ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟି ଷ୍ଟାଡିୟମ, ଡିସେମ୍ୱର ୫ରୁ ଅନଲାଇନ ଟିକେଟ

ମ୍ୟାଚ ପାଇଁ ୭ନଂ ଗ୍ୟାଲେରୀକୁ ନେଇ ଏବେ ବି ଲାଗି ରହିଛି ଦ୍ୱନ୍ଦ । ଅସୁରକ୍ଷିତ ପାଲଟିଥିବା ୭ନଂ ଗ୍ୟାଲେରୀ ପାଇଁ ଟିକେଟ ବିକ୍ରି ହେବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇ ନାହିଁ । 

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟି ଷ୍ଟାଡିୟମ, ଡିସେମ୍ୱର ୫ରୁ ଅନଲାଇନ ଟିକେଟ

ଜଗନ୍ନାଥ ପାତ୍ର, କଟକ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଡିସେମ୍ୱରରୁ ଆରମ୍ଭ ହେବ ଏକଦିବସୀୟ ସିରିଜ । ଏହି ସିରିଜର ଏକ ମ୍ୟାଚ କଟକର ବାରବାଟି ଷ୍ଟାଡିୟମରେ ହେବାର ଅଛି । ଡିସେମ୍ୱର ୨୨ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଦିନକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଭାରତ ସହିତ ୱେଷ୍ଟଇଣ୍ଡିଜ ଟିମ ମଧ୍ୟରେ ହେବ ଟକ୍କର । 

ମ୍ୟାଚ ପାଇଁ ୭ନଂ ଗ୍ୟାଲେରୀକୁ ନେଇ ଏବେ ବି ଲାଗି ରହିଛି ଦ୍ୱନ୍ଦ । ଅସୁରକ୍ଷିତ ପାଲଟିଥିବା ୭ନଂ ଗ୍ୟାଲେରୀ ପାଇଁ ଟିକେଟ ବିକ୍ରି ହେବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇ ନାହିଁ । ତେବେ ଗ୍ୟାଲେରୀ ସୁରକ୍ଷିତ କି ନାହିଁ ତାହା କ୍ୟାଟ୍ ଅନୁଧ୍ୟାନ ରିର୍ପୋଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପକ୍ଷେ ମ୍ୟାଚ ସମୟରେ ସୁରକ୍ଷା ବ୍ୟବସ୍ଥା କିପରି ରହିବ ସେ ବାବଦରେ ଆଜି କମିଶନରେଟ ପୋଲିସର ଏକ ଟିମ ଆସି ଅନୁଧ୍ୟାନ କରିଛନ୍ତି ।

ଦୀର୍ଘ ୨ ବର୍ଷ ପରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ହେବ ।  ଏହି ମ୍ୟାଚକୁ ଉପଭୋଗ କରିବା ପାଇଁ ବାରବାଟୀ ଷ୍ଟାଡିୟମରେ ରହିଛି ବିଭିନ୍ନ ବର୍ଗର ଗ୍ୟାଲେରୀ । ତେବେ ୫ହଜାର ୩ଶହ ଲୋକଙ୍କ କ୍ଷମତା ରଖୁଥିବା ୭ନଂ ଗ୍ୟାଲେରୀ ଅସୁରକ୍ଷିତ ରହିଥିବାରୁ ଏହି ଗ୍ୟାଲେରୀର ଟିକେଟ ବିକ୍ରି ହେବ କି ନାହିଁ ତାହାକୁ ନେଇ ଲାଗି ରହିଛି ଅନିଶ୍ଚିତତା । କାରଣ ଷ୍ଟାଡିୟମର କର୍ପୋରେଟ ବକ୍ସ ପାଖରେ ରହିଥିବା ଏହି ୭ନଂ ଗ୍ୟାଲେରୀ ପାଲଟିଛି ଅସୁରକ୍ଷିତ । 

ଏହି ଗ୍ୟାଲେରୀରେ ଟିକେଟ ବିକ୍ରି କରାଗଲେ ଲୋକଙ୍କ ଲାଗି କେତେ ସୁରକ୍ଷିତ ତାହାକୁ ନେଇ ଏବେ କ୍ୟାଟ ଅନୁଧ୍ୟାନ କରୁଥିବା କହିଛନ୍ତି ଓସିଏ ସଂପାଦକ । ଖୁବଶିଘ୍ର ଏହି ରିର୍ପୋଟ ମିଲିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି । ଯଦି କୌଣସି ମରାମତିର ଆବଶ୍ୟକତା ରହିବ ସେହି ବିଭାଗ ସହିତ ଯୋଗାଯୋଗ କରି ରିପେରିଂ କାମ ମଧ୍ୟ ଆରମ୍ଭ କରାଯିବ କହିଛନ୍ତି ସଞ୍ଜୟ ବେହେରା ।

ଏହି ଦିନିକିଆ ମ୍ୟାଚକୁ ଆୟୋଜନ କରିବା ଓଡିଶା କ୍ରିକେଟ ଆସୋସିଏସନ ପାଇଁ ଯେତିକି ଚ୍ୟାଲେଞ୍ଜ ସେତିକି ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ କମିଶନରେଟ ପୋଲସି ପାଇଁ ମଧ୍ୟ ଚ୍ୟାଲେଞ୍ଜ ରହିଛି । ଏଥିଲାଗି ଆଜି କଟକ ଡିସିପିଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ଏକ ଟିମ ଆଜି ବାରବାଟୀ ଷ୍ଟାଡିୟମ ଗସ୍ତ କରିଛନ୍ତି । ଖେଳାଳୀଙ୍କ ଏଣ୍ଟ୍ରି ଓ ଏକଜିଟ ପଏଣ୍ଟ, ଟିକେଟ ପଏଣ୍ଟ ଓ ଗ୍ୟାଲେରୀର ବ୍ୟବସ୍ଥା ଆଦି ବାବଦରେ ଅନୁଧ୍ୟାନ କରିଛନ୍ତି । ଏଥିସହିତ ଓସିଏ କର୍ତ୍ତୂପକ୍ଷଙ୍କ ସହିତ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । 

ଗତବର୍ଷ ଜାଲ ଟିକେଟ ବିକ୍ରି ଅଭିଯୋଗ ଆସୁଥିବା ବେଳେ ଏହି ମ୍ୟାଚ ଲାଗି ଟିକେଟ ଉପରେ ଅଧିକା ନଜର ରଖିବା ଲାଗି ଓସିଏକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଡିସିପି । ଡିସେମ୍ୱର ୫ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉଥିଲେ ମଧ୍ୟ ୭ନଂ ଗ୍ୟାଲେରୀ ପାଇଁ ଟିକେଟ ବିକ୍ରି ହେବ ନାଁ ଖାଲି ରଖାଯିବ ସେ ଉପରେ ସମସ୍ତଙ୍କ ନଜର ।