ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଧାମନଗର
Advertisement

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଧାମନଗର

ସପ୍ତାହେ ଭିତରେ ଦୁଇ ଦୁଇଟି ଅଘଟଣ ଧାମନଗର ମଥାରେ କଳଙ୍କ ବୋଳିଛି

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଧାମନଗର: ସପ୍ତାହେ ଭିତରେ ଦୁଇ ଦୁଇଟି ଅଘଟଣ ଧାମନଗର ମଥାରେ କଳଙ୍କ ବୋଳିଛି । ଖୁଲମଖୁଲା ଚାଲିଛି ଅପରାଧ । ଆଉ ପୋଲିସର ବି ସେମିତି କିଛି ଖାସ୍ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନି । ଅଞ୍ଚଳରେ ନାରୀଙ୍କ ପ୍ରତି ଅପରାଧ ବଢ଼ି ବଢ଼ି ଚାଲିଛି । କଅଁଳ କିଶୋରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଅସାମାଜିକ ଯୁବକ । 

ଶନିବାର ନଭେମ୍ବର ୨ ତାରିଖ, ଅପରାହ୍ଣ ସମୟ । ଧାମନଗର ଅର୍ଜୁନପୁର ନିକଟ କୋଚିଳା ନଦୀ ପୋଲ ପାଖରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଗଲା । ୨ ଯୁବକ ତାଙ୍କୁ ଉଦ୍ଧାର କରି ୧୦ କିଲୋମିଟର ଦୂର ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲେ । ହେଲେ ଡାକ୍ତରଖାନାର ବେଡ୍ ଉପରେ ଝିଅଟି ପଡ଼ିଥିବାବେଳେ ୨ ଯୁବକ ଫେରାର ହୋଇଗଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତୁରନ୍ତ ଝିଅକୁ ଭଦ୍ରକ ପଠାଇ ଦେଲେ। ଭଦ୍ରକରେ ସ୍ଥିତି ସଂଗିନ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଗଲା । ଆଉ ଚିକିତ୍ସାବେଳେ ୩ ତାରିଖ ସକାଳେ ଝିଅଟିର ମୃତ୍ୟୁ ହୋଇଗଲା ।

ଝିଅର ମୃତ୍ୟୁ ପରେ ଯାଜପୁର ଅହିୟାସ ଅଞ୍ଚଳର ପରିବାର ଲୋକେ ମଙ୍ଗଳପୁର ଥାନାରେ ରେପ୍ ଆଣ୍ଡ ମର୍ଡର ଅଭିଯୋଗ କଲେ । ଅଭିଯୋଗ ଅନୁସାରେ, ଧାମନଗର ଅଞ୍ଚଳର ଜଣେ ଯୁବକ ତାଙ୍କ ଝିଅକୁ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ପିଟି ପିଟି ହତ୍ୟା କରିଛି । ଏଥିରେ ସଂପୃକ୍ତ ଯୁବକଙ୍କୁ ତା'ର ସାଙ୍ଗ ସହଯୋଗ କରିଛି ବୋଲି ମୃତ ଝିଅର ବାପା ଏତଲାରେ ଦର୍ଶାଇଛନ୍ତି । ପରିବାର ଲୋକଙ୍କ ଏତଲା ଆଧାରରେ ଯାଜପୁର ମଙ୍ଗଳପୁର ଥାନା ପୋଲିସ ତଦନ୍ତ କରୁଛି ।  ଧାମନଗର ପୋଲିସ ଜଣକୁ ଗିରଫ କରି ମଙ୍ଗଳପୁର ପୋଲିସକୁ ହସ୍ତାନ୍ତର କରିଛି । ମୋଟ ୨ ଜଣକୁ ପୋଲିସ ଗିରଫ କରିଥିଵାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।
ଏଇ ଘଟଣାକୁ ନେଇ ଧାମନଗରରେ ଉଦବେଗ ପ୍ରକାଶ ପାଇଥିଲା। କିଛି ସାମାଜିକ କର୍ମୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରି ଭଦ୍ରକ ଏସପି ଓ ପୂର୍ବାଞ୍ଚଳ ଆଇଜିଙ୍କୁ ଟ୍ୱିଟ କରିଥିଲେ । ଆଇଜିଙ୍କୁ ଟ୍ୱିଟ୍ ପରେ ଭଦ୍ରକ ପୋଲିସ ହଡବଡ଼େଇ ଯାଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା ବି କଲା । ଘନା ସହ ଭଦ୍ରକ ଜିଲ୍ଲାର ସଂପର୍କ ନାହିଁ କହି ଚୁପ୍ ବସିଗଲେ ଏସପି । ପରେ ସାମାଜିକ କର୍ମୀ ପୁଣି ଆଇଜିଙ୍କୁ ଗୁହାରି କରିବାରୁ, ଆଇଜି ଏନେଇ କଡ଼ା ନିର୍ଦ୍ଦେଶ ଦେଲେ । ୨୪ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଆସିଲା ନିର୍ଦ୍ଦେଶ । ତତ୍ପର ହୋଇ ଉଠିଲା ଧାମନଗର ପୋଲିସ । ସେପଟେ ମଙ୍ଗଳପୁର ପୋଲିସ ବି ଆସି ଡେରା ପକାଇଲା । ଦୁଇ ଦିନରେ ଅଭିଯୁକ୍ତଙ୍କୁ ଧରି ପୋଲିସ କୋର୍ଟ ଚାଲାଣ କରାଗଲା। କିନ୍ତୁ ଏବେବି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।
 
ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଏ ଘଟଣାକୁ ୨୪ ଘଣ୍ଟା ହୋଇନି, ଧାମନଗରରେ ଆଉ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଧାମନଗର ମେଡିକାଲରେ ଭର୍ତ୍ତି କରାଗଲା । ଏ ଘଟଣା ବି ପୂର୍ବ ଘଟଣା ସହ ପାଖାପାଖି ସମାନ । ୫ ଯୁବକ ଅଚେତ ଅବସ୍ଥାରେ ଆଣି ମେଡିକାଲରେ ଭର୍ତ୍ତି କରି ଫେରାର୍ ହୋଇଗଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଦୁଇ ଜଣ ସାମ୍ବାଦିକଙ୍କ ହାତରେ ଧରାପଡିଗଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସଂପୃକ୍ତ ଯୁବକଙ୍କୁ ପୋଲିସର ଜିମା ଦେବା ପରେ ଆରମ୍ଭ ହେଲା ଖୋଳତାଡ଼ । ଚିକିତ୍ସା ପରେ ସୁସ୍ଥ ହୋଇ ଯୁବତୀ ଜଣକ ପୋଲିସକୁ ବୟାନ କଲେ ପୂରା ଘଟଣା । ଏକପାଖିଆ ପ୍ରେମରୁ ତାଙ୍କୁ ଏଭଳି ଘଟଣାର ଶିକାର ହେବାକୁ ପଡ଼ିଛି ବୋଲି ପୀଡ଼ିତା କହିଛନ୍ତି । ଭଦ୍ରକର ଏକ ଘରୋଇ କଲେଜରେ ଯୁକ୍ତ ୨ ପଢୁଥିବାବେଳେ ଚାକିରୀ କରିବାକୁ ଧାମନଗର ସେ ଆସିଥିଲେ । ଧାମନଗର କଲେଜ ପାଖରେ ଛିଡ଼ା ହୋଇଥିବାବେଳେ ତାଙ୍କରି ଗାଁର ଯୁବକ ବାବୁଆ ଜୋର୍ ଜବରଦସ୍ତି ପ୍ରେମ ନିବେଦନ କରିବା ସହ ବାଇକରେ ଆଉ ୨ ଜଣ ସହଯୋଗୀ ଯୁବକଙ୍କ ସହ ସେ ଉଠାଇ ନେଇଥିଲା । ଖଡ଼ିପଦା ହୋଇ ଷଣ୍ଢପୁର ଯିବା ପରେ ନଦୀ ପାର ହୋଇ କଟିକଟା ଯାଇଥିଲେ । ସେଠାରେ ତାଙ୍କୁ ଅସଦାଚରଣ କରିବା ସହ ନିର୍ଧୁମ ମାରିବାରୁ ସେ ଚେତା ହରାଇଥିଲେ । ଆଉ ଶେଷରେ ଅନ୍ୟ ୨ ଯୁବକଙ୍କ ସହଯୋଗରେ ଆଣି ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ ।

 ୩ ଦିନରେ ସମାନ ଧରଣର ୨ଟି ଘଟଣା ଏବେ ଧାମନଗର ଚେହେରାରେ କଳଙ୍କ ବୋଳିଛି । ଧାମନଗରରେ କାହିଁକି ଏଭଳି ଘଟଣା ଘଟୁଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ପୋଲିସର ଅଧିକାରୀଙ୍କ ମଧ୍ୟରେ ଟ୍ୱିଟର ଝଡ଼ ଚାଲିଥିବାବେଳେ ଏପରେ ଆଉ ଗୋଟେ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ୩ ଜଣକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ନିଜେ ଧାମନଗରେ ଏସଡିପିଓ ମନୋରଞ୍ଜନ ସାମଲ ତଦନ୍ତ ଭାର ନେଇଛନ୍ତି।