ଜମ୍ମୁ କାଶ୍ମୀର ଗସ୍ତରେ ୟୁରୋପିଆନ ୟୁନିୟନର ୨୭ ସାଂସଦ । ଧାରା ୩୭୦ର ଉଚ୍ଛେଦ ପରେ ସ୍ଥିତି କିଭଳି ରହିଛି, ତାହା ଅତି ନିକଟରୁ ଅନୁଧ୍ୟାନ କରିବେ ଏହି ପ୍ରତିନିଧି ଦଳ ।
Trending Photos
ନୂଆଦିଲ୍ଲୀ: ଆଜି ଜମ୍ମୁ କାଶ୍ମୀର ଗସ୍ତରେ ୟୁରୋପିଆନ ୟୁନିୟନର ୨୭ ସାଂସଦ । ଧାରା ୩୭୦ର ଉଚ୍ଛେଦ ପରେ ସ୍ଥିତି କିଭଳି ରହିଛି, ତାହା ଅତି ନିକଟରୁ ଅନୁଧ୍ୟାନ କରିବେ ଏହି ପ୍ରତିନିଧି ଦଳ । ଏମାନଙ୍କୁ କାଶ୍ମୀର ଯିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । କିଛି ସମୟ ପୂର୍ବରୁ ନିଜ ହୋଟେଲରୁ ଇନ୍ଦିରାଗାନ୍ଧୀ ବିମାନ ବନ୍ଦର ଅଭିମୁଖେ ବାହାରି ସାରିଥିବା ଜଣାପଡିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁସାରେ, ଆଜି ଏହି ପ୍ରତିନିଧି ଦଳ ସକାଳ ୧୦.୧୫ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିବେ । ୧୧.୧୫ରେ ଶ୍ରୀନଗରରେ ପହଞ୍ଚିବେ । ଗସ୍ତ ଅବସରରେ ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ, ରାଜ୍ୟପାଳଙ୍କ ସମେତ ସାଧାରଣ ଲୋକଙ୍କୁ ସାକ୍ଷାତ କରିବେ । କାଶ୍ମୀର ସ୍ଥିତିକୁ ଅତି ପାଖରୁ ପରଖିବେ । ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ରାତ୍ରି ଭୋଜନର ଆୟୋଜନ ମଧ୍ୟ କରିଛନ୍ତି ।
Delhi: The delegation of European Union (EU) MPs scheduled to visit Kashmir today, leave for Delhi Airport from their hotel. https://t.co/4R4Jln89Bg pic.twitter.com/PPt5kJCx13
— ANI (@ANI) October 29, 2019
ସୋମବାର ଏହି ପ୍ରତିନିଧି ଦଳ ନୂଆଦିଲ୍ଲୀରେ ପହଞ୍ଚିଥିଲେ । କାଶ୍ମୀର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧି ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିଥିଲେ । କାଶ୍ମୀରରେ ଆତଙ୍କବାଦର ବିନାଶ ପାଇଁ ଏପରି ପଦକ୍ଷେପ ନିଆଯିବା ସହ ଆଗକୁ ଆତଙ୍କବାଦ ସହ ମୁକାବିଲା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀର ଆସୁଛନ୍ତି ଆନ୍ତର୍ଜାତିକ ଦଳ । ଭାରତରେ ଆତଙ୍କବାଦ ସ୍ଥିତି ପ୍ରସଙ୍ଗରେ ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭୋଲ ।
ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳୀର ପ୍ରଥମ କାଶ୍ମୀର ଗସ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧିଙ୍କ ଆଲୋଚନା ବିଶ୍ୱକୁ ଭାରତ ସମ୍ପର୍କରେ ନୂଆ ସନ୍ଦେଶ ଦେବାରେ ସମର୍ଥ ହୋଇପାରିବ ବୋଲି କୁଟନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ବିଦେଶରେ ଏବେ ବି ଭାରତ ସମ୍ପର୍କରେ ଅନେକ ଭୁଲ ପ୍ରଚାର କରାଯାଉଛି । ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧିଙ୍କ ଆଲୋଚନା ବିଦେଶୀଙ୍କ ସନ୍ଦେହ ଦୂର କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।
ସେପଟେ ୟୁରୋପିଆନ ସାଂସଦଙ୍କ ଗସ୍ତ ପୂର୍ବରୁ ସୋମବାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ପ୍ରଥମେ ସେନା ଓ ପୋଲିସ ପରେ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । ଜମ୍ମୁ କାଶ୍ମୀରର ସୋପର ବଜାରରେ ଗ୍ରେନେଡ ମାଡ଼ କରିଛନ୍ତି ଆତଙ୍କବାଦୀ । ଏଥିରେ ୧୯ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡ଼ିଛି ।
ଜନଗହଳିପୂର୍ଣ୍ଣ ସୋପର ବସଷ୍ଟାଣ୍ଡ ଉପରେ ଗ୍ରେନେଡ ମାଡ଼ କରିଥିଲେ ଆତଙ୍କବାଦୀ । ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଯୋଗୁଁ କାଶ୍ମୀରର ସେଓ ବ୍ୟବସାୟୀଙ୍କ ସମସ୍ୟା ମଧ୍ୟ ବଢ଼ୁଛି । ସୁରକ୍ଷା ଯୋଗାଇ ଦେବାକୁ ଜମ୍ମୁ କାଶ୍ମୀର ଚାଷୀଙ୍କ ସହ ବାହାର ରାଜ୍ୟର ବ୍ୟବସାୟୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସୋପିଆନରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଗତ ୧୫ ଦିନ ମଧ୍ୟରେ ୩ ଥର ବ୍ୟବସାୟୀଙ୍କୁ ଟାର୍ଗେଟ କରିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ରାଜସ୍ଥାନର ବ୍ୟବସାୟୀ ସାମିଲ ଅଛନ୍ତି । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଶତାଧିକ ବ୍ୟବସାୟୀ କାଶ୍ମୀରରୁ ଫେରିଯାଇଛନ୍ତି । ସରକାରଙ୍କ ପକ୍ଷରୁ ୩ ହିଜିବୁଲ ଆତଙ୍କବାଦୀଙ୍କ ନାମରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।