ଭ୍ୟାଲିରେ ପଶିଛନ୍ତି ଆତଙ୍କବାଦୀ
Advertisement

ଭ୍ୟାଲିରେ ପଶିଛନ୍ତି ଆତଙ୍କବାଦୀ

ଜମ୍ମୁ ଓ କାଶ୍ମୀରର ଶାନ୍ତିକୁ ସହି ପାରୁନି ପଡ଼ୋଶୀ ପାକିସ୍ତାନ

ଅସ୍ଥିର କରିବାକୁ ଚକ୍ରାନ୍ତ କରୁଛନ୍ତି

ଭ୍ୟାଲିରେ ପଶିଛନ୍ତି ଆତଙ୍କବାଦୀ

ସୁନନ୍ଦନ ମିଶ୍ର, ଜମ୍ମୁ ଓ କାଶ୍ମୀର/ନୂଆଦିଲ୍ଲୀ : ଧାରା ୩୭୦ର ସ୍ୱତନ୍ତ୍ର ଅଧିକାର ଜମ୍ମୁ ଓ କାଶ୍ମୀରରୁ ହଟାଯିବା ପରେ ଭ୍ୟାଲିରେ ଧିରେ ଧିରେ ଶାନ୍ତି ଫେରୁଛି । କିନ୍ତୁ ସେଠାରେ ପ୍ରତିଷ୍ଠା ହେଉଥିବା ଏହି ଶାନ୍ତିକୁ ସହି ପାରୁନି ପଡ଼ୋଶୀ ପାକିସ୍ତାନ । ଏଥିପାଇଁ ପାକିସ୍ତାନ ଦ୍ୱାରା ପରିଚାଳିତ ଆତଙ୍କବାଦୀ ସଂଗଠନ ଏବେ ଜମ୍ମୁ ଓ କାଶ୍ମୀରକୁ ଅସ୍ଥିର କରିବାକୁ ଚକ୍ରାନ୍ତ କରୁଛନ୍ତି । ଆତଙ୍କବାଦୀମାନେ ଭ୍ୟାଲିରେ ଏକ ବଡ଼ ଧରଣର କାଣ୍ଡ ଭିଆଇବା ପାଇଁ ଷଡ଼ଯନ୍ତ୍ର କରୁଥିବାର ଗୁଇନ୍ଦା ତଥ୍ୟ ଜମ୍ମୁ ଓ କାଶ୍ମୀର ପୋଲିସ ହାତରେ ଲାଗିଛି । ଯାହାର ଖୁଲାସା କରିଛନ୍ତି ଖୋଦ୍ ସେଠାକାର ପୋଲିସ ମହାନିର୍ଦ୍ଦେଶକ ।

ଏବେ ଭ୍ୟାଲିରେ ପ୍ରାୟ ୨୦୦ ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଥିବା ଗୁଇନ୍ଦା ତଥ୍ୟ ପୋଲିସ ହାତରେ ଲାଗିଛି । ଏମାନେ ଅନୁପ୍ରବେଶକାରୀଙ୍କୁ ସହଯୋଗ କରିବା ସହ ଘାଟିରେ ଅଶାନ୍ତିର ପରିବେଶ ସଷ୍ଟି କରିବାକୁ ଉଦ୍ୟମ ଜାରି ରଖିଥିବା ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂହ କହିଛନ୍ତି । ଉରୀ, ରଜୌରୀ ଓ ପୁଞ୍ଛ ସମେତ ବିଭିନ୍ନ ସ୍ଥାନରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନୀ ସେନା । ଯାହାର କାରଣ ନେଇ ମଧ୍ୟ ମଧ୍ୟ ବଡ଼ ଖୁଲାସା କରିଛନ୍ତି ଡିଜିପି । ଜାଣିଶୁଣି ସେନା ଓ ପୋଲିସର ଧ୍ୟାନ ଅସ୍ତ୍ରବିରତି ଉଲଙ୍ଘନ ଉପରେ ରଖି, ପଛ ପଟେ ଅନୁପ୍ରବେଶକାରୀଙ୍କୁ କାଶ୍ମୀରରେ ଭର୍ତ୍ତି କରିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ କହିଛନ୍ତି । ଯେଉଁଥିରୁ ସ୍ପଷ୍ଟ ହେଉଛି କି ପାକିସ୍ତାନୀ ସେନା ମଧ୍ୟ ଏ ଆତଙ୍କବାଦୀଙ୍କ ସହ ମିଶି କାଶ୍ମୀର ଭ୍ୟାଲିକୁ ଅଶାନ୍ତ କରିବାକୁ ଚେଷ୍ଟା ଚଳାଇଛି । 

ସେପଟେ ରାଜଧାନୀ ଦିଲ୍ଲୀ ସମେତ ଦେଶର ୩୦ଟି ବଡ଼ ସହରରେ ମଧ୍ୟ ଆତଙ୍କବାଦୀ ହମଲା ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି । ଯାହା ପରେ ଏବେ ଦିଲ୍ଲୀକୁ ରେଡ୍ ଆଲର୍ଟରେ ରଖାଯିବା ସହ ଅନ୍ୟ ସହରମାନଙ୍କରେ ମଧ୍ୟ ଚେକିଂ ଜୋରସୋରରେ ଚାଲିଛି । ସପିଂ ମଲ୍, ରେଲୱେ ଷ୍ଟେସନ୍, ପୂଜା ମଣ୍ଡପ, ଭିଡ଼ଭାଡ଼ ଜାଗା, କେଉଁଠି ବି ଆକ୍ରମଣ ହୋଇପାରେ । ଗୁଇନ୍ଦା ସୂଚନା ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପଶି ସାରିଛନ୍ତି ୪ ଆତଙ୍କବାଦୀ । ଦିଲ୍ଲୀରେ ଜୈଶ-ଏ-ମହମ୍ମଦର ଆତ୍ମଘାତୀ ବମ୍ବର୍ସଙ୍କ ଏକ ଗ୍ରୁପ ପଶି ସାରିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଯାହା ଦିଲ୍ଲୀ ପୋଲିସଠାରୁ ଆରମ୍ଭ କରି, ସୁରକ୍ଷା ଏଜେନ୍ସିଗୁଡ଼ିକର ନିଦ ହଜାଇ ଦେଇଛି । ଗତ ବୁଧବାରଠାରୁ ଦିଲ୍ଲୀ ରେଡ୍ ଆଲର୍ଟରେ ରହିଛି । 

ଦିଲ୍ଲୀର ହୃଦୟ କୁହାଯାଉଥିବା କନୌଟ୍ ପ୍ଲେସରେ ସୁରକ୍ଷା କଡ଼ାକଡ଼ି କରିଦିଆଯାଇଛି । ସଡ଼କର ଚପ୍ପା ଚପ୍ପା ପହରା ଦେଉଛି ପୋଲିସ୍ । ସୁରକ୍ଷା ବନ୍ଦୋବସ୍ତ ପାଇଁ ଡଗ୍ ସ୍କ୍ୱାର୍ଡର ବି ସାହାଯ୍ୟ ନିଆଯାଉଛି । ଜାଗା ଜାଗାରେ ଗାଡ଼ିଗୁଡ଼ିକର ଚେକିଂ ଚାଲିଛି । ଖାସ୍ କରି ସବୁ ବସର ଚେକିଂ ପାଇଁ ଦିନରାତି ଏକ କରିଛି ରାଜଧାନୀର ପୋଲିସ । ଏଠି ଭାରତୀୟ ଗୁଇନ୍ଦା ବିଭାଗ, ଆତଙ୍କବାଦୀ ଆକ୍ରମଣ ପାଇଁ ଏ ପ୍ଲସ କାଟାଗୋରୀରର ଆଲର୍ଟ ଜାରି କରିଛି । ଏହି କାଟାଗୋରୀର ଆଲର୍ଟ ଏକ୍ସଟ୍ରିମଲି କ୍ରେଡିବଲ୍ ବା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ମନେ କରାଯାଏ ।  ISI ମାନବବୋମା କିମ୍ବା ବିସ୍ଫୋରକ ରଖାଯାଇଥିବା ବାହନ ଜରିଆରେ ଏକ ଭୟଙ୍କର ବ୍ଲାଷ୍ଟ କରିପାରେ । ଭାରତର ପାଖାପାଖି ୩୦ ସହର ଏବେ ଜୈଶର ଟାର୍ଗେଟରେ ରହିଛି । କେବଳ ଏତିକି ନୁହଁ, ଏହି ଆତଙ୍କୀଙ୍କ ନିଶାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ବି ରହିଛନ୍ତି ।