ଲକ ଡାଉନ ବେଳେ ଆଜି ପଞ୍ଚମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ | ବର୍ତ୍ତମାନର ସ୍ଥିତିରେ ଲକ ଡାଉନ ବଢାଯିବ କି ନାହିଁ ତାହା ଆଜି ରାତି ୮ଟାରେ ସ୍ପଷ୍ଟ ହୋଇଯିବ |
Trending Photos
)
ନୂଆଦିଲ୍ଲୀ: ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଯାହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ଦେଶକୁ ସମ୍ବୋଧନ କରିବା ସମୟରେ ଲକ ଡାଉନ ଅବଧି ବଢାଇବେ ନା ଏହାକୁ ହଟାଇବେ କିମ୍ବା କେତେକ କ୍ଷେତ୍ରରେ କୋହଳ ପ୍ରଦାନ କରି ଲକ ଡାଉନକୁ ଆଗକୁ ଜାରି ରଖିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର |
ପର୍ଯ୍ୟାୟକ୍ରମେ ସମ୍ପ୍ରାସାରିତ ହେଉଥିବା ଲକ ଡାଉନ ବର୍ତ୍ତମାନ ତୃତୀୟ ସୋପାନରେ ଆସି ପହିଞ୍ଚିଛି | ଯାହାର ଅବଧି ମେ ୧୭ ତାରିଖ ରବିବାର ଶେଷ ହେଉଛି | ଆଜି ରାତିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିବାକୁ ଯାଉଥିବା ସମ୍ବୋଧନ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି | ବର୍ତ୍ତମାନର ସ୍ଥିତିରେ ଲକ ଡାଉନ ବୃଦ୍ଧି ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ|
କୋରନା ବିରୋଧି ଲଢେଇ ସମୟରେ ପ୍ରଧାନମନ୍ତ୍ରୀ ପୂର୍ବରୁ ୪ ଥର ଦେଶବାସୀଙ୍କୁ ସମ୍ବୋଧିତ କରି ସାରିଛନ୍ତି | ଆଜିକୁ ମିଶାଇ ପଞ୍ଚମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିବେ | ପ୍ରଥମ ଥର ମାର୍ଚ୍ଚ ୧୯ ତାରିଖରେ ଜନତା କର୍ଫ୍ୟୁ କରିବା ପାଇଁ ଆହ୍ୱାନ ଦେଇଥିଲେ | ଦ୍ୱିତୀୟ ଥର ଦେଶବ୍ୟାପୀ ୨୧ ଦିନିଆ ଲକ ଡାଉନ ଲାଗୁ ହେବା ନେଇ ଜଣାଇଥିଲେ | ତୃତୀୟ ଥର ଏପ୍ରିଲ ୩ ତାରିଖରେ କୋରୋନା ବିରୁଦ୍ଧରେ ୯ ମିନିଟ ପାଇଁ ପ୍ରକାଶ ପର୍ବ ପାଳିବାକୁ ଅପିଲ କରିଥିଲେ| ଏପ୍ରିଲ ୧୪ ତାରିଖରେ ଦେଶବାସୀଙ୍କୁ ଲକ ଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିବା ନେଇ ଜଣାଇଥିଲେ |
ଲକ ଡାଉନ ବଢିବ କି ନାହିଁ ତାହା ପ୍ରଧାନମନ୍ତ୍ରୀଙ୍କ ଆଜିର ସମ୍ବୋଧନରୁ ଜଣାପଡିବ | ଗତକାଲି ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ | ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ଲକ ଡାଉନ ବଢାଇବା ନେଇ ଜଣାଇଥିଲେ | ମେ ୧୭ ତାରିଖ ପରେ ଲକ ଡାଉନ ବଢାଯିବ କିମ୍ବା ଏକଜିଟ ପ୍ଲାନ ଲାଗୁ ହେବ ତାହା ମଙ୍ଗଳବାର ରାତି ୮ଟାରେ ସ୍ପଷ୍ଟ ହୋଇଯିବ |