close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କିଏ ସେହି ଗଛ ସାର୍, କାହିଁକି ସେ ଗଛ ପାଇଁ ପାଗଳ ?

ସିଏ ପ୍ରକୃତି ପ୍ରେମୀ...ସବୁଜ ପରିବେଶ ତାଙ୍କୁ କିମିଆ କରେ...ପିଲାଟି ବେଳୁ ଗଛ ଲଗାଇ ଆସୁଛନ୍ତି...ବୟସର ଅପରାହ୍ନରେ ବି ସତେଜ ରହିଛି ତାଙ୍କ ପ୍ରକୃତି ପ୍ରେମ...ସିଏ ଗଛ ସାର...  

 କିଏ ସେହି ଗଛ ସାର୍, କାହିଁକି ସେ ଗଛ ପାଇଁ ପାଗଳ ?
କଣ୍ଟିଲୋର ଗଛ ସାର୍

ଧର୍ମେନ୍ଦ୍ର କୁମାର ପ୍ରଧାନ, ଭୁବନେଶ୍ୱର: ପରିବେଶ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଆଧୁନିକ ମଣିଷ ଯେଉଁପରି ଭାବରେ ପ୍ରକୃତିର ବିନାଶ କରିଚାଲିଛି, ଯଦି ଏପରି ଆଉ କିଛିଦିନ ଲାଗି ରହେ, ତେବେ ମାନବ ସମାଜ ଧ୍ୱଂସ ହେବା ଥୟ । ବଞ୍ଚି ରହିବାକୁ ହେଲେ ଆମକୁ ପରିବେଶର ସୁରକ୍ଷା କରିବାକୁ ହେବ । ପ୍ରଚୁର ବୃକ୍ଷରୋପଣ କରିବାକୁ ପଡିବ । ଏକଥା କିଏ ବୁଝୁ ବା ନ ବୁଝୁ, ଏହାକୁ ଠିକ ବୁଝିଛନ୍ତି କଣ୍ଟିଲୋର ଗଛ ସାର୍ । 

ଆଜ୍ଞା ହଁ । ଆମେ ଆଜି ଆପଣଙ୍କୁ ଏମିତି ଜଣେ ମଣିଷଙ୍କ କାହାଣୀ କହିବୁ, ଯାହା ଆପଣଙ୍କୁ ପ୍ରଭାବିତ କରିବ ନିଶ୍ଟୟ । ଆପଣ ବି ଥରେ ନିଜ ପରିବେଶ କଥା ଭାବିବାକୁ ବାଧ୍ୟ ହେବେ । ନାମ ଅନ୍ତର୍ଯ୍ୟାମୀ ସାହୁ, ବୟସ ୭୫, ଘର ନୟାଗଡ଼ର କଣ୍ଟିଲୋରେ । ସମସ୍ତେ ତାଙ୍କୁ ଜାଣନ୍ତି ଗଛ ସାର୍ ନାମରେ । ଯେଉଁ ମଣିଷ ପରିବେଶର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି । 

ପିଲାଦିନରୁ ଗଛ ସଉକିଆ । ଗଛକୁ ଭଲ ପାଆନ୍ତି, ଚାରା ଲଗାନ୍ତି । କେବଳ ବୃକ୍ଷରୋପଣ ନୁହେଁ, ଗଛର ସୁରକ୍ଷା ମଧ୍ୟ କରିଥାନ୍ତି ଅନ୍ତର୍ଯ୍ୟାମୀ । ଛୋଟ ଶିଶୁ ପରି ଚାରାର ଯତ୍ନ ନେଇଥାନ୍ତି । ଆମ୍ବ, ବର, ଅଶ୍ୱତ୍ଥ ଭଳି ବହୁ ପ୍ରକାରର ଗଛ ନିଜ ହାତରେ ବଢାଇଛନ୍ତି ସେ । ଗଛ ବଢିଲେ, ତାଙ୍କୁ ମିଳେ ଅପୂର୍ବ ଶାନ୍ତି । ସବୁଜ ପରିବେଶ ତାଙ୍କୁ କିମିଆଁ କରିଥାଏ । 

ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ଅନ୍ତର୍ଯ୍ୟାମୀ ଏବେ ଅବସର ନେଇସାରିଛନ୍ତି । ଗଛ ଲଗାଇବା, ତାର ଯତ୍ନ ନେବା ଏବେ ଲୋକଙ୍କୁ ବୃକ୍ଷରୋପଣ ବିଷୟରେ ସଚେତନତା କରିବା ପାଇଁ ତାଙ୍କୁ ମିଳିଯାଇଛି ଯଥେଷ୍ଟ ସମୟ । ପରିବେଶ ପ୍ରତି ତାଙ୍କ ଭଲ ପାଇବାରେ ବାଧକ ସାଜିପାରିନି ହୃଦରୋଗ । ସାଇକେଲରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଛନ୍ତି ସେ । 

ନିଜ ପରିବେଶ ପ୍ରେମକୁ ନେଇ ଅନ୍ତର୍ଯ୍ୟାମୀ କୁହନ୍ତି, ପିଲା ବେଳରୁ ପରିବେଶ ଉପରେ ମୋ ଦୁର୍ବଳତା ରହିଛି । ଯେଉଁଥିପାଇଁ ଛୋଟ ଦିନରୁ ଗଛ ଲଗାଇ ଆସୁଛି । ମୋ ପରିବାର ମଧ୍ୟ ମତେ ଏଥିପାଇଁ ଯଥେଷ୍ଟ ସହଯୋଗ କରୁଛନ୍ତି । ଆମ୍ବ, ବର, ଅଶ୍ୱତ୍ଥ ଭଳି ଦୀର୍ଘସ୍ଥାୟୀ ଗଛ ଲଗାଇବାକୁ ପରାମର୍ଶ ଦିଅନ୍ତି ସେ । ଏସବୁ ଗଛ ଆଗାମୀ ଯୁବପୀଢିଙ୍କୁ ସୁରକ୍ଷା ଦେଇପାରିବ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ଅଭିଯାନକୁ ସବୁ ସ୍ଥାନରେ ପହଞ୍ଚାଇବାକୁ ଉଦ୍ୟମ କରିବି ବୋଲି କହିଛନ୍ତି ଅନ୍ତର୍ଯ୍ୟାମୀ । 

କେବଳ ଗଛ ଲଗାଇଦେଲେ ହେବନି । ତାର ସଠିକ ଯତ୍ନ ନେବା ଦରକାର । ବିଶେଷ କରି ଛୋଟ ପିଲାଙ୍କୁ ଏହା ଉପରେ ସଚେତନ କରିବାର ଆବଶ୍ୟକ ରହିଛି । ଯାହାଫଳରେ ସେମାନେ ଆଗକୁ ପରିବେଶ ସୁରକ୍ଷା ଉପରେ ଯତ୍ନବାନ ହେବେ । ଜୀବନରେ ଗୋଟିଏ ହେଉ ପଛେ, ସ୍ଥାୟୀ ବୃକ୍ଷ ଲଗାଇବାକୁ ଆହ୍ୱାନ ଦେଇଛନ୍ତି କଣ୍ଟିଲୋର ଏହି ପ୍ରକୃତି ପ୍ରେମୀ । ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗଛ ସାର୍ ।