ଅନ୍ଧବିଶ୍ୱାସ ନେଲା ଜୀବନ, କୁକୁର କାମୁଡ଼ାରେ ୮ ବର୍ଷୀୟ ଝିଅର ମୃତ୍ୟୁ
Advertisement
Article Detail0/zeeodisha/odisha673698

ଅନ୍ଧବିଶ୍ୱାସ ନେଲା ଜୀବନ, କୁକୁର କାମୁଡ଼ାରେ ୮ ବର୍ଷୀୟ ଝିଅର ମୃତ୍ୟୁ

ମାସେ ପର୍ଯ୍ୟନ୍ତ ଝଡ଼ାଫୁଙ୍କା କରୁଥିଲେ ପରିବାର ଲୋକ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଫୁଲବାଣୀ: ଅନ୍ଧବିଶ୍ୱାସ ନେଲା କୁନିଝିଅର ଜୀବନ । ଗୋଟିଏ ପଟେ ଲକଡାଉନ୍ ଅନ୍ୟପଟେ ଝଡ଼ାଫୁଙ୍କା ଚିକିତ୍ସା ଉପରେ ଭରସା । ଆଉ ଏହାରି ଭିତରେ ଦୀର୍ଘ ମାସେ ପର୍ଯ୍ୟନ୍ତ କୁକୁର କାମୁଡ଼ାର ଶିକାର ହୋଇଥିବା କୁନି ଝିଅର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗୁଡ଼ୁଥିଲା । ଅବସ୍ଥା ଗୁରୁତର ହେବାରୁ ଗତ ୨ ଦିନ ତଳେ ପରିବାର ଲୋକେ ବୁଡ଼ାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଝିଅକୁ ଭର୍ତ୍ତି କରିଥିଲେ । ସେଠାରୁ ପ୍ରଥମେ ବାଲିଗୁଡ଼ା ଏବଂ ପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ଆଖି ବୁଜିଲା ୮ ବର୍ଷର ଝିଅ ସିନ୍ତିଜିନି ପ୍ରଧାନ । 

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ଗୁମିକିଆ ପଞ୍ଚାୟତର କୁଞ୍ଜୁମାହା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ସୂଚନା ମିଳିଛି, ଗାଁର ଲେବୀୟ ପ୍ରଧାନଙ୍କ ୮ ବର୍ଷର ଝିଅ ସିନ୍ତିଜିନି ପ୍ରଧାନ ଏକ ମାସ ପୂର୍ବରୁ କୁକୁର କାମୁଡ଼ାର ଶିକାର ହୋଇଥିଲେ । ତେବେ ସେହି ସମୟରେ ଲକଡାଉନ୍ ଆରମ୍ଭ ହୋଇସାରିଥିବାରୁ ପରିବାର ଲୋକେ ଝିଅକୁ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା ଚିକିତ୍ସା କରାଇଥିଲେ । ଯଦିଓ ଝିଅର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା, ତେବେ ପରିବାର ଲୋକେ ଝଡାଫୁଙ୍କା ଚିକିତ୍ସା ଉପରେ ବିଶ୍ୱାସ ରଖିଥିଲେ । ତେବେ ଗତ ୨ ଦିନ ପୂର୍ବରୁ ଗୁରୁତର ହୋଇପଡ଼ିଥିଲେ ସିନ୍ତିଜିନି । ସ୍ଥିତି ଏପରି ହୋଇଥିଲା, ତାଙ୍କୁ ଶେଷରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ମାତ୍ର ସେତେବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇସାରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୁନି ଝିଅର ମୃତ୍ୟୁ ହୋଇଛି । 

ପୂର୍ବରୁ ଅନେକଥର କନ୍ଧାମାଳ ଜିଲ୍ଲାରୁ ଝଡ଼ାଫୁଙ୍କା ପରି ଅନ୍ଧବିଶ୍ୱାସ ଘଟଣା ସାମ୍ନାକୁ ଆସିଥିବା ନଜିର ରହିଛେ । ଏବେ ବି ଯେ ଲୋକେ ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହୁଛନ୍ତି, ଏ ଘଟଣା ପୁଣି ଏକଥାକୁ ତାଜା କରିଛି । କୁନି ଝିଅର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

;