କେସିଆର ବି ମୁହଁ ମୋଡ଼ିଦେଲେ...

ପଞ୍ଚମ ରାଜ୍ୟ ଭାବେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିବ ତେଲେଙ୍ଗାନା

କେସିଆର ବି ମୁହଁ ମୋଡ଼ିଦେଲେ...
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ଆଇନକୁ ବିରୋଧ କରୁଛନ୍ତି । ପୂର୍ବରୁ ୪ ରାଜ୍ୟ ସିଏଏ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରିସାରିଥିବା ବେଳେ ଏବେ ସମାନ ରାସ୍ତା ଆପଣାଇବାକୁ ଯାଉଛି ତେଲେଙ୍ଗାନା । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏପରି କିଛି ନିଷ୍ପତ୍ତି ନେଇଛନ୍ତି । 

ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିବ ତେଲେଙ୍ଗାନା । ଏଭଳି ପ୍ରସ୍ତାବ ପାରିତ କରିବାରେ ତେଲେଙ୍ଗାନା ହେବ ପଞ୍ଚମ ରାଜ୍ୟ । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସିଏଏକୁ ପ୍ରତ୍ୟାହାର କରିନେବାକୁ କେସିଆର ଅପିଲ ମଧ୍ୟ କରିଛନ୍ତି । 

ରବିବାର କ୍ୟାବିନେଟ ବୈଠକ ପରେ ଜାରି ହୋଇଥିବା ବିବୃତିରେ କୁହାଯାଇଛି, ''ଧର୍ମ ଆଧାରରେ ନାଗରିକତା ନଦେବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରୁଛି । ଯଦି ନାଗରିକତା ଦିଆଯାଉଛି, ତେବେ ସମସ୍ତ ଧର୍ମର ଲୋକଙ୍କୁ ନାଗରିକତା ମିଳୁ ।'' ବୈଠକ ପରେ ଜଣେ ଅଧିକାରୀ କହିଛନ୍ତି, ସିଏଏ ସମ୍ବିଧାନର ଧର୍ମନିରପେକ୍ଷତାକୁ ବିପଦରେ ପକାଉଛି । 

ଏବେସୁଦ୍ଧା ସିଏଏ ବିରୋଧରେ ପ୍ରସ୍ତାବ ୪ ରାଜ୍ୟ ପାରିତ କରିଛନ୍ତି । ପୂର୍ବରୁ କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭାରେ ଏଭଳି ପ୍ରସ୍ତାବ ପାରିତ ହୋଇଥିବା ବେଳେ ଏବେ ତେଲେଙ୍ଗାନା ପଞ୍ଚମ ରାଜ୍ୟ ଭାବେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିବାକୁ ନିଷ୍ପତ୍ତି ନେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏଏକୁ ନେଇ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରୁଛନ୍ତି । 

ଆହୁରି ପଢ଼ନ୍ତୁ; ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ’ଣ ପାଇଁ ପିନ୍ଧନ୍ତି କଳା ଚଷମା ? ଜାଣନ୍ତୁ ଏହାର ରହସ୍ୟ