ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କାଉଣ୍ଟର ଆଟେକ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ।
Trending Photos
ପାଟନା: ବିହାରରେ ୫ ବିଧାନସଭା ଏବଂ ଗୋଟିଏ ଲୋକସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଆଜି ପ୍ରଚାରର ଶେଷ ଦିନ । ଅକ୍ଟୋବର ୨୧ରେ ପଡିବ ଭୋଟ । ତେବେ ଏଥିପାଇଁ ଦିନରାତି ଏକ କରି ପ୍ରଚାରରେ ମାତିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କାଉଣ୍ଟର ଆଟେକ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ।
ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ୪ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ବିଜେପି ନେତାଏ । ଅନ୍ୟପଟେ ମହାମେଣ୍ଟରେ ଏସବୁର ଟିକିଏ କମି ଦେଖିବାକୁ ମିଳିଛି । ଯାହାକୁ ନେଇ କଟାକ୍ଷ କରିଥିଲେ ସୁଶୀଲ ମୋଦି । କହିଥିଲେ, କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମହାମେଣ୍ଟ ନେତା ଗଲେ କୁଆଡେ ?
ତେବେ ଶୁକ୍ରବାର ସୁଶୀଲ ମୋଦିଙ୍କ ଏହି କଟାକ୍ଷର ଜବାବ ରଖିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ । ସମସ୍ତୀପୁର ଲୋକସଭାର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ସେ କହିଥିଲେ, ସ୍ଥାନୀୟ ପ୍ରାର୍ଥୀ ଅଶୋକ ରାମଙ୍କୁ ଏବେ ଆଶ୍ୱସ୍ତି ଅନୁଭବ କରିବାର ସମୟ । କାହିଁକିନା ଆରଜେଡି ନେତାଙ୍କ କର୍ମୀ ଏବେ ତାଙ୍କ ସହ ଅଛନ୍ତି ।
କହିରଖୁଛୁ, ଏହି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ଗୋଟିଏ ସଭାକୁ ସମ୍ବୋଧନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ବିଭିନ୍ନ ସ୍ଥାନରେ ରୋଡ ସୋ କରିଛନ୍ତି । ବିଜେପି ସହଯୋଗୀ ଜନଶକ୍ତି ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଳାସ ପାଶୱାନ ସ୍ୱାସ୍ଥଗତ କାରଣରୁ କେବଳ ଗୋଟିଏ ଦିନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସହ ମିଶି ପ୍ରଚାର କରିଥିଲେ ରାମବିଳାସ । ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ପ୍ରତେକ ନିର୍ବାଚନ ମଣ୍ଡଳୀରେ ଅନେକ ସଭାକୁ ସମ୍ବୋଧନ କରୁଛନ୍ତି । ଏହି ଉପନିର୍ବାଚନ ବିଭିନ୍ନ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡାହୋଇଛି ।
ସେପଟେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଜୋରସୋରରେ ଚାଲିଛି । ଆଜି ପ୍ରଚାରର ଶେଷଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ହରିୟାଣା ମହେନ୍ଦ୍ରଗଡରେ ପ୍ରଚାର କରିଥିଲେ ରାହୁଲ ଗାନ୍ଧୀ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଯୁବରାଜ । ପୂର୍ବରୁ ଏହି ନିର୍ବାଚନୀ ସଭାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବୋଧିତ କରିବାର ସ୍ଥିର ହୋଇଥିଲା । ହେଲେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ନିର୍ବାଚନୀ ସଭାକୁ ରାହୁଲ ସମ୍ବୋଧିତ କରିଥିଲେ ।
ଅନ୍ୟ ପରେ ଏଆଇଏମଆଇଏମ ମଧ୍ୟ ମହାରାଷ୍ଟ୍ରରେ ଜୋରସୋରରେ ପ୍ରଚାର କରୁଛି । ଦଳର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ତେବେ ଓୱେସୀଙ୍କ ପ୍ରଚାର ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନାଚୁଥିବାର ଦେଖିବାକୁ ମିଳିଛି । ନିର୍ବାଚନୀ ସଭାରେ ସମର୍ଥକଙ୍କ ସହ ନାଚିଥିଲେ ଓୱେସୀ ।
ଖବର ସରବୋରାହ ସଂସ୍ଥା ଏଏନଆଇ ମୁତାବକ ଭିଡିଓଟି ଔରଙ୍ଗାବାଦର । ଏଠାରେ ଥିବା ପଠାନ ଗେଟ ଅଞ୍ଚଳରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ କରିବା ଅବସରରେ ଡ୍ୟାନ୍ସ କରିଥିଲେ ଏଆଇଏମଆଇଏମ ମୁଖ୍ୟ ଓୱେସୀ ।