'ବଉଳମାଳା ପଥର' ସୁରକ୍ଷା ଚିନ୍ତା
Advertisement

'ବଉଳମାଳା ପଥର' ସୁରକ୍ଷା ଚିନ୍ତା

ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି । 

'ବଉଳମାଳା ପଥର' ସୁରକ୍ଷା ଚିନ୍ତା

ଖୋର୍ଦ୍ଧା: ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି । ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତର  ଭୋଗପୁର, ହାଡ଼ପତା ଓ ନରଣଗଡ଼ ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ବେଆଇନ ବଉଳମାଳା ପଥରଖଣି ଓ ପଥର କଟିଂ ୟୁନିଟ୍ ଉପରେ ଚଢାଉ କରାଯାଇଛି । ତେବେ ଏହି ଚଢାଉ ସମୟରେ ଗୋଟିଏ ପଥରଖଣିକୁ ସିଲ କରାଯିବା ସହ ୬ଟି ପଥର କଟିଂ ୟୁନିଟର ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଜବତ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଜଣେ ଡ଼ିଏସପି, ଜଣେ ଇନିସପେକ୍ଟରଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ଏହି ଚଢାଉରେ ନିୟୋଜିତ ହୋଇଥିଲେ ।

ଶ୍ରୀମନ୍ଦିର ପାଇଁ ଉଦ୍ଧିଷ୍ଟ ଥିବା ବଉଳମାଳା ପଥର ଦୀର୍ଘ ଦିନ ଧରି ହେଉଥିଲା ଲୁଟ୍ । ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ହାଡ଼ପଦା, ଭୋଗପୁରରେ ଥିବା ଜଗନ୍ନାଥଙ୍କ ଜମିରୁ ମୂଲ୍ୟବାନ ପଥର ହେଉଥିଲା ବିଦେଶ ଚାଲାଣ । ସ୍ଥାନୀୟ ସଂରକ୍ଷିତ ବଉଳମାଳା ପାହାଡ଼ରୁ ଚୋରି ହେଉଥିବା ଖବର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଚଢାଉ କରିଥିଲା । ଏହି ସମୟରେ ପୋଲିସ ସେଠାରୁ ୬ ପଥର କଟିଂ ୟୁନିଟ ସହ କୋଟି କୋଟି ଟଙ୍କାର ପଥର ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି । ମିଳିଥିବା ସୂଚନା ମୁତାବକ ବହୁ ଦିନ ଧରି ଏଠାରୁ ପଥର ଚୋର ଚାଲାଣ କରାଯାଉଥିଲା । ମାଫିଆ ମାନେ ଏଠାରୁ ପଥର ଉତୋଳନ କରି ରାଜ୍ୟ ତଥା ରାଜ୍ୟ ବାହାର ସହ ବିଦେଶକୁ ଚାଲାଣ କରୁଥିଲେ । ଆଗକୁ ଏହି ଚଡାଉ ଜାରି ରହିବ ବୋଲି ଖୋର୍ଦ୍ଧା ଡ଼ିଏସପି କହିଛନ୍ତି ।

ଅନ୍ୟପଟେ ପୂର୍ବରୁ ଏହି ସବୁ ପଥରଖଣି ଶ୍ରୀମନ୍ଦିର ପ୍ରଶାସନ ନିଲାମ କରୁଥିବା ବେଳେ, ଗତ କିଛିବର୍ଷ ଧରି ଏହା ବନ୍ଦ ରହିଛି । ପଥର କାରିଗରଙ୍କୁ କମ ଦାମରେ ଏହି ବଉଳମାଳା ପଥର ଯୋଗାଇ ଦେବା ଓ ହସ୍ତଶିଳ୍ପର ବଜାର ସୃଷ୍ଟି କରିବା ଲାଗି ସରକାର ୨୦୧୩ ମସିହାରେ ଉତ୍କଳିକାକୁ ଏକବର୍ଷ ପାଇଁ ଖଣିକୁ ଲିଜ ଆକାରରେ ଦେଇଥିଲେ । ତେବେ ଜୁଲାଇ ୨୦୧୪ରୁ ଏହି ଲିଜ ଅବଧି ଶେଷ ହୋଇଥିଲେ ମଧ୍ୟ ଏହାର ନବୀକରଣ ଆଜି ପର୍ଯ୍ୟନ୍ତ ହୋଇନାହିଁ । ଯାହା ଫଳରେ ଚୋରା ମାଫିଆମାନେ ଏହାର ବେଶ ଫାଇଦା ନେଉଛନ୍ତି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏସବୁ ଖଣିକୁ ନିଲାମ ଆକାରରେ ଦିଆଯିବ ବୋଲି ଖୋର୍ଦ୍ଧା ତହସିଲାଦାର କହିଛନ୍ତି ।

ବିଳମ୍ବରେ ହେଲେ ମଧ୍ୟ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । କିନ୍ତ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ସଂପତି ଏବେ ମଧ୍ୟ ମାଫିଆମାନଙ୍କ କବଜାରେ । ଆଉ ସେଥିପ୍ରତି ଏବେଠାରୁ ସଜାଗ ନହେଲେ, ଆଗାମୀ ଦିନରେ ମନ୍ଦିର ପାଇଁ ଉଦ୍ଧିଷ୍ଟ ଥିବା ବଉଳମାଳା ପଥର ଆଉ ମିଳିବ ନାହିଁ ।