ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ନକଲି ଶିକ୍ଷକ, ଧରାପଡ଼ିଲେ ୨ ଶିକ୍ଷକ
ଶିକ୍ଷାଗତ ଯୋଗ୍ୟତା ନ ଥାଇ ବି ବର୍ଷ ବର୍ଷ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଆସୁଛନ୍ତି ଅନେକ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି ଖେଳ । ଯାହାର ପ୍ରମାଣ ଲାଗିଛି ଜୀ ଓଡ଼ିଶା ହାତରେ । ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟକୁ ଆଧାର କରି ଗତ କିଛି ଦିନ ଧରି ଜିଲ୍ଲା ଶିକ୍ଷା ଅଧିକାରିଙ୍କ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏବେ ଖୋଲୁଛି ନକଲି ଶିକ୍ଷକଙ୍କ କଳା କାହାଣୀର ପେଡ଼ି।
Trending Photos

ହିମାଂଶୁ ଶେଖର ସାମଲ, ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ନ ଥାଇ ବି ବର୍ଷ ବର୍ଷ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଆସୁଛନ୍ତି ଅନେକ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି ଖେଳ । ଯାହାର ପ୍ରମାଣ ଲାଗିଛି ଜୀ ଓଡ଼ିଶା ହାତରେ । ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟକୁ ଆଧାର କରି ଗତ କିଛି ଦିନ ଧରି ଜିଲ୍ଲା ଶିକ୍ଷା ଅଧିକାରିଙ୍କ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏବେ ଖୋଲୁଛି ନକଲି ଶିକ୍ଷକଙ୍କ କଳା କାହାଣୀର ପେଡ଼ି।
ଭୁଶୁଡ଼ିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ନକଲି ଶିକ୍ଷକ । ନକଲି ସାର୍ଟିଫିକେଟ୍ ପ୍ରଦାନ କରି ସରକାରୀ ସ୍କୁଲରେ ପାଠ ପଢାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । RTI ଆଇନ ଅନୁଯାୟୀ ଧରାପଡ଼ିଛନ୍ତି ୨ ଶିକ୍ଷକ ।
ସୂଚନା ଅଧିକାର ଆଇନ ଆଧାରରେ ମଗା ଯାଇଥିବା ଏହି ଦସ୍ତାବିଜ ବୟାନ କରୁଛି ଗଞ୍ଜାମ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା । ପୋଲସରା ବଣ ମହୁଲ ପଲ୍ଲିର ଶିକ୍ଷକ ରମେଶ ଚନ୍ଦ୍ର ଶବରଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଫେଲ୍ । ହେଲେ ଚାକିରି କରିବା ବେଳେ ଦଶମ ଶ୍ରେଣୀର ନକଲି ସାର୍ଟିପିକେଟ ଦେଇଥିଲେ । ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ମଧ୍ୟ କରୁଥିଲେ । ହେଲେ ତାଙ୍କ ଅସଲ ଚେହେରା ପଦାକୁ ଆସିବା ପରେ ଚାକୀରିରୁ ଇସ୍ତଫା ଦେଇ ଚମ୍ପଟ ମାରିଛନ୍ତି । ସେହିପରି ଶେରଗଡ଼ ଖରିଡା ସ୍କୁଲର ଶିକ୍ଷକ ସଞ୍ଜୟ ଖଟେଇ ନକଲି ସିଟି ସାର୍ଟିଫିକେଟ ପ୍ରଦାନ କରି ଶିକ୍ଷକତା କରୁଥିଲେ । ଗଞ୍ଜାମ ଜିଲ୍ଲାରେ ଶହଶହ ନକଲି ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ସୂଚନା ଅଧିକାର ଆଇନ ବଳୟରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।
ଜିଲ୍ଲାରେ ନକଲି ଶିକ୍ଷକଙ୍କ ତାଲିକା ବଢୁଛି । ଘଟଣାର ତଦନ୍ତ ପାଇଁ ଗଣଶିକ୍ଷା ସଚିବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାତିଦିନ ଏକ କରି ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବାରେ ଲାଗି ପଡିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ତଦନ୍ତ ବେଳେ ଧରାକୋଟ ବ୍ଲକର ବର୍ତ୍ତମାନ ସୁଧା ୭ ଜଣ ଶିକ୍ଷକଙ୍କର ଜାଲିଆତି ପଦାକୁ ଆସିଛି । ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଖଲ୍ଲିକୋଟ, ବେଗୁନିଆପଡା, ପୋଲସରା, ବୁଗୁଡା, ପାତ୍ରପୁର, ଧରାକୋଟ, ଶେରଗଡ ଭଳି ବ୍ଲକରେ ଅଧିକ ନକଲି ଶିକ୍ଷକ ଥିବା ଅଭିଯୋଗ ଆସିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବର୍ଷ ବର୍ଷ ଧରି ଖେଳ ଖେଳୁଥିବା ନକଲି ଶିକ୍ଷକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ । ସେପଟେ ତଦନ୍ତ ପରେ ନକଲି ଶିକ୍ଷକଙ୍କ କଳା କାରନାମା ପଦାକୁ ଆସିବ ବୋଲି ଶିକ୍ଷକ ସଂଘର ସଭାପତି କହିଛନ୍ତି । ଗଣଶିକ୍ଷା ବିଭାଗ ନକଲି ଶିକ୍ଷକଙ୍କୁ ଚିହ୍ନଟ ନ କଲେ, ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିବ ଏଥିରେ ସନ୍ଦେହ ନାହିଁ ।
More Stories