ଆଜି 'ମହାରାଷ୍ଟ୍ର' ରାୟ, 'ଘଣ୍ଟା' ଉପରେ ରହିଛି ନଜର !

ଆଜି 'ମହାରାଷ୍ଟ୍ର' ରାୟ । ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେନେଇ ନିଜର ରାୟ ପ୍ରକାଶ କରିବେ ଦେଶର ସର୍ବୋଚ୍ଚ ଅଦାଲତ । 

ଆଜି 'ମହାରାଷ୍ଟ୍ର' ରାୟ, 'ଘଣ୍ଟା' ଉପରେ ରହିଛି ନଜର !
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆଜି 'ମହାରାଷ୍ଟ୍ର' ରାୟ । ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେନେଇ ନିଜର ରାୟ ପ୍ରକାଶ କରିବେ ଦେଶର ସର୍ବୋଚ୍ଚ ଅଦାଲତ । ସୋମବାର ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଚିସ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏନଭି ରମନ ଓ ଜଷ୍ଟିସ ଅଶୋକ ଭୂଷଣ ଏହାର ଶୁଣାଣି କରୁଛନ୍ତି । 

ଗତକାଲି ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ପତ୍ରକୁ ଆଜି କୋର୍ଟରେ ଦାଖଲ କରିଥିଲେ ସଲିସଟର ଜେନେରାଲ ତୁଷାର ମେହଟା । ବିଜେପି, ଅଜିତ ପାଓ୍ୱାର ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ଅନୁଯାୟୀ ରାଜ୍ୟପାଳ ଏପରି ଆମନ୍ତ୍ରଣ କରିଥିଲେ ବୋଲି ସେ କହିଥିଲେ ।  ସେହିପରି ବିଧାନସଭାର ଏଜେଣ୍ଡା କଣ, ତାହା ସୁପ୍ରିମକୋର୍ଟ ସ୍ଥିର କରିବେ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । 

ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ତରଫରୁ ଆଇନୀଜୀବୀ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । ସେ କହିଥିଲେ, ଅଜିତ ପାଓ୍ୱାର ଏନସିପିର ବିଧାୟକ ଦଳ ନେତା । ତାଙ୍କ ପାଖରେ ୫୪ ବିଧାୟକଙ୍କ ସମର୍ଥନ ପତ୍ର ଥିଲା । ସେ ଆହୁରି ମଧ୍ୟ କହିଥିଲେ, ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ପ୍ରଥମେ ପ୍ରୋଟେମ ସ୍ପିକର ନିଯୁକ୍ତି ହେବେ । ପରେ ବିଧାୟକଙ୍କ ଶପଥ ଗ୍ରହଣ ହେବ । ଏହାପରେ ଯାଇ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି କହିଥିଲେ ମୁକୁଲ ରୋହତଗୀ ।

ଅନ୍ୟପଟେ ଶିବସେନା ତରଫରୁ ପକ୍ଷ ରଖିଥିଲେ କପିଲ ସିବଲ । ୨୨ ତାରିଖ ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବସେନା, ଏନସିପି ଏବଂ କଂଗ୍ରେସ ପକ୍ଷରୁ ନିଷ୍ପତି ହୋଇଥିଲା । ମାତ୍ର ସକାଳୁ ଦେଖିଲା ବେଳକୁ ବିଜେିର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ । ତେଣୁ କେଉଁ ପରିସ୍ଥିତିରେ ରାତି ଅଧିଆ ରାଷ୍ଟ୍ରପତି ଶାସନ ହଟିଲା, ସେନେଇ ଖୁଲାସା ହେବା କଥା ବୋଲି କହିଥିଲେ କପିଲ ଶିବଲ । କଂଗ୍ରେସ ପକ୍ଷରୁ ଅଭିଷେକ ସିଂଘବୀ କହିଥିଲେ, ଆସ୍ଥା ଭୋଟ ଶୀଘ୍ର ହେଉ । କାହିଁକିନା ଶିବସେନା, ଏନସିପି ଏବଂ କଂଗ୍ରେସ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ରହିଛି । 

ଏଭଳି ସ୍ଥଳେ ଗତକାଲି ସନ୍ଧ୍ୟାରେ କଂଗ୍ରେସ-ଏନସିପି-ଶିବସେନା ଶକ୍ତିପ୍ରଦର୍ଶନ କରିଛନ୍ତି । ୩ ଦଳର ବିଧାୟକମାନେ ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତରେ ମହାମେଳି କରିଥିଲେ । ଏନ୍‌ସିପିରୁ କେବଳ ଅଜିତ ପାୱାର ଏହି ମହାମେଳିକୁ ଆସି ନଥିଲେ । ଏହି ୩ ଦଳ ବ୍ୟତୀତ କିଛି ସ୍ୱାଧୀନ ବିଧାୟକ ମଧ୍ୟ ମହାମେଳିରେ ସାମିଲ ହୋଇଥିଲେ। ମୋଟ ୧୬୨ ଜଣ ବିଧାୟକଙ୍କ ସମର୍ଥନରେ କଂଗ୍ରେସ, ଏନ୍‌ସିପି ଓ ଶିବସେନା ସରକାର ଗଠନ କରିବେ ବୋଲି ଜୋର ଦେଇଛନ୍ତି । 

ଗ୍ରାଣ୍ଡ ହାୟାତର ମହାମେଳି ପରେ ସେଠାରେ ସମସ୍ତ ବିଧାୟକ ଏକାଠି ହୋଇ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । କଂଗ୍ରେସ-ଏନସିପି-ଶିବସେନା ମେଣ୍ଟକୁ ସମସ୍ତେ ସ୍ୱାଗତ କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, କର୍ଣ୍ଣାଟକ ରାଜ୍ୟପାଳ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ। ଏବେ ମହାରାଷ୍ଟ୍ରରେ ସମାନ ଘଟଣା ଘଟିଥିବା ବେଳେ ସଂସଦୀୟ ବିଧିବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ଏଠାରେ ୧୬୨ ଜଣ ବିଧାୟକ ରହି ସମସ୍ତେ ଆମକୁ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟ ଯେବେ ଫ୍ଲୋରଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବେ, ଆମେ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ ପାୱାର ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ସରକାର ଗଠନ କରିବୁ । ଆଗକୁ ଆହୁରି ବିଧାୟକ ଆମ ସହ ଯୋଡ଼ି ହେବେ। ସମସ୍ତ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ଆମେ ରାଜ୍ୟପାଳଙ୍କୁ ଦେଇଛୁ। ଏହି ମହାମେଳିରେ ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ରହିଥିଲେ ।

କହିରଖୁଛୁ, ଶନିବାର ମହାରାଷ୍ଟ୍ରରେ ବିଜେପି ସରକାର ଗଢିଛି । ତେବେ ସରକାର ଗଠନର ପୁରା ଘଟଣାକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ରିଟ୍ ପିଟିସନ ଦାଖଲ ହୋଇଥିଲା । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ଏବେ ଶିବସେନା-କଂଗ୍ରେସ ଓ ଏନସିପି ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବାରୁ ଏହି ୩ଦଳ ବେଶ ଆରାମରେ ସରକାର ଗଠନ କରିପାରିବେ ।