Advertisement
Article Detail0/zeeodisha/odisha773307
Zee OdishaOther Newsଖାଁ ଖାଁ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ଖାଁ ଖାଁ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ। ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ। 

 ଖାଁ ଖାଁ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ସଞ୍ଜୟ ମହାପାତ୍ର, ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ। ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ। ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଭୁଜ, ଶ୍ରୀପୟର, କିରିଟି, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ଜଗତ ଠାକୁର। ସକାଳ ଧୂପ ପରେ ଆୟୁଦ୍ଧମାନଙ୍କର ମାର୍ଜନା ପୂଜା ସରିବା ପରେ ମହାପ୍ରଭୁ ଆୟୁଧ ଧାରଣ କରିଛନ୍ତି। 

ସେପଟେ ମହାପ୍ରଭୁଙ୍କ ଠାରୁ ଦୁର୍ଗାମାଧବ, ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ବିମାନ ଓ ପାଲିଙ୍କିରେ ଜଗନ୍ନାଥବଲ୍ଲଭ ଦଶହରା ପଦାକୁ ବିଜେ କରିବା ସହ  ମତ୍ସ୍ୟ ଶିକାର ନିତି ସଂପାଦିତ ହୋଇଛି । ହେଲେ କୋଭିଡ୍ କଟକଣା ଯୋଗୁଁ ଆଜି ମହାପ୍ରଭୁଙ୍କର  ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ସେପଟେ ମା ବିମଳାଙ୍କ ସ୍ୱରୂପା କାକୁଡିଖାଇଙ୍କର ଆଜି ମେଲାଣି ଉତ୍ସବ। ସର୍ବାଗ୍ରେ ମା କାକୁଡିଖାଇ ଜଳବିସର୍ଜନ କରିବେ।

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟା ଦଶମୀ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି। ନୂଆଲୁଗା ଓ ଜାମା ଲାଗି ହେବା ପରେ କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡା ମାଳ, ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଇଛି। ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ମହାପ୍ରଭୁ ଦର୍ଶନ ଦେଉଛନ୍ତି। ହେଲେ ମହାପ୍ରଭୁଙ୍କ ଆୟୁଧ ହସ୍ତରେ ଧରି ନଥିଲେ। ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା କରାଯାଇଥିଲା। ତାପରେ ଆୟୁଦ୍ଧ ଭିତର ବେଢ଼ା ପରିକ୍ରମା କରିବା ପରେ ମହାପ୍ରଭୁ ଆୟୁଦ୍ଧ ହସ୍ତରେ ଧାରଣ କରିଥିଲେ। 

Add Zee News as a Preferred Source

ଆଉ ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ସୂନାବେଶକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ। ମାତ୍ର ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ଭକ୍ତମାନେ ସାତମାସ ହେଲା ମହାପ୍ରଭୁଙ୍କ ଶ୍ରୀମୁଖ ଚାହିଁନାହାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେବାର ଯେଉଁ ଇଛା ଥାଏ ତାହା ଏଥର ମଉଳି ଯାଇଛି। ବହୁ ଦୁରରୁ ପତିତପାବନ ଦର୍ଶନ କରୁଛନ୍ତି ଭକ୍ତ।

ସେପଟେ ଶ୍ରୀଜୀୟୁ ଆୟୁଦ୍ଧ ଧାରଣ କରିବା ପରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଠାରୁ ଦୁର୍ଗାମାଧବ, ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ବିମାନ ଓ ପାଲିଙ୍କିରେ ଜଗନ୍ନାଥବଲ୍ଲଭ ଦଶହରା ପଦାକୁ ବିଜେ କରନ୍ତି। ସେଠାରେ ବନ୍ଦାପନା, ପ୍ରସାଦଲାଗି ଓ ରାଜନିତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁ ମତ୍ସ୍ୟ ଶିକାର କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସୁନାବେଶ ଓ ଆସନ୍ତାକାଲି ଠାରୁ କାର୍ତ୍ତୀକ ନିତି ପାଇଁ ବ୍ଯବସ୍ଥା କରାଯାଇଛି ବୋଲି କହିଛନ୍ତି ନିତି ପ୍ରଶାସକ।

ସେପଟେ ମଣ୍ଡପ ଓ ପୀଠରେ ଚାଲିଛି ମାଆଙ୍କ ବିଜୟା ଦଶମୀ। ମା କାକୁଡି ଖାଇଙ୍କର ଆଜି ହେଉଛି ମେଲାଣି ଉତ୍ସବ। ତେବେ କୋଭିଡ୍ କଟକଣାକୁ ନେଇ ଆସନ୍ତାକାଲି ଏକାଦଶୀ ତିଥିରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଓ ସିଂହଦ୍ଵାର ଆଗକୁ ୧୪୪ଜାରି କରାଯିବ। ମେଢ ସାଙ୍ଗରେ ୭ଜଣ ଯିବା ପାଇଁ ନିର୍ଦ୍ଦେଶ ରହିଛି। ୨୭ତାରିଖ ଦିନ ମାଆଙ୍କର ଗୋଷାଣି ଯାତ୍ରା। ଗୋଷାଣି ଯାତ୍ରା ପାଇଁ ଏବେଠୁଁ ଆରମ୍ଭ ହୋଇଯାଇଛି ପୂଜା ମଣ୍ଡପ ପକ୍ଷରୁ ପ୍ରାକପ୍ରସ୍ତୁତି।  ଗୋସାଣି ଯାତ୍ରା ରହିଥିବାରୁ ସିଂହଦ୍ୱାର ଆଗରେ ଦେବସଭାର ଆୟୋଜନ କରାଯିବ। ମାତ୍ର ବିନାଭକ୍ତରେ ଦେବସଭା କରାଯିବା ନେଇ ଉଭୟ ପୂଜାମଣ୍ଡପ ଓ ପ୍ରଶାସନ ମଧ୍ୟରେ ନିଷ୍ପତି ନିଆଯାଇଛି।

ଦଶହରା ଦିନ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ସୁବର୍ଣ୍ଣ ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଭକ୍ତ ଦର୍ଶନ ଉପରେ କଟକଣା ବଳବତ୍ତର ଥିବା ଯୋଗୁଁ ନିରାଶ ହୋଇଛନ୍ତି ଭକ୍ତ

About the Author