୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨୯୦୨
Advertisement
Article Detail0/zeeodisha/odisha663375

୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨୯୦୨

ଦେଶରେ ଗୁରୁତର ରୂପ ନେଉଛି କୋରୋନା

 

୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨୯୦୨

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବାପେକ୍ଷା ବର୍ତ୍ତମାନ ସ୍ଥିତି ଧିରେଧିରେ ଗମ୍ଭୀର ହେଉଛି। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପଛରେ ନିଜାମୁଦ୍ଦିନ ତବଲିଗି ଜମାତ ଅଧିକ ପରିମାଣରେ ଦାୟୀ ରହିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।  

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଛି। ଏହା ମଧ୍ୟରୁ ୬୮ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ୧୮୩ ଜଣ ଠିକ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୦୧ଟି ନୂଆ ମାମଲା ଆସିଛି। ଏହା ଗୋଟିଏ ଦିନ ମଧ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି। ତେବେ ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଯେ, ଏହି ଆକ୍ରାନ୍ତର ମୋଟ ୩୦ ପ୍ରତିଶତ ଅର୍ଥାତ ୧୦୨୩ ଜଣ ତବଲିଗି ଜମାତ ସହିତ ଜଡ଼ିତ ରହିଛନ୍ତି।   ସଚିବ ଅଗ୍ରଓ୍ୱାଲ ଆହୁରି ମଧ୍ୟ କହିଛନ୍ତି କି, ନୂଆ ମାମଲା ଗୁଡିକ ବିଶେଷତଃ ତାମିଲନାଡ଼ୁ, ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ଆଣ୍ଡାମାନ ନିକୋବର, ଉତ୍ତରାଖଣ୍ଡ, ହିମାଚଳ, ଝାଡ଼ଖଣ୍ଡ, ଓଡ଼ିଶା ସହିତ ମୋଟ ୧୭ଟି ରାଜ୍ୟରୁ ଆସିଛି।  

ସେହିପରି ଗୃହମନ୍ତ୍ରଣାଳୟର ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି କି ତବଲିଗି ଜମାତରେ ସାମିଲ ପ୍ରାୟ ୨୨ ହଜାର ଲୋକମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ଦିଲ୍ଲୀର ନିଜମୁଦ୍ଦିନରେ ଥିବା ତବଲିଗି ଜମାତର ମରକଜରେ ସାମିଲ ହୋଇଥିବା ଲୋକମାନେ ଦେଶ ଓ ଦେଶବାହାରୁ ଥିଲେ। ସେହିପରି ରାଜ୍ୟସ୍ତରରେ ମଧ୍ୟ ଏମାନଙ୍କୁ ଖୋଜା ଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ଏମାନଙ୍କୁ ଖୋଜି କ୍ୱାରେଣ୍ଟାଇନ କରିବାକୁ ରାଜ୍ୟର ପ୍ରମୁଖ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  

ସେହିପରି ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ କହିଛି ଯେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକେ ବୟସ୍କ ରହିଛନ୍ତି। ସଚିବ ଲଭ ଅଗ୍ରଓ୍ୱାଲ ଆହୁରି ମଧ୍ୟ କହିଛନ୍ତି କି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ହେବା  ମାମଲାରେ ଭାରତ ବହୁ ପଛରେ ରହିଛି। ତେବେ ଚିକିତ୍ସାଧିନ ଥିବା ରୋଗୀଙ୍କ ମଧ୍ୟରୁ ୫୮ ରୋଗୀଙ୍କ ଅବସ୍ଥା ବେଶ ସଂକଟାପନ୍ନ ରହିଛି। ଏମାନେ ବିଶେଷ କରି କେରଳ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ବାସିନ୍ଦା ବୋଲି ସୂଚନା ଦେଇଥିଲେ।  

;