ସାରା ବିଶ୍ୱ ଶୁଣିଲା କାଶ୍ମୀର ପଣ୍ଡିତଙ୍କ କରୁଣ କାହାଣୀ

ଅଙ୍ଗେ ନିଭା ଦୁଃଖ ବଖାଣିଲେ କାଶ୍ମୀର କନ୍ୟା ସୁନନ୍ଦା ବଶିଷ୍ଠ

ସାରା ବିଶ୍ୱ ଶୁଣିଲା କାଶ୍ମୀର ପଣ୍ଡିତଙ୍କ କରୁଣ କାହାଣୀ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ରଞ୍ଜନ ପରିଡ଼ା, ଭୁବନେଶ୍ୱର: ଆମେରିକା କଂଗ୍ରେସରେ କାଶ୍ମୀର ମାନବାଧିକାର ପ୍ରସଙ୍ଗ ଉପରେ ଚାଲିଥିବା ଶୁଣାଣିରେ କାଶ୍ମୀର ପଣ୍ଡିତଙ୍କ ଦୁଃଖ ବଖାଣିଛନ୍ତି ସ୍ତମ୍ବକାର ସୁନନ୍ଦା ବଶିଷ୍ଠ । ୩୦ ବର୍ଷ ପୂର୍ବରୁ ସହିଥିବା ଅତ୍ୟାଚାରର କାହାଣୀ କହିବା ସହ ମାନଜଜାତିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି କାଶ୍ମୀର କନ୍ୟା ସୁନନ୍ଦା । କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଆଇଏସଆଇଏସର କ୍ରୁରତା ସହ ତୁଳନା କରିଛନ୍ତି ସୁନନ୍ଦା । କାଶ୍ମୀର ମାଟିରୁ ୪ ଲକ୍ଷ ହିନ୍ଦୁଙ୍କୁ ବିତାଡିତ କରିବାବେଳେ କାହିଁକି ମାନବାଧିକାର କଥା ଉଠିନଥିଲା ବୋଲି ସାରା ବିଶ୍ୱକୁ ସେ ପ୍ରଶ୍ନ କରିଛନ୍ତି । ଆମେରିକା ସଂସଦର ମାନବାଧିକାର ଶୁଣାଣିରେ ଅଂଶ ଗ୍ରହଣ କରି ୩୦ ବର୍ଷ ପୂର୍ବରୁ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର କାହାଣୀ ଉପସ୍ଥାପନ କରିଛନ୍ତି ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ । ଗୁରୁବାର ଆମେରିକା ସଂସଦରେ ଜମ୍ମୁ-କାଶ୍ମୀରର ମାନବାଧିକାର ସ୍ଥିତି ଉପରେ ଶୁଣାଣି ହୋଇଛି । ଯେଉଁଥିଲେ ଭାରତ ପକ୍ଷ ରଖିଥିଲେ ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ । ୯୦ ଦଶକରେ କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ସାରା ବିଶ୍ୱ ଚୁପ୍ ରହିଥିଲା ବୋଲି ସେ କହିଛନ୍ତି । ପାକିସ୍ତାନ ସମର୍ଥକ ଆତଙ୍କବାଦୀମାନେ ହିନ୍ଦୁଙ୍କ ଉପରେ ବର୍ବର ଅତ୍ୟାଚାର କରିଥିଲେ । ୩୦ ବର୍ଷ ପୂର୍ବରୁ କାଶ୍ମୀର ଯେତେବେଳେ ଆତଙ୍କବାଦୀଙ୍କ କ୍ରୁରତାକୁ ସାମ୍ନା କରୁଥିଲା, ଯେତେବେଳେ ପଶ୍ଚିମ ଦେଶରେ ଆତଙ୍କବାଦ ବିଷୟରେ କେସହି କିଛି ବି ଜାଣିନଥିଲେ ବୋଲି କହିଛନ୍ତି  ସୁନନ୍ଦା ।

ଆମେରିକା ସଂସଦରେ ନିଜ ଅଙ୍ଗେ ନିଭା କଥା କହିଛନ୍ତି କାଶ୍ମୀର କନ୍ୟା ସୁନନ୍ଦା । କାଶ୍ମୀରରେ ବଞ୍ଚିବା ପାଇଁ ହିନ୍ଦୁ ସଂପ୍ରଦାୟକୁ ପଳାୟନ, ଧର୍ମ ପରିବର୍ତ୍ତନ କିମ୍ବା ମୃତ୍ୟୁ ପରି ତିନିଟି ବିକଳ୍ପ ଦିଆଯାଇଥିଲା । କେବଳ ଏତିକି ନୁହେଁ ୧୯୯୦ ଜାନୁଆରୀ ୧୯ରେ କାଶ୍ମୀରରେ ମାନବାଧିକାର ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିଲା । ପାକ ସମର୍ଥକମାନେ ସମସ୍ତ ହିନ୍ଦୁ ପୁରୁଷଙ୍କୁ ହତ୍ୟା କରିବାକୁ ଘୋଷଣା କରିବା ସହ ସେମାନଙ୍କର କେବଳ ହିନ୍ଦୁ ନାରୀ ଆବଶ୍ୟକ ବୋଲି  ଉଦଘୋଷଣା କରିଥିଲେ । ଏହାଠାରୁ ମାନବ ଜାତି ଉପରେ ଅତ୍ୟାଚାରର ବଡ଼ ଉଦାହରଣ କେଉଁଠି ଅଛି ବୋଲି ପ୍ରଶ୍ନ କରିଥିଲେ ସୁନନ୍ଦା । ଏହା ସହିତ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ରୂପ ପରିବର୍ତ୍ତନ ହୋଇଛି ବୋଲି ସୁନନ୍ଦା ସ୍ୱୀକାର କରିଛନ୍ତି । ଭାରତର ଲୋକତାନ୍ତ୍ରିକ ପ୍ରକ୍ରିୟା ବହୁତ ଭଲ ରହିଛି । ଏବେ ପଂଜାବ ଓ ପୂର୍ବୋତ୍ତର ରାଜ୍ୟରେ ଆତଙ୍କବାଦର ବିନାଶ ହୋଇଛି ବୋଲି ସେ କହିଛନ୍ତି । ଏହାସହିତ ଆମେରିକା କଂଗ୍ରେସରେ ନିଜ ଅନୁଭୁତି ମଧ୍ୟ ବଖାଣିଥିଲେ ସୁନନ୍ଦା । ପାକସ୍ତାନର ପ୍ରରୋଚନାରେ କାଶ୍ମୀରରେ ୧୯୯୦ରେ ହୋଇଥିବା ଅତ୍ୟାଚାର ଉପରେ ରୋକ ଲଗାଇବାକୁ ସକ୍ଷମ ହୋଇନଥିଲେ ଭାରତ ସରକାର । ଧାରା ୩୭୦ ଯୋଗୁଁ କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ କେବଳ ଭାରତ ଦେଖୁଥିଲା ବୋଲି ସୁନନ୍ଦା କହିଛନ୍ତି । ଏପରିକି ତାଙ୍କୁ ଏବଂ ତାଙ୍କ ମାଆଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ବାପା ମାରଣାସ୍ତ୍ର ଧରି ଘର ଦ୍ୱାର ମୁହଁରେ ଜଗି ରହିଥିଲେ । ତାଙ୍କ ପରି ୪ ଲକ୍ଷ ହିନ୍ଦୁ ଜୀବନ ବଂଚାଇବାକୁ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ସୁନନ୍ଦା କହିଛନ୍ତି ।

ସୁନନ୍ଦା ଗୁରୁବାର ୱାଶିଂଟନରେ ଟାମ୍ ଲେଟୋସ ଏଚଆର କମିଶନ ଦ୍ୱାରା ଆୟୋଜିତ ମାନବାଧିକାର ଉପରେ କଂଗ୍ରେସର ଶୁଣାଣିରେ ସାମିଲ ହୋଇ କାଶ୍ମୀର ପଣ୍ଡିତଙ୍କ ଦୁଃଖ ବଖାଣିଛନ୍ତି । ଏବେ ୩୦ ବର୍ଷ ପରେ କାଶ୍ମୀର ସ୍ଥିତ ଘରେ ତାଙ୍କୁ ସ୍ୱାଗତ କରାଯାଏ ନାହିଁ କିମ୍ବା ତାଙ୍କୁ ତାଙ୍କ ନିଜ ଧର୍ମ ପାଳନ କରିବା ପାଇଁ ଅନୁମତି ମିଳୁନାହିଁ ବୋଲି ସୁନନ୍ଦା କହିଛନ୍ତି । ଆମେରିକା କଂଗ୍ରେସରେ ମାନଜଜାତିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ।  ୪ଲକ୍ଷ କାଶ୍ମୀର ହିନ୍ଦୁ ଜୀବନ ବିକଳରେ ଘାଟି ଛାଡ଼ିବାବେଳେ କାହିଁକି କେହି ବିରୋଧ କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ୩୦ ବର୍ଷ ପରେ ମାନବାଧିକାର ପ୍ରସଙ୍ଗ ଉଠାଇବାକୁ ଅବାନ୍ତର କହି କ୍ଷୋଭ ପ୍ରକାଶ କରିଛନ୍ତି ସୁନନ୍ଦା ।