ ଆଇନ କିଛି ଫରକ ଆଣିପାରିନାହିଁ । ତେଣୁ ସଭ୍ୟ ସମାଜକୁ ଏ ବିଷୟରେ ଅବଗତ ହେବାକୁ ପଡ଼ିବ । ପ୍ରତିଟି ପରିବାର ସଚେତନ ହେବାକୁ ପଡ଼ିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ 'ଓ ସ୍ତ୍ରୀ କଲ୍ ଆନା' ଲେଖିବା ପରିବର୍ତ୍ତେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବାକୁ ଲେଖିବାକୁ ପଡ଼ିବ । ତା'ହେଲେ ଯାଇ ସଭ୍ୟ ସମାଜ ଶିକ୍ଷିତ ହୋଇପାରିବ ।