Trending Photos
ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟର ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାର ଆଜି ଶୁଣାଣି ହେବ । ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଏସଏସ ବୋୱଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ କରିବେ । ଏହି ଯାଚିକାର ଶୁଣାଣି ବେଳେ ସାଇବ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାର ମଧ୍ୟ କୋର୍ଟରେ ଉପସ୍ଥିତ ରହିବେ । କାରଣ ସଜ୍ଜନାର ଏହି ଏନକାଉଣ୍ଟର ଟିମର ନେତୃତ୍ୱ କରିଥିଲେ ।
କୋର୍ଟରେ ଏହି ଯାଚିକା ଆଇନଜୀବୀ ଜିଏସ ମଣି ଦାଖଲ କରିଛନ୍ତି । ଏହି ଏନକାଉଣ୍ଟର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା ସ୍ୱତନ୍ତ୍ର ଯାଞ୍ଚ ଏଜେନ୍ସିର ଦାବି କରାଯାଇଛି । ସୁପ୍ରିମକୋର୍ଟର ଗାଇଡଲାଇନ ଅନୁସାରେ, ସାଇବ୍ରାବାଦ ପୋଲିସ କମିଶନର ସଜ୍ଜନାର ଓ ଏନକାଉଣ୍ଟର ଟିମରେ ସାମିଲ ପୋଲିସକର୍ମୀଙ୍କ ଉପରେ ଏଫଆଇଆର ରୁଜୁ କରିବାର ଦାବି ଏହି ଯାଚିକାରେ କରାଯାଇଛି । ଯାଚିକାରେ ଅଭିଯୋଗ ଅଣାଯାଇଛି ଯେ ଏନକାଉଣ୍ଟରେ ସୁପ୍ରିମକୋର୍ଟର ଦିଶା ନିର୍ଦ୍ଦେଶ ପାଳନ କରାଯାଇ ନାହିଁ । ଏହା ୨୦୧୪ରେ ଅଦାଲତ ଦେଇଥିବା ରାୟକୁ ଉଲଙ୍ଘନ କରୁଛି ।
ହାଇଦ୍ରାବାଦର ବାହ୍ୟ ଅଞ୍ଚଳରେ ପଶୁ ଚିକିତ୍ସକ ସହ ସାମୂହିକ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା । ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା ପୋଲିସ । ମାତ୍ର ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଏପରିକି ପୋଲିସଠାରୁ ବନ୍ଧୁକ ଛଡାଇ ଗୁଳିବର୍ଷା କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲା । ଆତ୍ମରକ୍ଷା ପାଇଁ ଏହି ଏନକାଉଣ୍ଟର ବୋଲି କହିଥିଲେ ସାଇବ୍ରାବାଦ ପୋଲିସ କମିଶନର ସଜ୍ଜନାର ।
ସେପଟେ ତେଲେଙ୍ଗାନା ପୋଲିସ ମଙ୍ଗଳବାର ଏହି ମାମଲାର ରିପୋର୍ଟ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଏନଏଚଆରସି)କୁ ହସ୍ତାନ୍ତର କରିଛି । ସାଇବ୍ରାବାଦ କମିଶନରେଟ ଅଧିକାରୀମାନେ ଏନଏଚଆରସି ଟିମକୁ ୬ ଡିସେମ୍ୱର ଏନକାଉଣ୍ଟରର ସମସ୍ତ ବିବରଣୀ ପ୍ରସ୍ତୁତ କରି ଦେଇଛନ୍ତି । ପୋଲିସ ଶାଦନଗର ସହର ନିକଟରେ ଚଟନପଲ୍ଲୀରେ ଏହି ଜଘନ୍ୟ ଅପରାଧରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।
ଏହି ଘଟଣାର ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୧୩ ତାରିଖ ଯାଏ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବେ । ସେପଟେ ତେଲେଙ୍ଗାନା ସରକାର ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ।
ଆହୁରି ପଢନ୍ତୁ; ରାଜ୍ୟସଭାରେ CABକୁ ପାରିତ କରିବାରେ ସଫଳ ହେବେ ତ କେନ୍ଦ୍ର ସରକାର ?