କେମ୍ବ୍ରିଜରେ ପଢାଇବେ ସୁପର-30 ସଂସ୍ଥାପକ ଆନନ୍ଦ କୁମାର

ଦିନେ ଅର୍ଥ ଅଭାବରୁ କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ପଢି ପାରି ନ ଥିଲେ, ଏବେ ସେଠି ଦେବେ ଲେକ୍ଚର ।

କେମ୍ବ୍ରିଜରେ ପଢାଇବେ ସୁପର-30 ସଂସ୍ଥାପକ ଆନନ୍ଦ କୁମାର
ଫାଇଲ ଫଟୋ

ନୂଆଦିଲ୍ଲୀ: କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଲେକ୍ଚର ଦେବେ ଆନନ୍ଦ କୁମାର । ଯେଉଁ ବିଶ୍ୱବିଦ୍ୟାଳୟରେ ଦିନେ ଟଙ୍କା ଅଭାବରୁ ପାଠ ପଢି ପାରି ନ ଥିଲେ, ଆଜି ସେଠି ପାଠ ପଢାଇବେ ସୁପର-30ର ସଂସ୍ଥାପକ । କେମ୍ବ୍ରିଜ  ୟୁନିୟନରୁ ଏନେଇ ନିମନ୍ତ୍ରଣ ଆସିଛି । ଆସନ୍ତା ୨୪ ତାରିଖରେ ସେଠି ଲେକ୍ଚର ଦେବେ ଆନନ୍ଦ କୁମାର ।  ଏହି ନିମନ୍ତ୍ରଣ ପରେ ସେ ପୂର୍ବକଥା ମନେ ପକାଇଛନ୍ତି । 

ଦିନେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଆଡମିଶନ କରିବା ପାଇଁ ଆସିଥିଲା ଇଣ୍ଟିମେସନ ଲେଟର । ହେଲେ ଅର୍ଥ ଅଭାବରୁ ଲଣ୍ଡନ ଯାଇ ପାରିନଥିଲେ । ଆଉ ଆଜି ସେହି ବିଶ୍ୱବିଦ୍ୟାଳୟରୁ ଆନନ୍ଦଙ୍କ ପାଖରୁ ଆସିଛି ଇନଭିଟେସନ(ନିମନ୍ତ୍ରଣ) ଲେଟର । କେମ୍ବ୍ରିଜରେ  ଲେକ୍ଚର ଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । 

ନିମନ୍ତ୍ରଣ ପରେ ଆନନ୍ଦ କୁମାର କହିଛନ୍ତି, ''ଏହା ମୋ ପାଇଁ ଏକ ସ୍ୱପ୍ନ ଥିଲା । ଯାହା ଆଜି ସତରେ ପରିଣତ ହୋଇଯାଇଛି । କାହିଁକିନା ମୋତେ ସେଠି ଲେକ୍ଚର ଦେବା ପାଇଁ ସୁଯୋଗ ମିଳିଛି । ଯେଉଁଠି ମୁଁ ଅଧ୍ୟୟନ କରିବା ପାଇଁ ଚାହୁଁଥିଲି, ହେଲେ ଅର୍ଥାଭାବରୁ ଯାଇପାରିନଥିଲି । ''

anand kumar

୨ ଦଶକ ପୂର୍ବରୁ ପଟନାରେ ସୁପର-30ର ଶୁଭାରମ୍ଭ କରିଥିଲେ ଆନନ୍ଦ କୁମାର । ଗରିବ ପରିବାରର ମେଧାବୀ ପିଲାଙ୍କୁ ପ୍ରତିଷ୍ଠିତ ଆଇଆଇଟିରେ ପ୍ରବେଶ ପାଇଁ ବିନା ମୂଲ୍ୟରେ କୋଚିଙ୍ଗ ଦେଇ ଆସୁଛନ୍ତି ଗଣିତର ଏହି ମେଧାବୀ ମଣିଷ । ଇଚ୍ଛା ଥିଲା, କେମ୍ବ୍ରିଜରେ ପଢିବେ । ସେହି ସୁଯୋଗ ବି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଆସିଥିଲା । ଅର୍ଥ ଅଭାବରୁ ନିଜେ ସିନା ଏଥିରୁ ବଞ୍ଚିତ ହୋଇଥିଲେ, ହେଲେ ମେଧାବୀ ଗରିବ ପିଲାଙ୍କୁ ଆଇଆଇଟିରେ ପାଇଁ ସତେ ଯେମିତି ସେ ପଣ କରିଛନ୍ତି । ଆଉ ଏଥିପାଇଁ ପ୍ରତିବର୍ଷ ୩୦ ଗରିବ ପିଲାଙ୍କୁ  କୋଚିଙ୍କ ଦେଇ ଆସୁଛନ୍ତି । ଆଇଆଇଟିରେ ଉତ୍ତୀର୍ଣ୍ଣ ହେବାରେ ଆନନ୍ଦଙ୍କ ସୁପର-୩୦ ପ୍ରତିବର୍ଷ ରେକର୍ଡ କରିଆସୁଛି । 

ନିକଟରେ ତାଙ୍କ ସଙ୍ଘର୍ଷ କାହାଣୀକୁ ନେଇ ଆସିଥିଲା ଫିଲ୍ମ ସୁପର-୩୦ । ସମସ୍ତେ ଦେଖିଥିଲେ ଏହି ମେଧାବୀ ଗଣିତ ଛାତ୍ରଙ୍କ ସଙ୍ଘର୍ଷର କାହାଣୀ । ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଦେଇଥିବା ଲୋକଙ୍କ ପାଇଁ ସେ ଏକ ସତର୍କ ଘଣ୍ଟି ସଦୃଶ୍ୟ । ଏବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସେ ହେଉଛନ୍ତି ପ୍ରେରଣାର ଉତ୍ସ ।  

ଆହୁରି ପଢନ୍ତୁ; Live reporting ବେଳେ ସାମ୍ନାକୁ ଆସିବାରୁ ଏପରି କଲେ ପାକ୍ ରିପୋର୍ଟର