ଅଯୋଧ୍ୟାରେ 'ନୂଆ ସକାଳ'
Advertisement

ଅଯୋଧ୍ୟାରେ 'ନୂଆ ସକାଳ'

ବିବାଦମୁକ୍ତ ବିବାଦ

ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ୧୯୮୯ ମସିହା ଆଜିର ଦିନରେ ବର୍ଲିନର ପ୍ରସିଦ୍ଧ ପ୍ରାଚୀର ଭାଙ୍ଗି ଦୁଇଟି ଚିନ୍ତାଧାରା ପରସ୍ପର ସହ ଯୋଡ଼ି ହୋଇଥିଲା । ୧୯୪୫ରେ ଜର୍ମାନ ଆତ୍ମ ସମର୍ପଣ କରିବା ପରେ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥିଲା । ସେତିକିବେଳେ ଜର୍ମାନର ପୂର୍ବ ଅଞ୍ଚଳରେ ରାଜଧାନୀ ବର୍ଲିନ ସହର ଥିଲା । ସେଠାରେ ରୁଷୀୟ ଲୋକ ତଥା କମ୍ୟୁନିଷ୍ଟ ସପକ୍ଷବାଦୀମାନେ ଦୃଢ଼ ଭାବେ ଆସ୍ଥାନ ଜମେଇଥିଲେ । ଏହାପରେ ସମଗ୍ର ଜର୍ମାନକୁ ୪ ଭାଗରେ ବିଭକ୍ତ କରାଯାଇଥିଲା । ପୂର୍ବ ଜର୍ମାନର କମ୍ୟୁନିଷ୍ଟ ଅଧ୍ୟୁଷିତ ଅଞ୍ଚଳକୁ ସୋଭିଏତ ରୁଷକୁ ଦେଇ ବାକି ପଶ୍ଚିମାଞ୍ଚଳକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଅଧୀନରେ ରଖାଯାଇଥିଲା । ଫଳରେ ପଶ୍ଚିମ ବର୍ଲିନର ଅର୍ଥନୀତିରେ ଧୀରେ ଧୀରେ ସୁଧାର ହେବାରେ ଲାଗିଲା ଏବଂ ଶକ୍ତିଶାଳୀ ମଧ୍ୟ ହେଲା । କିନ୍ତୁ କମ୍ୟୁନିଷ୍ଟ ଅଧ୍ୟୁଷିତ ଅଞ୍ଚଳ ପୂର୍ବ ବର୍ଲିନରେ ଉତ୍କଟ ଦରିଦ୍ର ସମସ୍ୟା ଦେଖା ଦେବାରେ ଲାଗିଲା । ସେଥିପାଇଁ ପୂର୍ବ ଜର୍ମାନୀରୁ ଶହ ଶହ ଶରଣାର୍ଥୀ ପଶ୍ଚିମ ଜର୍ମାନୀକୁ ବର୍ଲିନ ବାଟ ଦେଇ ଯିବାରେ ଲାଗିଲେ । ଏହାପରେ ପଶ୍ଚିମ ଜର୍ମାନରେ ମୁକ୍ତ ଅର୍ଥନୀତି, ଉଦାରବାଦୀ ଶାସନର ପ୍ରଚଳନ ହେତୁ ଉନ୍ନତିର ସୋପାନ ଉଠି ଚାଲିଥିବା ସମୟରେ ପୂର୍ବ ଜର୍ମାନ କିନ୍ତୁ ରକ୍ଷଣଶୀଳ ଶାସନ ଅଧୀନରେ ରହି ରୁଷିଆ ଦ୍ୱାରା ଶୋଷିତ ହେବାରେ ଲାଗିଲା । ଏହାପରେ ରୁଷିଆ, ପୂର୍ବ ଜର୍ମାନର ଏକଛତ୍ରବାଦ ଶାସକଙ୍କୁ ତାଙ୍କ ଦେଶରୁ ଲୋକଙ୍କ ଦେଶାନ୍ତର ରୋକିବାକୁ ବର୍ଲିନ ସହର ଦେଇ ଏକ ପ୍ରାଚୀର ନିର୍ମାଣ କରିବାକୁ ସ୍ଥିର କଲା । ପ୍ରାଚୀର ନିର୍ମାଣ ମଧ୍ୟ ହେଲା । କିନ୍ତୁ ପଶ୍ଚିମ ଜର୍ମାନର ଅର୍ଥନୈତିକ ବିକାଶ ତୀବ୍ର ମାତ୍ରାରେ ବଢ଼ି ଚାଲିଥିବାବେଳେ ପୂର୍ବ ଜର୍ମାନ ରୁଷ ଉପରେ ଅଧିକ ନିର୍ଭରଶୀଳ ହେବାରେ ଲାଗିଲା । ଫଳରେ ପୂର୍ବ ଜର୍ମାନର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଲେ । ରୁଷର କଠୋରପନ୍ଥୀ ଶାସନ ଯୋଗୁ ଲୋକମାନେ ଅତିଷ୍ଠ ହୋଇପଡ଼ିଲେ । ଏହାପରେ ସୋଭିଏତ ରାଷ୍ଟ୍ର ସଂଘର ପ୍ରବଳ ବିଦ୍ରୋହ ଯୋଗୁ ରୁଷ ଆଉ ପୂର୍ବ ଜର୍ମାନ ଉପରେ ସେତେଟା ଦୃଷ୍ଟି ଦେଇ ପାରିଲାନି । ଏହାପରେ ପୂର୍ବ ଜର୍ମାନରେ ଥିବା ଲୋକମାନେ ପୁଣି ଥରେ ପଶ୍ଚିମ ଜର୍ମାନ ସହ ମିଶିବାକୁ ସ୍ଥିର କଲେ । ପଶ୍ଚିମ ଜର୍ମାନ ମଧ୍ୟ ପୂର୍ବ ଜର୍ମାନ ସହ ମିଶିବାକୁ ଚାହିୁଁଥିଲା । ଏହାପରେ ଜାତିସଂଘ ମଧ୍ୟସ୍ଥତା କରିବା ପରେ ଦୁଇ ରାଷ୍ଟ୍ର ପୁଣି ଥରେ ଏକାଠି ହୋଇଥିଲେ ଏବଂ ୧୯୮୯ ମସିହା ନଭେମ୍ୱର ୯ ତାରିଖରେ ପ୍ରସିଦ୍ଧ ବର୍ଲିନ ପ୍ରାଚୀର ଭଙ୍ଗା ଯାଇଥିଲା । ଦୁଇଟି ବୀପରିତ ଚିନ୍ତାଧାରା ପୁଣି ଥରେ ଏକାଠି ହୋଇ ଏକ ନୂଆ ସଂକଳ୍ପ କରିଥିଲେ ।

fallback

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧିତ କରି ସେହି ଘଟଣାକୁ ମନେ ପକାଇଛନ୍ତି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇବା ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହାସହ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ମଧ୍ୟ କରିଥିଲେ । ତେବେ ଦୀର୍ଘ ୭୦ ବର୍ଷର ଅଯୋଧ୍ୟା ବିବାଦ ଆଜି ବିବାଦ ମୁକ୍ତ ହୋଇଛି । ଅଧ ଘଣ୍ଟିଆ ଫଇସଲା ଶୁଣାଇ ସୁପ୍ରିମକୋର୍ଟ ପବିତ୍ର ରାମ ଜନ୍ମଭୂମିକୁ ବିବାଦମୁକ୍ତ କରିଛନ୍ତି । ଚାଳିଶ ଦିନର ମାରାଥନ ଶୁଣାଣି ପରେ ଶେଷରେ ସମାଧାନ କରି ସର୍ବୋଚ୍ଚ ନ୍ୟାୟାଳୟ ୧୩୦ କୋଟି ଜନତାଙ୍କ ମନରୁ ଦ୍ୱନ୍ଦ୍ୱର ପରଦା ହଟାଇ ଦେଇଛନ୍ତି । ତେବେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ନେଇ ଫଇସଲା ଶୁଣାଇଛନ୍ତି । ସେହିପରି ମୁସଲମାନ ପକ୍ଷକୁ ବିକଳ୍ପ ଭାବେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଯୋଧ୍ୟାରେ ମସଜିଦ୍ ନିର୍ମାଣ କରିବାରେ ସହାୟତା କରିବାକୁ କୋର୍ଟ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣ ମଧ୍ୟସ୍ଥିଙ୍କୁ କୋର୍ଟ ପ୍ରଶଂସା କରିବା ସହ ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ରାମ ମନ୍ଦିର ଏଠାରେ ନିର୍ମାଣ ହେବା ନେଇ ବାଟ ଫିଟିଯିବା ପରେ ଏହାର ସ୍ୱରୁପ ଭବ୍ୟ ହେବା ନେଇ ଖସଡ଼ା ପ୍ରସ୍ତୁତ ହୋଇସାରିଛି । ଦୁଇ ମହଲା ବିଶିଷ୍ଟ ଏହି ମନ୍ଦିରର ଲମ୍ୱ ୨୬୮ ଫୁଟ, ଚଉଡ଼ା ୧୪୦ ଫୁଟ୍ ଏବଂ ଉଚ୍ଚତା ୧୨୮ ଫୁଟ୍ ହେବ । ଏହି ମନ୍ଦିରରେ ମୋଟ ୨୧୨ଟି ସ୍ତମ୍ଭ ରହିବ । ପ୍ରଥମ ମହଲାରେ ରହିବ ୧୦୬ଟି ସ୍ତମ୍ଭ ପ୍ରତ୍ୟେକ ସ୍ତମ୍ଭରେ ୧୬ଟି ଲେଖାଏଁ ମୂର୍ତ୍ତି ରହିବ । ସେହିପରି ସିଂହ ଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, କୋଲି, ଗର୍ଭଗୃହ ଆଦି ମନ୍ଦିରରେ ରହିବ ।  ଏଥିସହ ଗର୍ଭଗୃହର ଚାରିପଟେ ହେବାକୁ ଥିବା ପରିକ୍ରମା ମାର୍ଗର ଚଉଡ଼ା ୧୦ ଫୁଟ୍ ରହିବ । ଅଯୋଧ୍ୟାରେ ଏବେ ମହଜୁଦ ପ୍ରସ୍ତାବିତ ରାମ ମନ୍ଦିରର ମଡେଲକୁ ଆପଣ ଦେଖିପାରିବେ.. 

ବର୍ତ୍ତମାନ ସୁଦ୍ଧା ରାମ ମନ୍ଦିରର ତଳଭାଗରେ ଲାଗିବାକୁ ଥିବା ପଥରର ଖୋଦେଇ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଜାତିର ବିସ୍ତାର ପାଇଁ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିବାକୁ ମନ୍ଦିର ଭାଙ୍ଗିଥିବା ଇତିହାସ କୁହେ । ବାବରଙ୍କ ସମୟରେ ଏଠାରେ ମସଜିଦ ନିର୍ମାଣ କରାଯାଇଥିବାରୁ ଏହାକୁ ବାବ୍ରି ମସଜିଦ ବୋଲି କୁହାଯାଏ । ଏହାପରେ ଧୀରେ ଧୀରେ ବିବାଦ ଘେରକୁ ଟାଣି ହୋଇଥିଲା ଏହି ପବିତ୍ର ସ୍ଥାନ । ସାମ୍ପ୍ରଦାୟିକ ଦଙ୍ଗା ଭିତରେ ବାରମ୍ୱାର ପେଶି ହେଉଥିଲା ଅଯୋଧ୍ୟା ମାଟି । ବ୍ରିଟିଶ ଶାସନ ସମୟରେ ୧୮୫୩ରେ ଏହି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହେବା ପରେ ୧୮୫୯ରେ ବ୍ରିଟିଶ ଶାସକ ଏହି ସ୍ଥାନରେ ବାଡ଼ ପକାଇ ଦେଇଥିଲେ । ଏହାପରେ ସେହି ପ୍ରାଙ୍ଗଣ ଭିତର ଭାଗରେ ମୁସଲମାନଙ୍କୁ ଓ ବାହାରେ ହିନ୍ଦୁଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ମିଳିଥିଲା । ଏହାପରେ ଏହି ପବିତ୍ର ମାଟି ପାଲଟିଗଲା ବିବାଦୀୟ ସ୍ଥାନ ।

୧୯୯୦ ଦଶକରେ ଏହି ମାମଲା ଚେର ଧରିବାରେ ଲାଗିଥିଲା । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା ଆଉ ବିବାଦ ଉତ୍ତରପ୍ରଦେଶ ସୀମାକୁ ଲଙ୍ଘି ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିଲା । ଏହି ସମୟରେ ହିଁ ରାଜନୀତିରେ ଲଗାତାର ନୂଆ ପ୍ରୟୋଗମାନ ହେବାରେ ଲାଗିଲା । କେବେ ସମୀକରଣ ବନୁଥିଲା ତ ଆଉ କେବେ ବିଗିଡ଼ୁଥିଲା ।  ଶେଷରେ ଫଳ ଏହା ହୋଇଥିଲା, ରାଜନୈତିକ ଦଳଗୁଡ଼ିକ ଏ ବିବାଦକୁ ରାଜନୀତିର ଜରିଆ ବନାଇଦେଲେ । ଆଉ ପରବର୍ତ୍ତୀ ସମୟରେ ଏହା ଆଜେଣ୍ଡାରେ ସାମିଲ ହୋଇଗଲା ।
ସୁପ୍ରିମକୋର୍ଟଙ୍କ ରାୟ ପରେ କିନ୍ତୁ ଏବେ ଆଉ ଏସବୁ ଦେଖାଦେବନି । ଏଣିକି ବଦଳିଯିବ ଅଯୋଧ୍ୟାର ଭବିଷ୍ୟତ । ଦୁନିଆ ଦେଖିବ ରାମ ଜନ୍ମଭୂମିର ଚିତ୍ର ଆଉ ଲେଖାଯିବ ଏଠି ସଦଭାବନାର ନୂଆ ଅଧ୍ୟାୟ । ଆସନ୍ତାକାଲି ଅଯୋଧ୍ୟା ଦେଖିବ ଏକ ନୂଆ ସକାଳ । ଅଯୋଧ୍ୟାର ମାଟି, ପାଣି, ପବନ ସବୁଥିରେ ଶାନ୍ତି, ମୈତ୍ରୀର ମହକ ଥିବ । ଦୀର୍ଘ ତିରିଶ ବର୍ଷ ତଳେ ଜର୍ମାନରେ ଲେଖାଯାଇଥିବା ସେହି ଇତିହାସର ପୁନରାବୃତ୍ତି ଅଯୋଧ୍ୟାରେ ଦେଖାଯିବ । ଦୁଇଟି ବୀପରିତ ଚିନ୍ତାଧାରା ପୁଣି ଥରେ ଏକାଠି ହାତ ମିଳାଇ ନୂଆ ସଦଭାବନା ପ୍ରତିଷ୍ଠା କରିବେ । ବିବାଦଯୁକ୍ତ ଅଯୋଧ୍ୟାରେ ବିବାଦମୁକ୍ତର ହସ ଫୁଟି ଉଠିବ ।