ସେନା ପକ୍ଷରୁ ସୋପିଆନରେ କରାଯାଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ଟଳିପଡିଛନ୍ତି |
Trending Photos
)
ଶ୍ରୀନଗର: ଆତଙ୍କବାଦୀଙ୍କ ପାଇଁ କାଳ ପାଲଟିଛି ଜମ୍ମୁକାଶ୍ମୀରର ସୋପିଆନ ଜିଲ୍ଲା | ବିଗତ କିଛି ଦିନ ଧରି ଏଠାରେ ସୁରକ୍ଷାବଳ ପକ୍ଷରୁ ଜାରି ରହିଥିବା ଘନ ଘନ ଅପରେସନ କାରଣରୁ ଧିରେ ଧିରେ ନିର୍ମୁଳ ହେବାରେ ଲାଗିଛନ୍ତି ଆତଙ୍କୀ | ଜୁନ ୧୬ ତାରିଖ ମଙ୍ଗଳବାର ସକାଳେ ସୁରକ୍ଷାବାହିନୀ ପକ୍ଷରୁ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ଟଳିପଡିଛନ୍ତି | ସେମାନଙ୍କ ପରିଚୟ ମିଳିନାହିଁ |
ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଜଏଣ୍ଟ ଅପରେସନରେ ସାମିଲ ହୋଇଥିଲେ ୪୪ ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ | ସୋପିଆନ ଜିଲ୍ଲାର ଟୁରକାୱନଗାମ ଗ୍ରାମରେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ସୁରକ୍ଷାବଳକୁ ଖବର ମିଳିଥିଲା | ଏହା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ସୁରକ୍ଷା ବାହିନୀ |
ପ୍ରଥମେ ଆତ୍ମସମର୍ପଣ କରିବା ପାଇଁ ଆତଙ୍କବାଦୀଙ୍କୁ କୁହାଯାଇଥିଲା | ମାତ୍ର ଏହାକୁ ଭ୍ରୁକ୍ଷେପ ନକରି ସୁରକ୍ଷାବଳ ଉପରେ ଗୁଳିମାଡ କରିଥିଲେ ଆତଙ୍କୀ | ଆତଙ୍କବାଦୀଙ୍କୁ ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିଲା ସେନା | ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କୀ ଟଳିପଡିବା ସହ ସେମାନଙ୍କ ପାଖରୁ ୨ଟି ଏକେ୪୭ ରାଇଫଲ(AK-47 RIFLE) ଏବଂ ଗୋଟିଏ ଇନସାସ(INSAS) ଜବତ କରାଯାଇଛି |
ଜୁନ ୧୩ ତାରିଖ ଶନିବାର କୁଲଗାମ ଜିଲ୍ଲାର ନିପୋରା ଅଞ୍ଚଳରେ ଆତଙ୍କୀ ଛପି ରହିଥିବା ନେଇ ସୁରକ୍ଷାବଳକୁ ଖବର ମିଳିଥିଲା | ଏହା ପରେ ୧୯ ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ କାଶ୍ମୀର ପୋଲିସ, ସିଆରପିଏଫ(CRPF) ପକ୍ଷରୁ କରାଯାଇଥିବା ମିଳିତ ଅପରେସନରେ ୨ ଆତଙ୍କବାଦୀ ଟଳିପଡିଥିଲେ | ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚିବା ନେଇ ଜାଣିବା ପରେ ପ୍ରଥମେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ ଆତଙ୍କବାଦୀ |
ଚଳିତ ମାସ ଆରମ୍ଭରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ସୁରକ୍ଷାବଳ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୧୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି | ସେମାନଙ୍କ ମଧ୍ୟରେ ହିଜିବୁଲର ଜଣେ ଟପ କମାଣ୍ଡର ରହିଛି | ଚଳିତ ୨୦୨୦ ପ୍ରାରମ୍ଭରୁ ସୁରକ୍ଷାବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ମୋଟ ୯୫ ଆତଙ୍କୀ ଟଳି ପଡିଲେଣୀ |