କୋରୋନା କବଳରୁ ବର୍ତ୍ତିଛି ଏକ ମାତ୍ର ମହାଦେଶ ଆଣ୍ଟାର୍କଟିକା
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କୋରୋନା ଚିନ୍ତା। ଏଥିରୁ ବର୍ତ୍ତିବା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଏକତ୍ରିତ ହୋଇ ଲଢୁଛି। ବିଶ୍ୱର ୨୦୩ଟି ରାଷ୍ଟ୍ରରେ ଏହି କୋରୋନା ଭୂତାଣୁ ପହଞ୍ଚି ସାରିଛି। ଏପରିକି ଭାରତର ପ୍ରାୟତଃ ସବୁ ରାଜ୍ୟରେ ପ୍ରବେଶ କରିସାରିଛି ଏହି ଭୂତାଣୁ। ମାତ୍ର ବିଶ୍ୱର ଏଭଳି କିଛି ସ୍ଥାନ ରହିଛି, ଯାହା କୋରୋନା ପାଇଁ ଅପହଞ୍ଚ ପାଲଟିଛି। ଉକ୍ତ ସ୍ଥାନ ଗୁଡ଼ିକରେ ଆଜି ମଧ୍ୟ ଗୋଟିଏ ହେଲେ କୋରୋନା ଭୂତାଣୁ ଦେଖିବାକୁ ମିଳିନାହିଁ।
ଏହି ସ୍ଥାନ ଗୁଡ଼ିକ ମଧ୍ୟରେ ପଲାଉ ଦ୍ୱୀପ ଗୋଟିଏ। ୧୮ ହଜାର ଜନବହୁଳ ବିଶିଷ୍ଟ ଏହି ରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ବି କୋଭିଡ଼-୧୯ ବା କୋରୋନା ଆକ୍ରାନ୍ତ ଦେଖିବାକୁ ମିଳିନାହିଁ। ଏହି ରାଷ୍ଟ୍ରଟି ପ୍ରଶାନ୍ତ ମହାସାଗର ଉପକୂଳରେ ରହିଛି। ସେହିପରି ଅନ୍ୟ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ମାର୍ଶାଲ ଦ୍ୱୀପ, ଟୋଙ୍ଗା ରାଷ୍ଟ୍ର, ସୋଲୋମନ ଦ୍ୱୀପ ଓ ମାଇକ୍ରୋନେସିଆ ଅଞ୍ଚଳରେ କୋରୋନାରୁ ମୁକ୍ତ ରହିଛି। ବିଶେଷ ଭାବେ ଏହି ଅଞ୍ଚଳର ଲୋକମାନଙ୍କୁ ବିଦେଶ ଯାତ୍ରା ଉପରେ କଟକଣା ରହିଥିବାରୁ କୋରୋନା ବ୍ୟାପିବାରେ ବାଧା ଉପୁଜିଛି ବୋଲି ଜଣାଯାଏ।
ସେହିପରି ସାମୋଆ, ତୁର୍କିମେନିସ୍ତାନ, ଆଣ୍ଟାର୍କଟିକାର ହିମବାହ ଅଞ୍ଚଳ ଗୁଡ଼ିକରେ ମଧ୍ୟ କୋରୋନାର କୌଣସି ଆକ୍ରାନ୍ତଙ୍କୁ ଠାବ କରାଯାଇନାହିଁ। କୋରୋନା ସଂକ୍ରମଣରୁ ଏହି ଅଞ୍ଚଳ ଗୁଡ଼ିକ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି। ତେବେ କୋରୋନାର ପ୍ରଭାବ ଏଠାରେ ପରୋକ୍ଷରେ ପଡ଼ିଥିବା ଦେଖିବାକୁ ମିଳିଛି। କୋରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବା ବେଳେ ଏଠାରେ ମଧ୍ୟ ଅର୍ଥନୀତି ପ୍ରଭାବିତ ହୋଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଏହି ସବୁ ଅଞ୍ଚଳକୁ ବିମାନ ଚଳାଚଳ ବନ୍ଦ ରହିଛି। ଏପରିକି ଜାହାଜ ଚଳାଚଳ ମଧ୍ୟ ବନ୍ଦ ରହିଛି। ଖାଦ୍ୟ ସାମଗ୍ରୀ ପରିବହନରେ ମଧ୍ୟ ବାଧା ଉପୁଜିଛି। ଏପରିକି ପର୍ଯ୍ୟଟନ ଶିଳ୍ପ ମଧ୍ୟ ବେଶ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦ କହିଛନ୍ତି। ସେପଟେ ଆଣ୍ଟାର୍କଟିକା ଏକମାତ୍ର ମହାଦେଶ ଭାବେ କୋରୋନା ସଂକ୍ରମଣରୁ ବର୍ତ୍ତିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଓ୍ୱାର୍ଲଡମିଟର ଅନୁଯାୟୀ ୨୦୩ଟି ରାଷ୍ଟ୍ରକୁ କୋରୋନା ଭୂତାଣୁ ବ୍ୟାପିଛି। ମୋଟ ୮,୭୬,୩୪୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୩,୫୨୨ ଲୋକଙ୍କ ମୃତ୍ୟୁ ହୋଇଛି। ସେହିଭଳି ଭାରତରେ ୪୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ହୋଇଥିବା ବେଳେ ୧୬ ଶହରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି।