ଆସନ୍ତାକାଲି ସୁପ୍ରିମକୋର୍ଟରୁ ଆସିବ ୩ଟି ଗୁରୁତ୍ୱପୂର୍ଣ୍ଣ ରାୟ

ଅଯୋଧ୍ୟା ପରି ବଡ଼ ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ । ବିଗତ କିଛି ଦିନରେ ସର୍ବୋଚ୍ଚ କୋର୍ଟରୁ ପୁଣିଥରେ ବଡ଼ ବଡ଼ ମାମଲାରେ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଆସନ୍ତାକାଲି ସୁପ୍ରିମକୋର୍ଟରୁ ଆସିବ ୩ଟି ଗୁରୁତ୍ୱପୂର୍ଣ୍ଣ ରାୟ
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ପରି ବଡ଼ ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ । ବିଗତ କିଛି ଦିନରେ ସର୍ବୋଚ୍ଚ କୋର୍ଟରୁ ପୁଣିଥରେ ବଡ଼ ବଡ଼ ମାମଲାରେ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଗୁରୁବାର କୋର୍ଟ ସାବରୀମାଳା ଓ ରାଫେଲ ବିମାନ ଚୁକ୍ତି ଉପରେ ରାୟ ପ୍ରକାଶ କରିବେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷାରେ ଖଣ୍ଡପୀଠ ଆସନ୍ତାକାଲି ସକାଳ ୧୦.୩୦ରେ ରାୟ ପ୍ରଦାନ କରିବ । 

ଏହା ବ୍ୟତୀତ ସର୍ବୋଚ୍ଚ କୋର୍ଟ ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଚାଲିଥିବା ଅବମାନନା ମାମଲାରେ ମଧ୍ୟ ରାୟ ପ୍ରଦାନ କରିବେ । ନଭେମ୍ୱର ୧୭ରେ ପ୍ରଧାନ ବିଚାରପତି ଗୋଗୋଇ ଅବସର ନେଉଛନ୍ତି । ଏହାପୂର୍ବରୁ ବଡ଼ ବଡ଼ ମାମଲାରେ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ସାବରୀମାଳା ମନ୍ଦିର ବିବାଦ
କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ବିବାଦ ବହୁ ସମୟ ଧରି ଚାଲୁଛି । ଗତ ବର୍ଷ ଏହା ଉପରେ କୋର୍ଟ ରାୟ ପ୍ରଦାନ କରି ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ । କୋର୍ଟର ଏହି ପ୍ରଦର୍ଶନ ପରେ ଜୋରଦାର ପ୍ରଦର୍ଶନ ମଧ୍ୟ ହୋଇଥିଲା । ପରେ ଏହା ଉପରେ ଏକ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିଲା । ବର୍ତ୍ତମାନ କୋର୍ଟ ଏହି ଉପରେ ରାୟ ପ୍ରଦାନ କରିବେ । ସାବରୀମାଳା ଉପରେ ପୁନର୍ବିଚାର ଯାଚିକାରେ ସର୍ବମୋଟ ୬୪ଟି ମାମଲା ଥିଲା ।

ରାଫେଲ ମାମଲା
ଲୋକସଭା ନିର୍ବାଚନ ବେଳେ ରାଫେଲ ବିମାନ ଚୁକ୍ତି ମାମଲା ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଫ୍ରାନ୍ସ ଠାରୁ କ୍ରୟ କରାଯାଇଥିବା ଏହି ଯୁଦ୍ଧ ବିମାନ ଚୁକ୍ତିରେ ବଡ଼ ଦୁର୍ନୀତି ହେବାର ଅଭିଯୋଗ ଆସିଥିଲା । ଏହି ମାମଲାରେ ୨ଟି ଜନହିତ ଯାଚିକା ଦାଖଲ କରାଯାଇଥିଲା । ଯେଉଁଥିରେ ଦୁର୍ନୀତିର ଅଭିଯୋଗ ଅଣାଯାଇଛି । ଏହା ବ୍ୟତୀତ ବିମାନର ଦାମ, ଚୁକ୍ତି, କମ୍ପାନୀର ଭୂମିକା ଉପରେ ପ୍ରଶ୍ନ ଉଠାଯାଇଛି । ବର୍ତ୍ତମାନ କୋର୍ଟ ଏହା ଉପରେ ମଧ୍ୟ ନିଜ ରାୟ ପ୍ରଦାନ କରିବେ ।

ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟ ଅବମାନନା କରିବାର ମାମଲା 
ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ ଦାଖଲ କରାଯାଇଥିବା ଯାଚିକା ଉପରେ ମଧ୍ୟ ରାୟ ପ୍ରଦାନ କରିବେ । ଏହି ଯାଚିକା ବିଜେପି ନେତା ମୀନାକ୍ଷୀ ଲେଖି ଦାଖଲ କରିଥିଲେ । ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ  ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଚୌକିଦାର ହେଉଛନ୍ତି ଚୋର । ଲେଖି ଅଭିଯୋଗ ଆଣିଥିଲା ଯେ ରାହୁଲ କୋର୍ଟଙ୍କ ବୟାନକୁ ରାଜନୀତ ସହ ଜଡ଼ିତ କରିଥିଲେ । ଏହା ଉପରେ ରାହୁଲଙ୍କ ତରଫରୁ ଏକ ମାଫିନାମା ମଧ୍ୟ କୋର୍ଟରେ ଦାଖଲ କରାଯାଥିଲା । କିନ୍ତୁ କୋର୍ଟ ତାଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରି ନଥିଲେ ।