ବିଦ୍ୟୁତ ସଂଯୋଗ ନାହିଁ, କିନ୍ତୁ ଆସୁଛି ବିଦ୍ୟୁତ ବିଲ୍

ଗରିବଙ୍କ ଉପରେ ଦାଉ ସାଧୁଛି  ବିଦ୍ୟୁତ ବିଭାଗ

ବିଦ୍ୟୁତ ସଂଯୋଗ ନାହିଁ, କିନ୍ତୁ ଆସୁଛି ବିଦ୍ୟୁତ ବିଲ୍

ନାରାୟଣ ବେହେରା, ପାରାଦୀପ: ଘରେ ନାହିଁ ବିଦ୍ୟୁତ ସଂଯୋଗ ମାତ୍ର ଆସୁଛି ବିଲ୍। ଏଭଳି ସାଂଘାତିକ ଅଭିଯୋଗ ଆସୁଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତର ପିପଳ ଗାଁରୁ। ଘରକୁ ବିଦ୍ୟୁତ ତାର ଟଣାଯାଇଛି, ଘରେ ମିଟର ବି ବସିଛି, ମାତ୍ର ଖୁଣ୍ଟରେ ଦିଆଯାଇନାହିଁ ବିଦ୍ୟୁତ ସଂଯୋଗ।ହେଲେ ଘରକୁ ଆସୁଛି  ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ ।   ଜଣେ କି ଦୁଇ ଜଣ ନୁହେଁ ବରଂ ଏମିତି ଶହେରୁ ଉର୍ଦ୍ଧ୍ବ ପରିବାରକୁ ଆସୁଛି ଏଭଳି ବିଦ୍ୟୁତ ବିଲ୍ । ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ , ମାତ୍ର  ବିଦ୍ୟୁତ ବିଲ୍ ର ଚିଠା ଦେଖି ଏବେ  ଗ୍ରାମବାସୀ  ଅଡ଼ୁଆରେ ପଡିଛନ୍ତି   

ଗତ ୬ ମାସ ହେଲା ଗ୍ରାମବାସୀଙ୍କ ସହଯୋଗରେ ବିଦ୍ୟୁତ ତାର ଟଣାଯାଇଛି। ଘର ଭିତରେ ବସିଛି ମିଟର,  ଇଲେକ୍ଟ୍ରୀ ବୋର୍ଡ ସହିତ ସର୍ଭିସ ତାର ମଧ୍ୟ ଟଣାଯାଇଛି ।  ହେଲେ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ କି ଟ୍ରାନ୍ସଫର୍ମର ମଧ୍ୟ ବସିନାହିଁ । ଏଭଳି ପରିସ୍ଥିତିରେ କିନ୍ତୁ ଘରକୁ ଆସୁଛି  ୮ ରୁ ୧୨ ହଜାର ଟଙ୍କା ଲେଖାଏଁ ବିଦ୍ୟୁତ୍ ବିଲ୍। ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟୁତ୍ ବିଲ ନେଇ କିଛି ଲୋକଙ୍କ ମୋବାଇଲ୍ କୁ ମେସେଜ୍ ଆସିଥବା ବେଳେ କିଛି ଲୋକଙ୍କ ଘରକୁ ଆସିଛି ବିଦ୍ୟୁତ ବିଲ୍ ର ଚିଠା । ଦୀର୍ଘ ୬ ମାସ ହେଲା ବିଦ୍ୟୁତ୍ ତାର ସଂଯୋଗ ନହୋଇ ଏବେ ବିଦ୍ୟୁତ୍ ବିଲ୍ ଆସି ଥିବାରୁ ଚିନ୍ତାରେ  ପଡ଼ିଯାଇଛନ୍ତି ଗ୍ରାମବାସୀ ।  

ସରକାରଙ୍କ ସୌଭାଗ୍ୟ ଯୋଜନା ରେ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ଯୋଗାଣ ର ବ୍ୟବସ୍ଥା କରାଯାଉଛି । ଏହି ଯୋଜନାରେ ଠିକାଦାର ଖୁଣ୍ଟ ପକାଇବା ସହିତ ତାର ଟାଣିବା ପରେ ଲୋକମାନଙ୍କ ଘରେ ମିଟର, ସର୍ଭିସ ତାର ଓ ବୋର୍ଡ ଲଗାଇ ତାର କାର୍ଯ୍ୟ ଶେଷ କରିଥିଲା ।
 ଟ୍ରାନ୍ସଫର୍ମର  ଓ ଘରକୁ ବିଦ୍ୟୁତ୍ ସଂଯୋଗ କରିବା  ଦାୟିତ୍ୱ ବିଦ୍ୟୁତ ବିଭାଗର , ମାତ୍ର ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ  ଏପରି ବିଲ୍ ଆସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
 ଗ୍ରାମରେ ଥିବା ଏହି ଗରିବ ପରିବାରଙ୍କ ଉପରେ ଆର୍ଥିକ ବୋଝ ବିଦ୍ୟୁତ୍ ବିଭାଗ ଲଦିଦେଉଛି ।  ପ୍ରଶ୍ନ ଉଠୁଛି, ବିଦ୍ୟୁତ୍ ସଂଯୋଗ ହୋଇନଥିବା ମିଟରରୁ ସେସୁ କର୍ମଚାରୀ କିପରି ମିଟର ରିଡିଂ ନେଲେ ? ଏକ କାଳୀନ ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲେଖାଏଁ ବିଲ ଉଠିଲା   କେମିତି ? ଏ ସମ୍ପର୍କରେ ମୁଁ  କିଛି ଜାଣିନାହିଁ, ଏବଂ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପାରାଦୀପଗଡ଼ରେ ଥିବା ସେସୁ କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି।
୧୬ ତାରିଖ ଠାରୁ ବିଦ୍ୟୁତ ବିଲ୍ ବାକି ରଖିଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍ କାଟିବାକୁ ଘୋଷଣା କରିଛି ବିଦ୍ୟୁତ ବିଭାଗ । ମାତ୍ର ଘରେ ବିଦ୍ୟୁତ୍ ନ ଥାଇ ବିଲ୍ ର ବୋଝ ଲଦିଦେଇଥିବା ଏହି ଗରିବ ପରିବାରକୁ କିପରି ନ୍ୟାୟ ଦେବ ବିଦ୍ୟୁତ ବିଭାଗ , ତାହା ଆଗାମୀ ଦିନରେ ଜଣାପଡିବ ।