Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦାୟିତ୍ୱ ମଧ୍ୟ ବଢିବାରେ ଲାଗିଛି। ପ୍ରତିଟି ମୂହୁର୍ତ୍ତରେ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କ ସେବା କରିଚାଲିଛନ୍ତି। ତେବେ ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହିତ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି।
ତେବେ ଏହି କ୍ରମରେ ହରିଆଣାର ମନୋହର ଲାଲ ଖଟ୍ଟରଙ୍କ ସରକାର କୋରୋନା ବିପକ୍ଷରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସରକାର କୋରୋନା ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା, ସେମାନଙ୍କର ଦେଖାଶୁଣା, ଏପରିକି ଟେଷ୍ଟିଂ କରୁଥିବା କର୍ମୀମାନଙ୍କୁ ଏହି ମାସରେ ଦୁଇଗୁଣା ଦରମା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା କାରଣରୁ କୋରୋନା ଯୋଦ୍ଧାଙ୍କ ପାଇଁ ଏହି ସହାୟତା ଘୋଷଣା କରିବା ତାଙ୍କର କର୍ତ୍ତବ୍ୟ ବୋଲି ମନୋହରଲାଲ ଖଟ୍ଟର ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ଏହି କୋରୋନା ଯୁଦ୍ଧରେ ରାଜ୍ୟବାସୀଙ୍କ ଠାରୁ ଅକୁଣ୍ଠ ସମର୍ଥନ ମିଳୁଛି। ଉତ୍ସାହ ଓ ସାହସ ସହିତ ଏହି କୋରୋନା ଡରକୁ ଦୁରେଇବାର ରହିଛି। ଏହି ସଂକଟ ସମୟରେ କୌଣସି ବ୍ୟକ୍ତିଙ୍କ ସହିତ ଭେଦଭାବ କରାଯିବ ନାହିଁ ବୋଲି ସେ କହିଥିଲେ।
ଏଠାରେ କହି ରଖୁଛୁ କି, ହରିଆଣା ରାଜ୍ୟ ସରକାର ପୂର୍ବରୁ ଏହି କର୍ମଚାରୀମାନଙ୍କ ପାଇଁ ବୀମାର ଘୋଷଣା ମଧ୍ୟ କରିସାରିଛି। ଏହି ବୀମା ମଧ୍ୟରେ ଡାକ୍ତରଙକ୍ ପାଇଁ ୫୦ ଲକ୍ଷ, ନର୍ସମାନଙ୍କ ପାଇଁ ୩୦ ଲକ୍ଷ, ପାରାମେଡ଼ିକାଲ ଷ୍ଟାଫଙ୍କ ପାଇଁ ୨୦ ଲକ୍ଷ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ରାଜ୍ୟ ସରକାର ଘୋଷଣା କରିଥିଲେ।
ସେପଟେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ ସମୟରେ ୧୩୪ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୬ଜଣ ତବଲିଗି ଜମାତର। ଅବଶିଷ୍ଟ ୨୮ ଜଣ ରୋଗୀ ଗତ ମାର୍ଚ୍ଚ ୨୯/୩୦ ତାରିଖରେ ଚିହ୍ନଟ ହୋଇଥିଲେ। ଯଦି ଏହି ତବଲିଗି ଜମାତ ଆଗକୁ କୋରୋନା ବ୍ୟାପିବାରେ ଯଦି ସହାୟ ନ ହୁଅନ୍ତି, ତେବେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ବେଶ ଉନ୍ନତ ରହିଛି ବୋଲି ସେ କହିଥିଲେ।