'ହାତ'ରୁ ଗଲା ରାଫେଲ ମୁଦ୍ଦା

ରାଫେଲ ମାମଲାରେ ପୁନଚ୍ଛେଦ ପକାଇଲେ ଦେଶର ସର୍ବୋଚ୍ଚ ଅଦାଲତ . 

'ହାତ'ରୁ ଗଲା ରାଫେଲ ମୁଦ୍ଦା
ଫାଇଲ ଫଟୋ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିବନି ରାଫେଲ ମାମଲା । ଏହାର ପୁନର୍ବିଚାର ପାଇଁ ଯେଉଁ ଆବେଦନ କରାଯାଇଥିଲା, ତାକୁ ଖାରଜ କରିଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଏହାପରେ ରାଫେଲ କିଣାବିକାରେ ଦୁର୍ନୀତି ହୋଇନଥିବା ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଯେଉଁ ବଡ ମୁଦ୍ଦା ତିଆରି କରିଥିଲା, ସେଥିରେ ପୁନଚ୍ଛେଦ ପଡିଛି । 

କଂଗ୍ରେସ ହାତରୁ ଗଲା ରାଫେଲ ମୁଦ୍ଦା । ରାଫେଲ କିଣାବିକାରେ ବଡ ଘୋଟାଲା ହୋଇଥିବା କହି ସାରା ଦେଶରେ ସରକାର ବିରୋଧୀ ମାହୋଲ ସୃଷ୍ଟି କରୁଥିବା ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ଅବଶ୍ୟ ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲାରେ କୋର୍ଟ କ୍ଷମା ପ୍ରାର୍ଥନା କରିଛନ୍ତି । ହେଲେ ରାଫେଲ ମାମଲାରେ ନିରାଶ ହୋଇଛି କଂଗ୍ରେସ । ପ୍ରଧାନ ବିଚାରପତି ଡଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । 

କଣ ଥିଲା ପୁରା ଘଟଣା ? 

ଲୋକସଭା ନିର୍ବାଚନ ବେଳେ ରାଫେଲ ବିମାନ ଚୁକ୍ତି ମାମଲା ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଫ୍ରାନ୍ସ ଠାରୁ କ୍ରୟ କରାଯାଇଥିବା ଏହି ଯୁଦ୍ଧ ବିମାନ ଚୁକ୍ତିରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ୨ଟି ଜନହିତ ଯାଚିକା ଦାଖଲ କରାଯାଇଥିଲା । ଏହା ବ୍ୟତୀତ ବିମାନର ଦାମ, ଚୁକ୍ତି, କମ୍ପାନୀର ଭୂମିକା ଉପରେ ପ୍ରଶ୍ନ ଉଠାଯାଇଥିଲା । ବର୍ଷ ଡିସେମ୍ବର ୧୪ରେ ୩୬ଟି ରାଫେଲ ବିମାନକୁ ନେଇ ହୋଇଥିବା ଡିଲ ବିରୋଧରେ ଏକ ଯାଚିକା ଉପସ୍ଥାପନା କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସୁ୍ପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଯାଇଥିଲା । ରିଭ୍ୟୁ ପିଟିସନ ଦାଖଲରେ ଆମ ଆଦମି ପାର୍ଟିର ମଧ୍ୟ ଭୂମିକା ଥିଲା । ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଛନ୍ତି ।