ଶ୍ରୀନଗର: ଜମ୍ମୁ କାଶ୍ମୀର ଶୋପିୟାରେ ଦୁଇ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା । ଏହାସହ ଟ୍ରକ ଦୁଇଟିକୁ ପୋଡି ଦେଇଛନ୍ତି ଆତଙ୍କବାଦୀ । ଏହି ହମଲାରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି ।
ସୂଚନା ମୁତାବକ, ଟ୍ରକ ଡ୍ରାଇଭର ସେଓ ନେବାକୁ ଆସିଥିବା ବେଳେ ଟାର୍ଗେଟ କରିଥିଲେ ଆତଙ୍କବାଦୀ । କରିଥିଲେ ଅତର୍କିତ ଆକ୍ରମଣ । ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଆତଙ୍କବାଦୀଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଅନ୍ୟ ଜଣେ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହାପୂର୍ବରୁ, ପଞ୍ଜାବର ଦୁଇ ସେଓ ବ୍ୟବସାୟୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।
ସେହିପରି ଦକ୍ଷିଣ କାଶ୍ମୀରର ପୁଲୱାମାରେ ଜଣେ ଜଣେ ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ପୋଲିସର ସୂଚନା ମୁତାବକ, ମୃତ ଶ୍ରମିକ ଏସ କେ ସାଗରଙ୍କ ଘର ଛତିଶଗଡରେ । ଜମ୍ମୁ କାଶ୍ମୀରର ଏକ ଇଟା ଭାଟିରେ ସେ କାମ କରୁଥିଲେ ।