କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ନାହିଁ ଟ୍ରମ୍ପ !
Advertisement

କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ନାହିଁ ଟ୍ରମ୍ପ !

ଆସନ୍ତା ଫେବୃଆରୀ ୨୧ରୁ ୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୧ରୁ ୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗସ୍ତ ବେଳେ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ରହିବ, ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଟ୍ରମ୍ପ କଣ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ? ଜମ୍ମୁ କାଶ୍ମୀର ପ୍ରସଙ୍ଗକୁ ଦ୍ୱିପାକ୍ଷିକ କହିଆସିଛି ଭାରତ । ଏବେ ଟ୍ରମ୍ପ ଏଥିରେ ହସ୍ତକ୍ଷେପ କରିବେ କି ? କାହିଁକିନା ବାରମ୍ବାର ପାକ୍ ପିଏମ ଇମରାନ ଖାନ ଟ୍ରମ୍ପଙ୍କ ପାଖରେ କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ଏଭଳି କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । 

ତେବେ ସୂତ୍ର ଅନୁସାରେ, ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ କାଶ୍ମୀର ପ୍ରସଙ୍ଗ ଉଠିବ ନାହିଁ । ଆମେରିକା ଉଚ୍ଚ ପଦସ୍ତ ସୂତ୍ର କହୁଛି, ୱାସିଂଟନ ସବୁବେଳେ ଭାରତର ସାର୍ବଭୌମତ୍ୱକୁ ସମ୍ମାନ ଦେଇଆସିଛି । ତେଣୁ ଟ୍ରମ୍ପ କୌଣସି ପ୍ରକାରରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ନାହିଁ । ଟ୍ରମ୍ପଙ୍କ ଗସ୍ତ ସମୟରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବୃର୍ଦ୍ଧିକୁ ପ୍ରାଧାନ୍ୟ ଦିଆଯିବ । 

ନିକଟ ଅତୀତରେ ଆମେରିକା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଳିତ ଭାବରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ମୋଦି ସ୍ପଷ୍ଟ ଭାବେ କହିଥିଲେ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା । ଦେଶର ଆଭ୍ୟନ୍ତରୀଣ ମାମଲାରେ ଆମେ କାହାର ମଧ୍ୟସ୍ତତା ଚାହୁଁନାହୁଁ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଥିଲା ଯେ, ଠିକ୍ ଏହାର କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ସାକ୍ଷାତ କରିଥିଲେ ପାକ୍ ପିଏମ ଇମରାନ ଖାନ । ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତା ପାଇଁ ମୋଦି କହୁଥିବା କହିଥିଲେ ଟ୍ରମ୍ପ । ଅବଶ୍ୟ ଭାରତର ହସ୍ତକ୍ଷେପ ପରେ ଆମେରିକା ଟ୍ରମ୍ପଙ୍କ ବୟାନକୁ ଫେରାଇ ନେଇଥିଲା । 

କହିରଖୁଛୁ, ଅହମ୍ମଦାବାଦରେ ମୋଦି-ଟ୍ରମ୍ପ ଭେଟଘାଟ ହେବ । ଉଭୟ ନେତା ସାମ୍ବାଦିକଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୂତ୍ର ଅନୁସାରେ, ଆମେରିକା ସରକାର ଟ୍ରମ୍ପଙ୍କ ଗସ୍ତକୁ ନେଇ ଦିଲ୍ଲୀରେ ଆଇଟିସି ମୌର୍ଯ୍ୟ ହୋଟେଲ ମଧ୍ୟ ବୁକ୍ କରିସାରିଛନ୍ତି ।  

ଆହୁରି ପଢ଼ନ୍ତୁ; ଆମେରିକାର ବଦଲା ନେବ ଇରାନ, ଚାଲିଛି 'ବିଶ୍ୱ ବିନାଶକ' ପ୍ରସ୍ତୁତି