ସୁରତ ଫେରନ୍ତାଙ୍କ ହରକତ ଦେଖି ଚେଇଁ ଉଠିଲା ବୌଦ୍ଧ ପ୍ରଶାସନ
Trending Photos
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଜିଲ୍ଲାକୁ ଧସେଇ ପଶିବାକୁ ବସିଥିଲା କିଲର କୋରୋନା । ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ବିପତ୍ତି ମାଡ଼ି ଆସିବାର ଆଶଙ୍କା ସୃଷ୍ଟି ହୋଇଥିଲା । ଲୋକେ ସିନା ନିୟମ ମାନି ଘରେ ରହୁଛନ୍ତି, ହେଲେ ସୁରତ ଫେରନ୍ତା ଗଞ୍ଜାମ ଲୋକ ବୌଦ୍ଧ ଜିଲ୍ଲାବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ । ବୌଦ୍ଧ ସୀମା ଦେଇ ଏମାନେ କେବଳ ଅତିକ୍ରମ କରୁନଥିଲେ, ରାସ୍ତାଘାଟରେ ନାନାଦି ହରକତ ମଧ୍ୟ କରୁଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ବୌଦ୍ଧ ପୋଲିସ ହାତ ଗଣତି କିଛି ସୁରତ ଫେରନ୍ତା ବସକୁ ଏସକଟ କରି ନେଇଥିବା ବେଳେ ଅନେକ ବସ୍ ସମ୍ପର୍କରେ କୌଣସି ସୂଚନା ମଧ୍ୟ ପାଉନଥିଲା । ଯାହାଫଳରେ ସୁରତ ଫେରନ୍ତାଙ୍କୁ ସାବଧାନତାର ସହ ଜିଲ୍ଲା ସୀମା ପାର କରାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି । ହେଲେ ଶେଷରେ ଚେଇଁଛି ବୌଦ୍ଧ ପ୍ରଶାସନ । ଜିଲ୍ଲାର ଏଣ୍ଟ୍ରି ପଏଣ୍ଟ ମନମୁଣ୍ଡା ଛକରେ ହୋଇଛି ଅସ୍ଥାୟୀ ପୋଲିସ ଚେକ ପୋଷ୍ଟ । ଏବେ ବୌଦ୍ଧ ପୋଲିସର ବିନା ଅନୁମତିରେ ଜିଲ୍ଲାସୀମା ମାଡ଼ି ପାରିବେନି ସୁରତ ଫେରନ୍ତା । ସୁରତ ଫେରନ୍ତା ଆସୁଥିବା ସବୁ ବସ୍ ଗୁଡ଼ିକର ଗୋଟି ଗୋଟି କରି ହିସାବ ରଖୁଛି ବୌଦ୍ଧ ପୋଲିସ । ଆହୁରି ମଧ୍ୟ ସେମାନଙ୍କୁ ଶୃଙ୍ଖଳିକ ଭାବରେ ଜିଲ୍ଲାସୀମା ପାର କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାସ୍ତାଘାଟରେ ଯେପରି ସୁରତ ଫେରନ୍ତା ଓହ୍ଲାଇ କୋରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ନକରିବେ, ସେନେଇ ମଧ୍ୟ କଡ଼ା ତାଗିତ କରାଯାଉଛି ।
ଯାହା ଜଣାପଡ଼ିଛି, ୨୫୦ରୁ ଅଧିକ ବସ୍ ଜିଲ୍ଲାସୀମା ଦେଇ ଅତିକ୍ରମ କଲାଣି । ହେଲେ ଏସବୁ ବସରେ ଯିବା ଆସିବା ନେଇ ପୋଲିସ୍ ପାଖରେ ଯେମିତି କୌଣସି ସୂଚନା ନଥିଲା । ଜିଲ୍ଲାସୀମା ଦେଇ ଗଞ୍ଜାମ ଫେରୁଥିବା ସୁରତ ଫେରନ୍ତା ରାସ୍ତାଘାଟରେ ଓହ୍ଲାଇ ଖୁଲମଖୁଲା ଚଳପ୍ରଚଳ କରୁଥିଲେ । ଜଳଗହଳିପୂର୍ଣ୍ଣ ସ୍ଥାନ ନୂଆପଡ଼ା ଛକରେ ୨ଟି ବସ୍ ୨ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିବା ଘଟଣା ଜିଲ୍ଲାବାସୀଙ୍କୁ ଆନ୍ଦୋଳିତ କରିଥିଲା । କାହିଁକିନା ଏହି ସମୟରେ ବସରୁ ଓହ୍ଲାଇ ଯାତ୍ରାମାନେ ଜଲଗହଳୀପୂର୍ଣ୍ଣ ସ୍ଥାନରେ ଚଳପ୍ରଚଳ କରୁଥିଲେ । ଯେତେବେଳେ ସମଗ୍ର ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି, ସେସମୟରେ ଏପରି ଘଟଣା କେତେ ବଡ଼ ଭୁଲ ଆପଣ ଭଳଭାବେ ବୁଝିପାରୁଥିବେ ।
କେବଳ ବୀରନରସିଂହପୁର ପଞ୍ଚାୟତର ନୂଆପଡ଼ାରେ ବସ୍ ଅଟକିଥିଲା ତାହା ନୁହେଁ, ଅନେକ ବସ୍ ହରଭଙ୍ଗା ବ୍ଲକର ଆଡେଣୀଗଡ଼, ଚାରିଛକ, ପୁରୁଣାକଟକ, ଚମ୍ପାପୁର, ବୌଦ୍ଧ ବ୍ଲକର ବୌଦ୍ଧ ସହର, ବାଉଁଶୁଣୀ, ମନମୁଣ୍ଡା ଆଦି ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିବା ଘଟଣା ଜଣାପଡ଼ିଥିଲା । ଆଉ ସମୟରେ ଯାତ୍ରୀମାନେ ବସରୁ ଓହ୍ଲାଇ ଚଳପ୍ରଚଳ ମଧ୍ୟ କରୁଥିଲେ । ଫଳରେ କୋରୋନା ସଂକ୍ରମଣର ଆଶଙ୍କା ବଢ଼ିଥିଲା । ଜିଲ୍ଲା ପ୍ରଶାସନର ଅବହେଳା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୌଦ୍ଧବାସୀ । ଆଉ ଏହାପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି ।
ରାଜ୍ୟ ବାହାରୁ ସ୍ୱତନ୍ତ୍ର ବସ୍ ଜରିଆରେ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ପଶ୍ଚିମ ଓଡିଶାର ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲା ଦେଇ ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି । ତେବେ କନ୍ଧମାଳର କଳିଙ୍ଗା ଘାଟିରେ ବାରମ୍ବାର ବସ ଦୁର୍ଘଟଣା ଘଟିବା ପରେ ଏବେ ବସ୍ ରୁଟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ବୌଦ୍ଧ ଜିଲ୍ଲାର ମାଧପୁର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଦେଇ ଗଞ୍ଜାମ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ବସ୍ ଗୁଡିକୁ ବୌଦ୍ଧ ଜିଲ୍ଲାର ଏଣ୍ଟ୍ରିପଏଣ୍ଟ ମନମୁଣ୍ଡା ଏବଂ ଚାରିଛକରେ ପଞ୍ଜିକରଣ କରାଯାଉଛି । ରେଜିଷ୍ଟରରେ ବସ୍ ନମ୍ବର ଲେଖିବା ସହ ଅତି ସାବଧାନତାର ସହ ଛଡ଼ାଯାଉଥିବା ବୌଦ୍ଧ ଏସପି କହିଛନ୍ତି । ତେବେ ଗତକାଲି ରାତି ୧୨ ଟାରୁ ସକାଳ ୯ ଟା ଭିତରେ ୧୭ ଟା ବସ୍ ଯାଇଥିବା ବେଳେ ପୂର୍ବରୁ ଗୋଟିଏ ଦିନରେ ୪୭ଟି ବସ୍ ବୌଦ୍ଧ ଜିଲ୍ଲା ଦେଇ ଅତିକ୍ରମ କରିଛି । ବୌଦ୍ଧ ଏସପି ଏନେଇ ସୂଚନା ଦେଇଛନ୍ତି ।