Trending Photos
ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟରର ତଦନ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କରିବେ । ଏସଆଇଟି ତଦନ୍ତ ପାଇଁ ଆବେଦନ ହୋଇଥିବା ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହାର ଶୁଣାଣି ଆସନ୍ତାକାଲି ମଧ୍ୟ ହେବ ବୋଲି ଜଣାପଡିଛି ।
ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି, ''ଆମେ ଜଣିଛୁ ଯେ ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାକୁ ନିଜ ହାତକୁ ନେଇଛନ୍ତି । ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଆମେ କରିବୁ । ସେ ଦିଲ୍ଲୀରେ ରହି ଏହାର ତଦାରଖ କରିବେ ।''
Supreme Court says it is aware that Telengana High Court is already seized of the matter, we will appoint former Supreme Court judge to inquire into the matter who will sit in Delhi and inquire into the incident. https://t.co/v6v9guY6Q5
— ANI (@ANI) December 11, 2019
କହିରଖୁଛି, ହାଇଦ୍ରାବାଦ ଏନକାଉଣ୍ଟରକୁ ବିରୋଧ କରି ସୁପ୍ରିମକୋର୍ଟରେ ୨ଟି ଯାଚିକା ଦାଖଲ ହୋଇଥିଲା । ଗୋଟିଏ ଯାଚିକାରେ ଏନକାଉଣ୍ଟରରେ ସାମିଲ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆବେଦନ କରାଯାଇଛି । ସେହିପରି ଅନ୍ୟ ଯାଚିକାରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଅପିଲ କରାଯାଇଛି । ଯାଚିକାରେ ଅଭିଯୋଗ ଅଣାଯାଇଛି ଯେ, ଏନକାଉଣ୍ଟରେ ସୁପ୍ରିମକୋର୍ଟର ଦିଶା ନିର୍ଦ୍ଦେଶ ପାଳନ କରାଯାଇ ନାହିଁ । ଏହା ୨୦୧୪ରେ ଅଦାଲତ ଦେଇଥିବା ରାୟକୁ ଉଲଙ୍ଘନ କରୁଛି ।
ହାଇଦ୍ରାବାଦର ବାହ୍ୟ ଅଞ୍ଚଳରେ ପଶୁ ଚିକିତ୍ସକ ସହ ସାମୂହିକ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା । ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା ପୋଲିସ । ମାତ୍ର ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଏପରିକି ପୋଲିସଠାରୁ ବନ୍ଧୁକ ଛଡାଇ ଗୁଳିବର୍ଷା କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲା । ଆତ୍ମରକ୍ଷା ପାଇଁ ଏହି ଏନକାଉଣ୍ଟର ବୋଲି କହିଥିଲେ ସାଇବ୍ରାବାଦ ପୋଲିସ କମିଶନର ସଜ୍ଜନାର ।
ସେପଟେ ତେଲେଙ୍ଗାନା ପୋଲିସ ମଙ୍ଗଳବାର ଏହି ମାମଲାର ରିପୋର୍ଟ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଏନଏଚଆରସି)କୁ ହସ୍ତାନ୍ତର କରିଛି । ସାଇବ୍ରାବାଦ କମିଶନରେଟ ଅଧିକାରୀମାନେ ଏନଏଚଆରସି ଟିମକୁ ୬ ଡିସେମ୍ୱର ଏନକାଉଣ୍ଟରର ସମସ୍ତ ବିବରଣୀ ପ୍ରସ୍ତୁତ କରି ଦେଇଛନ୍ତି । ପୋଲିସ ଶାଦନଗର ସହର ନିକଟରେ ଚଟନପଲ୍ଲୀରେ ଏହି ଜଘନ୍ୟ ଅପରାଧରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।
ଏହି ଘଟଣାର ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୧୩ ତାରିଖ ଯାଏ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବେ । ସେପଟେ ତେଲେଙ୍ଗାନା ସରକାର ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ।
ଆହୁରି ପଢନ୍ତୁ; ପୁଣି ଏକାଠି ହେବେ ବିଜେପି-ଶିବସେନା ! ଇସାରା ଦେଲେ ବରିଷ୍ଠ ନେତା