close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ମହା' ନାଟକ: ସରିଛି ଯେତେ, ଆଗକୁ ସେତେ !

ଲମ୍ବା ସ୍କ୍ରିପ୍ଟ । ସରିବାର ନାଁ ଧରୁନି ମହାରାଷ୍ଟ୍ର ନାଟକ । କଂଗ୍ରେସକୁ ଛାଡି ଅନ୍ୟ ୩ ଦଳ ଅର୍ଥାତ ବିଜେପି, ଶିବସେନା ଓ ଏନସିପି ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇ ଯାଉଛନ୍ତି ।

'ମହା' ନାଟକ: ସରିଛି ଯେତେ, ଆଗକୁ ସେତେ !
ଫାଇଲ ଫଟୋ

ନୂଆଦିଲ୍ଲୀ: ଲମ୍ବା ସ୍କ୍ରିପ୍ଟ । ସରିବାର ନାଁ ଧରୁନି ମହାରାଷ୍ଟ୍ର ନାଟକ । କଂଗ୍ରେସକୁ ଛାଡି ଅନ୍ୟ ୩ ଦଳ ଅର୍ଥାତ ବିଜେପି, ଶିବସେନା ଓ ଏନସିପି ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇ ଯାଉଛନ୍ତି । ବିଧାନସଭା କାର୍ଯ୍ୟକାଳ ସରିଗଲା । ହେଲେ ପରବର୍ତ୍ତୀ ସରକାର ହୋଇପାରିନାହିଁ । ଆଉ ଏହାରି ଭିତରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । ୧୧ ତାରିଖ ଅର୍ଥାତ୍ ସୋମବାର ସୁଦ୍ଧା ଡେଡଲାଇନ୍ ଦେଇଛନ୍ତି ରାଜ୍ୟପାଳ । 

ରବିବାର ଅର୍ଥାତ୍ ଆଜି ବିଜେପିର କୋର୍ କମିଟି ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ଏବଂ ସରକାର ଗଠନ ପାଇଁ ସବୁ ପ୍ରକାର ଉଦ୍ୟମ କରିବ ଭାରତୀୟ ଜନତା ପାର୍ଟି । ମହାରାଷ୍ଟ୍ରରେ ପୁଣି ଥରେ ସରକାର ଗଠନକୁ କେବେ ବି ହାତଛଡ଼ା କରିବାକୁ ଚାହିଁବନି ବିଜେପି । ହେଲେ ରାସ୍ତା କ'ଣ ? କେମିତି ଯୋଗାଡ ହେବ ସଂଖ୍ୟା ? ୮/୧୦ ସ୍ୱାଧୀନ ବିଧାୟକଙ୍କୁ ଗୋଟାଏ ଆଣିବା ଆଉ ମ୍ୟାଜିକ ନମ୍ବର ଛୁଇଁବା ଭିତରେ ବଡ ତଫାତ ଦେଖାଯାଉଛି । ଏସବୁ ସତ୍ତ୍ୱେ ସୋମବାର ସୁଦ୍ଧା ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବାର ଆଶା କରାଯାଇପାରେ । 

ଦୀର୍ଘଦିନର ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଏବେ ଦୂରତା ବଢ଼ିବାରେ ଲାଗିଛି ।  ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜିଦରେ ଅଟଳ ଥିବା ଶିବସେନା, ବିଜେପିକୁ ନାକେଦମ୍ କଲାଣି । ତେଣୁ ଏଯାଏ ସରକାର ଗଠନ ନେଇ ବିଳମ୍ବ ହୋଇଛି । ଏନସିପି ଓ କଂଗ୍ରେସ ସହ ଜୋରଦାର ଆଲୋଚନା କରୁଛି ଶିବସେନା । ସେମାନଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରଖିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋଦ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସ ଗଣମାଧ୍ୟମ ଆଗରେ ପରସ୍ପର ମୁହାଁମୁହିଁ ହେଲେଣି । ତେଣୁ ବିଜେପି-ଶିବସେନା ଭିତରେ ପୁରୁଣା ଦୋସ୍ତି ଫେରି ଆସିବାର ସମ୍ଭାବନା କମ୍ । ଅବଶ୍ୟ ଯଦି ଶିବସେନା ସର୍ତ୍ତରେ ବିଜେପି ରାଜି ହୋଇଯାଏ, ଅସମ୍ଭବ ନୁହେଁ । 

ଏପଟେ ନା ନା କରୁଥିବା ଏନସିପି ସୁପ୍ରିମୋ ଶେଷରେ ଶିବସେନାର ସାଥ୍ ଦେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆସନ୍ତା ୧୨ ତାରିଖରେ ଏନସିପି ବିଧାୟକ ଦଳ ବୈଠକରେ ଏନେଇ ବିଷଦ ଆଲୋଚନା କରାଯିବ ବୋଲି ଏସସିପି ନେତା ନୱାବ ମଲିକ କହିସାରିଛନ୍ତି । ଏହି ବୈଠକରେ ଦଳର ମୁଖ୍ୟ ଶରଦ ପାୱାର ମଧ୍ୟ ସାମିଲ ହେବେ । ଏଭଳି ହେଲେ କଂଗ୍ରେସ ମଧ୍ୟ ଏଥିରେ ସାମିଲ୍ ହୋଇପାରେ । କାହିଁକିନା କଂଗ୍ରେସର ମିଶନ, ବିଜେପିକୁ ଚକମା ଦେବା । ତେଣୁ ଉଭୟ ଏନସିପି ଓ କଂଗ୍ରେସର ସମର୍ଥନ ମିଳିଲେ ଶେଷରେ ସରକାର ଗଠନ ପାଇଁ ଦାବି ରଖିବ ଶିବସେନା ।

ମହାରାଷ୍ଟ୍ର ବିଧାନସଭାରେ ୨୮୮ ଆସନ ମଧ୍ୟରୁ ବିଜେପି ୧୦୫ ଆସନରେ ଜିତିଛି । ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ସିଟ୍ ଦଖଲ କରିଛନ୍ତି । ତେବେ, ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୧୪୫ ଯାହା କୌଣସି ଦଳ ପାଖରେ ନାହିଁ । ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିବାରୁ ସରକାର ଗଠନ ପାଇଁ ମୁଖ୍ୟ ଦାବିଦାର । ହେଲେ ସରକାର ଗଠନ ପାଇଁ ଦଳକୁ ଆହୁରି ଅତିକମରେ ୪୦ ବିଧାୟକଙ୍କ ସମର୍ଥନର ଆବଶ୍ୟକ । ଏବେ ଦେଖିବାର ସମୟ, ମହାରାଷ୍ଟ୍ର ନାଟକ କେଉଁ ମୋଡ ନେଉଛି ।