)
ନୂଆଦିଲ୍ଲୀ: କୋରୋନା ପ୍ରଭାବରେ ସମଗ୍ର ବିଶ୍ୱ ଏବେ ଲକଡାଉନ। ଫଳରେ ବୈଶ୍ୱିକ ବଜାର ଉପରେ ଏହା ପ୍ରଭାବ ଗୁରୁତର ଭାବେ ପଡ଼ିଛି। ଦୈନନ୍ଦିନ ବିଶ୍ୱ ବଜାରରେ ଦର ପରିବର୍ତ୍ତିତ ହେଉଛି। ସେହିଭଳି ସୁନା ବଜାର ମଧ୍ୟ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଆଜି ପୁନର୍ବାର ଭାରତୀୟ ବଜାରରେ ସୁନାଦର ହ୍ରାସ ପାଇଛି। ତେବେ ବୁଲିଅନ ଆସୋସିଏସନ ଜାରି କରିଥିବା ଦର ଅନୁଯାୟୀ ସୋମବାର ଅପେକ୍ଷା ବୁଧବାର ସୁନା ଆହୁରି ଶସ୍ତା ହୋଇଛି।
ମଙ୍ଗଳବାର ୯୯୯ ମାନକ ସୁନା ୧୦ ଗ୍ରାମ ପ୍ରତି ୨୯୧ ଟଙ୍କା ହ୍ରାସ ପାଇ ବଜାର ବନ୍ଦ ବେଳକୁ ୪୫୯୦୪ରେ ବିକ୍ରି ହୋଇଥିଲା। ସେହିପରି ୯୯୫ ମାନକ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି। ଏହି ବର୍ଗର ସୁନା ୨୯୦ ଟଙ୍କା ହ୍ରାସ ପାଇ ୪୫୭୨୦ ଟଙ୍କାରେ ବିକ୍ରି ହୋଇଥିଲା। ୯୧୬ ମାନକ ସୁନା ଦରରେ ୨୬୭ ଟଙ୍କା ହ୍ରାସ ପାଇ ୪୨୦୪୮ ଟଙ୍କା ରହିଥିଲା।
ସେପଟେ କିନ୍ତୁ ଚାନ୍ଦି ଦରରେ ବୃଦ୍ଧି ଘଟିଥିଲା। ୯୯୯ ମାନକ ଚାନ୍ଦି କିଲୋ ପିଛା ୩୮୦ ଟଙ୍କା ବୃଦ୍ଧି ପାଇ ୪୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଥିଲା। ବଜାର ବନ୍ଦ ବେଳକୁ ଚାନ୍ଦି ଦର ୪୨୦୩୦ ଟଙ୍କା ରହିଥିଲା। କୋଡ଼ିଆ କମୋଡ଼ିଟିର ନିର୍ଦ୍ଦେଶକ ଅଜୟ କୋଡ଼ିଆ କହିଛନ୍ତି ଯେ, ଯଦି କେହି ସୁନାରେ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ସେମାନେ ବର୍ତ୍ତମାନ ସ୍ଥିତିରେ ଏଥିରୁ ଦୁରେଇ ରୁହନ୍ତୁ। କାରଣ ଭବିଷ୍ୟତରେ ସୁନାର ଦରରେ ହ୍ରାସ ପାଇବାର ସମ୍ଭାବନା ଦେଖା ଦେଇଛି। କାରଣ ବିଗତ ଦିନରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖାଦେଇଛି ବୋଲି ସେ କହିଥିଲେ।