'ମୁସଲିମଙ୍କ ପାଇଁ ଶହେରୁ ଉର୍ଦ୍ଧ୍ୱ ଦେଶ ଅଛି, ହିନ୍ଦୁଙ୍କ ପାଇଁ ସ୍ଥାନ କେଉଁଠି ?'
ମହାରାଷ୍ଟ୍ରର ନାଗପୁରରେ ନାଗରିକତା ଆଇନ ସମର୍ଥନରେ ଲୋକାଧିକାର ମଞ୍ଚରେ ତ୍ରିରଙ୍ଗା ମାର୍ଚ୍ଚ ।
Trending Photos
)
ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ । ନାଗପୁରରେ ନାଗରିକତା ଆଇନ ସମର୍ଥନରେ ହୋଇଥିବା ରାଲିରେ ସାମିଲ ହୋଇ ହିନ୍ଦୁତ୍ୱ ପ୍ରସଙ୍ଗରେ ମତ ରଖିଛନ୍ତି ଗଡକରୀ । ବିଶ୍ୱରେ ମୁସଲିମଙ୍କ ପାଇଁ ଶହେରୁ ଅଧିକ ଦେଶ ରହିଥିବା ବେଳେ ଭାରତ ବ୍ୟତୀତ ଅନ୍ୟ କେଉଁଠି ହିନ୍ଦୁଙ୍କ ପାଇଁ ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଏହାସହିତ ନାଗରିକତା ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ନୂଆ ଆଇନରେ ଦେଶବାସୀଙ୍କର କୌଣସି କ୍ଷତି ହେଉ ନ ଥିବା ବେଳେ କିଛି ନେତା ଏହାକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରି ଅଶାନ୍ତି ସୃଷ୍ଟି କରୁଥିବା ଗଡକରୀ କହିଛନ୍ତି ।
ରବିବାର ବାଙ୍ଗାଲୁରୁରେ ମଧ୍ୟ ନାଗରିକତା ଆଇନ ସମର୍ଥନରେ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି । ମହାରାଷ୍ଟ୍ରର ନାଗପୁରରେ ନାଗରିକତା ଆଇନ ସମର୍ଥନରେ ଲୋକାଧିକାର ମଞ୍ଚରେ ତ୍ରିରଙ୍ଗା ମାର୍ଚ୍ଚ । ଲୋକଙ୍କୁ ଆଇନ ସମ୍ବନ୍ଧରେ ସଚେତନ କରିବା ପାଇଁ ନାଗପୁରର ଯଶୋୱନ୍ତ ଷ୍ଟାଡିଅମରେ ଆୟୋଜିତ ରାଲିରେ ସାମିଲ ହୋଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନାଗରିକତା ଆଇନ ଏବେ ଦେଶ ପାଇଁ ଜରୁରୀ ଥିଲା ବୋଲି ସେ କହିଛନ୍ତି । ଏହି ଆଇନ ଦେଶର ମୁସଲମାନଙ୍କ ବିରୋଧୀ ହୋଇ ନ ଥିଲେ ବି ସରକାର ବିରୋଧୀ ହିଂସାତ୍ମକ ରାଲି ହୋଇଥିବା ଦେଶ ପାଇଁ ଦୁର୍ଭାଗ୍ୟ ବୋଲି ଗଡକରୀ କହିଛନ୍ତି ।
ଦିଲ୍ଲୀ ରାମଲୀଳା ମୈଦାନରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି
ବିଜେପିର ମେଗା ରାଲିରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଏନଆରସି, ସିଏଏ ସମେତ ବିଭିନ୍ନ ଆଇନ ସମ୍ପର୍କରେ ମତ ରଖିଛନ୍ତି । କିଛି ନ୍ୟସ୍ତ ସ୍ୱାର୍ଥ ରାଜନେତା ଦେଶକୁ ବଦନାମ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସିଏଏ ପ୍ରଣୟନ କରି ଗାନ୍ଧିଜୀଙ୍କ ସ୍ୱପ୍ନ ପୂରଣ ପାଇଁ ସରକାର ପ୍ରୟାସ କରିଥିବା ବେଳେ ବିନା କାରଣରେ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଏପରିକି ସରକାରୀ ସମ୍ପତି ନଷ୍ଟ କରିବା ସହ ସ୍କୁଲ ବସ ଉପରେ ଆକ୍ରମଣ ଆନ୍ଦୋଳନକାରୀଙ୍କ ମାନସିକତାକୁ ପଦାରେ ପକାଇଛି ବୋଲି ସେ କହିଛନ୍ତି ।
ଆୟୁଷ୍ମାନ ଯୋଜନା ପରି ଅନେକ ଯୋଜନାରେ ଦେଶର ଗରିବ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ବେଳେ କାହାର ଜାତି, ଧର୍ମ ସରକାର ଜାଣିବାକୁ ଚାହିଁ ନାହାଁନ୍ତି । ଏହାସହିତ ସିଏଏ ଦ୍ୱାରା ଦେଶବାସୀଙ୍କର କୌଣସି କ୍ଷତିର ଆଶଙ୍କା ନ ଥିବା ବେଳେ କିଛି ନେତା ଦେଶର ମୁସଲିମ ସମ୍ପ୍ରଦାୟଙ୍କୁ ଭ୍ରମିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । କଲୋନୀବାସୀଙ୍କୁ ନିୟମିତ ନ କରି ଦୁଅ ହଜାରରୁ ଅଧିକ ସରକାରୀ ବଙ୍ଗଳାକୁ ନିଜ ସମର୍ଥକଙ୍କୁ ଦିଲ୍ଲୀ ସରକାର ବାଣ୍ଟି ଦେଇଛନ୍ତି ବୋଲି କହିଛନ୍ତି ମୋଦି ।
ନାଗରିକତା ଆଇନକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଥିବା ବେଳେ ମନମୋହନ ସିଂହ ଧାର୍ମିକ ଉତ୍ପୀଡନ କାରଣରୁ ବାଂଲାଦେଶରୁ ଭାରତ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ କହିଥିଲେ । କିନ୍ତୁ ଏବେ ସରକାର ଏହାକୁ ନେଇ ଆଇନ ପ୍ରଣୟନ କରିବା ପରେ କଂଗ୍ରେସ ଏହାକୁ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବା ସ୍ପଷ୍ଟ ହୋଇଛି ବୋଲି ମୋଦି କହିଛନ୍ତି । ସେପଟେ ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ ଶରଣାର୍ଥୀଙ୍କୁ ଶରଣ ଦେବା ସପକ୍ଷରେ କହୁଥିବା ମମତା ସରକାର ଏବେ ନିଜ ସ୍ୱର ବଦଳାଇ ଦେଇଛନ୍ତି । ଏବେ ମମତା ବାନାର୍ଜୀ ଆଇନ ବିରୋଧରେ ଜାତିସଂଘ ଯିବାକୁ ଚେତାବନୀ ମଧ୍ୟ ଦେଇସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନରୁ ସମର୍ଥନ ମିଳୁଛି । କର୍ଣ୍ଣାଟକର ବାଙ୍ଗାଲୁରୁରେ ଆଇନ ସମର୍ଥନରେ ରାଲି ବାହାରିଛି । ମୁମ୍ବାଇର ଘଟକର୍ପର ଜନ ସଂସଦ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ରାଲିରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇ ନାଗରିକତା ଆଇନକୁ ସମର୍ଥନ କରିଛନ୍ତି । ଏହାସହିତ ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଶିକ୍ଷାବିତ ଆଇନ ସପକ୍ଷରେ ପତ୍ର ଜାରି କରିଛନ୍ତି । ସେପଟେ ନାଗରିକତା ଆଇନ ବିରୋଧୀ ରାଲିରେ ହିଂସାତ୍ମକ ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି । ହିଂସାକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟରେ ୭୦୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ମୋଟ ୪ହଜାର ୫ଶହ ଲୋକଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ପୋଲିସ । ହିଂସାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର କିଛି ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏବେ ସାମ୍ନାକୁ ଆସିଛି ଦିଲ୍ଲୀ ଜାମିଆ ହିଂସାକାଣ୍ଡର ସିସିଟିଭି ଫୁଟେଜ । ୪ଟି ସିସିଟିଭି ଫୁଟେଜରେ ଆନ୍ଦୋଳନକାରୀ ପୋଲିସ ବସରେ ନିଆଁ ଲଗାଇବାର ଭିଡିଓ ରହିଛି । ଫୁଟେଜ ଆସିବା ପୂର୍ବରୁ ଡିସିପି ଏନେଇ ସୂଚନା ଦେବା ସହିତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ ।
ଆହୁରି ପଢନ୍ତୁ; ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତ ଆପ୍: କେଜ୍ରିୱାଲ କହିଲେ ଗତଥର ୬୭ ଜିତିଥିଲୁ, ଏଥର...
More Stories