)
ଭୁବନେଶ୍ୱର: ରାଜ୍ୟକୁ ନାହିଁ ଲଘୁଚାପ ପ୍ରଭାବ, ଜାରି ରହିବ କାଳବୈଶାଖୀ ବର୍ଷା । ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରିବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । ଏହାପରେ ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୩୦ ଏପ୍ରିଲ ରୁ ୩ ମେ ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପ ଆଡକୁ ମୁହାଁଇବ । ତେବେ ଏହାର ପ୍ରଭାବରେ ଓଡିଶାରେ କୌଣସି ସତର୍କ ସୂଚନା ନଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ ବୋଲି କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେଓଗଡ, ଭଦ୍ରକ, ଯାଜପୁର, କଟକ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ କୂଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ବୌଦ୍ଧ, ଅନୁଗୋଳ, ଝାରସୁଗୁଡା, କେଉଁଝର, ମୟୂରଭଂଜ, ଢେଙ୍କାନାଳ, ବାଲେଶ୍ୱର, କଟକ, କେନ୍ଦ୍ରପଡା ଓ ଖୋର୍ଦ୍ଧା ଜିଲ୍ଲାରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାସହ ଅନ୍ୟାନ୍ୟ ସ୍ଥାନରେ ହାଲକା ବର୍ଷା ସହ ବଜ୍ରପାତ ନେଇ ୩୦ରୁ ୪୦ କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାପରେ ମଧ୍ୟ ମେ ମାସ ପହିଲା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ଜାରି ରହିବା ନେଇ ଆକଳନ କରାଯାଇଛି ।