ଦର ବୃଦ୍ଧି ଇଫେକ୍ଟ: ଚୋର ସାଜିଲା ଚାଷୀ !

ଚୋରଙ୍କ ଟାର୍ଗେଟରେ ପିଆଜ ଚାଷୀ

ଦର ବୃଦ୍ଧି ଇଫେକ୍ଟ: ଚୋର ସାଜିଲା ଚାଷୀ !
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସୁନା, ରୂପା କି ଟଙ୍କା ପଇସା ନୁହେଁ । ଏବେ ଚୋରଙ୍କ ଟାର୍ଗେଟରେ ପିଆଜ ଚାଷୀ । ସ୍ଥିତି ଏପରି ହୋଇଛି ଯେ, ଚୋରଙ୍କୁ ଚାଷୀ ହେବାକୁ ପଡୁଛି । ବିଲରୁ ପିଆଜ ଖୋଳି ନେଉଛନ୍ତି ଚୋର । ପିଆଜ ଦର ଆକାଶ ଛୁଆଁ ହେବା ପରେ ପିଆଜ ଚୋରି ଖବର ସାମନାକୁ ଆସୁଛି । 

ମଧ୍ୟପ୍ରଦେଶରୁ ଆସିଛି ଏମିତି ଏକ ଖବର ।  ମନ୍ଦସୌରର ରିଚା ଗାଁରେ ଜଣେ କୃଷକଙ୍କ ବିଲରୁ ପିଆଜ ଚୋରି ହୋଇଛି । ପାଖାପାଖି ୩୦ ହଜାର ଟଙ୍କାର ପିଆଜ ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏସଏଚଓ ଘଟଣାସ୍ଥଳକୁ ଯାଇଛନ୍ତି । 

ଏବେ ପିଆଜ ଦର ୮୦ ଉପରେ । କେତେକ ସ୍ଥାନରେ ଏହା ସେଞ୍ଚୁରି ବାଡେଇଲାଣି ।  ଏହା ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରେ । ଖାଉଟିଙ୍କ ଆଖିରେ ପିଆଜ ଲୁହ ଦେଖିବାକୁ ମିଳୁଛି । ଦର ସ୍ୱଭାବିକ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । 

ଓଡିଶାରେ ବି ପିଆଜ ଦର ବୃଦ୍ଧି ଚିନ୍ତା 

ପିଆଜ ଦର ବୃଦ୍ଧିକୁ ନେଇ ରାଜନୀତି ସରଗରମ । ଏହି ପ୍ରସଙ୍ଗ ପହଞ୍ଚିଛି ରାଜଭବନରେ । ପ୍ରଥମେ ୪୦ ଟଙ୍କାରେ ପିଆଜ ବିକ୍ରି କରି ରାଜ୍ୟବ୍ୟାପୀ ଚର୍ଚ୍ଚାରେ ଥିବା କଂଗ୍ରେସ ରାଜ୍ୟପାଳଙ୍କୁ ଦରବୃଦ୍ଧି ପ୍ରସଙ୍ଗରେ ଅବଗତ କରାଇଛି । ମଙ୍ଗଳବାର ଓଡିଶା ପ୍ରଦେଶ କିଶାନ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଓଡିଶାରେ ପିଆଜ ଚାଷର ଭିତ୍ତିଭୂମି ଏବଂ ଉନ୍ନତ ଚାଷ ପାଇଁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ଦାବି କରିଛନ୍ତି ।

ଆଳୁ ମିଶନ ଫେଲ ହେଲା ଭଳି ସରକାର ପିଆଜ ଉତ୍ପାଦନ ବୃଦ୍ଧି ଦିଗରେ ମଧ୍ୟ ଫେଲ ମାରିଥିବା କୁହାଯାଇଛି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଆଜ ଉତ୍ପାଦନ ପାଇଁ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସରକାର ସହଯୋଗ କରୁ ନ ଥିବା କଂଗ୍ରେସ ରାଜ୍ୟପାଳଙ୍କୁ ଅବଗତ କରାଇଛି । ଖୁବ ଶୀଘ୍ର ପିଆଜ ଦର ନିୟନ୍ତ୍ରଣ କରିବା ସହ ଏକ ସ୍ଥାୟୀ ସମାଧାନ କରା ନ ଗଲେ କଂଗ୍ରେସ ରାଜ୍ୟବ୍ୟାପୀ ଆହୁରି ତୀବ୍ର ଆନ୍ଦୋଳନ କରିବ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ପିଆଜ ଚାଷ ପାଇଁ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛନ୍ତି ଚାଷୀ । ଚାଷୀଙ୍କୁ ଉନ୍ନତ ବିହନ ଏବଂ ଆବଶ୍ୟକ ସାର ସହ ପିଆଜ ସଂରକ୍ଷଣ ପାଇଁ ସୁବିଧା ଯୋଗାଉ ନ ଥିବାରୁ ଚାଷୀମାନେ ପିଆଜ ଚାଷ ପ୍ରତି ବିମୁଖ ହେଉଛନ୍ତି । ଯାହାଫଳରେ ବାହାର ରାଜ୍ୟ ଉପରେ ପିଆଜ ପାଇଁ ନିର୍ଭର କରିବାକୁ ପଡୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ଆଗ୍ରହର ସହ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

ଆହୁରି ପଢନ୍ତୁ; 'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'