ମୁଖ୍ୟମନ୍ତ୍ରୀ ପଦ ହରାଇ ପାରନ୍ତି ଉଦ୍ଧବ, କୋରୋନା ସାଜିପାରେ କାଳ
Advertisement

ମୁଖ୍ୟମନ୍ତ୍ରୀ ପଦ ହରାଇ ପାରନ୍ତି ଉଦ୍ଧବ, କୋରୋନା ସାଜିପାରେ କାଳ

ମହାବିକାଶ ଅଘାଡ଼ିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ...

ମୁଖ୍ୟମନ୍ତ୍ରୀ ପଦ ହରାଇ ପାରନ୍ତି ଉଦ୍ଧବ, କୋରୋନା ସାଜିପାରେ କାଳ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ମୁଣ୍ଡ ଟେକିଛି କିଛି ନୂଆ ସମସ୍ୟା। ହରାଇ ପାରନ୍ତି ମୁଖ୍ୟମନ୍ତ୍ରୀ ପଦ। ତେବେ ସରକାର ଗଢିବା ଦିନରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି ଉଦ୍ଧବ। ମେଣ୍ଟ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜନୈତିକ ଛକାପଞ୍ଝା ମଧ୍ୟରେ କଂଗ୍ରେସ ଓ ଏନସିପିଙ୍କ ସହଯୋଗରେ ଗତବର୍ଷ ନଭେମ୍ବର ୨୮ ତାରିଖରେ ଗାଦି ସମ୍ଭାଳିଥିଲେ ଉଦ୍ଧବ ଠାକରେ। ତେବେ ଉତ୍ଥାନ ପତନ ମଧ୍ୟରେ ଉଦ୍ଧବ ସରକାର ଗଢିବାରେ ସଫଳ ହୋଇଥିଲେ। ସରକାର ଗଢିବା ଆରମ୍ଭରୁ ବିଜେପି ହାତ ଛାଡ଼ିବା ପରେ କଂଗ୍ରେସର ଶରଣ ପଶିଥିଲା ଶିବସେନା। କଂଗ୍ରେସ ଓ ଏନସିପି ଠାରୁ ସହଯୋଗ ପାଇବା ପରେ ଉଦ୍ଧବଙ୍କ ନେତୃତ୍ୱାଧିନ ଶିବସେନା ରାଜ୍ୟରେ ସରକାର ଗଢିବାରେ ସଫଳ ହୋଇଥିଲା।  

ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କୌଣସି ରାଜନୈତିକ ଦଳକୁ ବହୁମତ ମିଳିନଥିଲା। ରାଜ୍ୟର ମୋଟ ୨୮୮ଟି ଆସନ ମଧ୍ୟରେ ରୁ ସର୍ବାଧିକ ଆସନ ବିଜେପି ହାତେଇଥିଲା। ୧୦୫ଟି ଆସନ ହାତେଇଥିଲେ ମଧ୍ୟ ବହୁମତ କିନ୍ତୁ ସାବ୍ୟସ୍ତ କରିପାରିନଥିଲା। ଫଳରେ ସରକାର ଗଢିବା ପାଇଁ ଶିବସେନାକୁ ପ୍ରସ୍ତାବ ଦେଇଥିଲା ବିଜେପି। କିନ୍ତୁ ଆସନ ବୁଝାମଣା ହୋଇ ନ ପାରିବାରୁ ବିଜେପିର ହାତ ଛାଡିଥିଲା ଶିବସେନା। ଫଳରେ ଦୁଇ ଦିନ ପାଇଁ ବିଜେପି ସରକାର ଗଢିଥିଲେ ମଧ୍ୟ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ବିଜେପି ସରକାର ଭାଙ୍ଗିଯାଇଥିଲା।  

ସେପଟେ ଦ୍ୱିତୀୟ ବହୁମତ ପାଇଥିଲା ଶିବସେନା। ଶିବସେନା ମାତ୍ର ୫୬ଟି ଆସନ ହାତେଇଥିଲା। କିନ୍ତୁ ସରକାର ଗଢିବା ପାଇଁ ପ୍ରୟାସ ଜାରି ରଖିଥିଲା। ତେବେ ଏନସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଢିଥିଲା ଶିବସେନା। ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେଇଥିଲେ। ଆସନ୍ତା ମଇ ମାସରେ ୬ ମାସ ପୁରଣ କରିବାକୁ ଯାଉଛି ଉଦ୍ଧବ ସରକାର। ତେବେ ସେ ଯାହା ବି ହେଉ, ପୁଣି ଥରେ ରାଜନୈତିକ ହଟଚମଟ ଦେଖା ଦେଇପାରେ ମହାରାଷ୍ଟ୍ର ସରକାରରେ। ସରକାର ଆରମ୍ଭରୁ ଏହି ତିନି ଚକିଆ ଗାଡି କେତେ ଦିନ ଚାଲିବା ନେଇ ବେଶ ଆଲୋଚନା ଜୋର ଧରିଥିଲା। ବିରୋଧୀମାନେ ମଧ୍ୟ ବେଶ ଏହି ମେଣ୍ଟ ସରକାରରୁ ସମାଲୋଚନା କରିଥିଲେ। ସେତେବେଳର ସେହି ସମାଲୋଚନା ବର୍ତ୍ତମାନ ସତ ହେବାକୁ ଏକ ପ୍ରକାର ଯାଉଛି।

ସରକାର ଗଢିବା ସମୟରେ ଉଦ୍ଧବ ଠାକରେ କିଛିଟା ସାମ୍ବିଧାନିକ ପ୍ରକ୍ରିୟାକୁ ସେତେବେଳେ ଗୁରୁତ୍ୱ ଦେଇନଥିଲେ। ଯାହା ବର୍ତ୍ତମାନ ତାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି। ସାମ୍ବିଧାନିକ ନିୟମ ଅନୁଯାୟୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ନିର୍ବାଚିତ ବିଧାୟକ ଦଳର ନେତା ତଥା ବିଧାନ ପରିଷଦର ସଦସ୍ୟ ନିର୍ବାଚିତ ହେବାକୁ ପଡ଼ିଥାଏ। ଏହି ଦୁଇଟିରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧବ ଗୋଟିଏ ବି ପୁରଣ କରିନାହାନ୍ତି। ସେପଟେ ଆସନ୍ତା ମଇ ମାସ ୨୬ ତାରିଖରେ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟ ପୁରଣ ହୋଇଗଲେ ସାମ୍ବିଧାନିକ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କୁ ଯେଉଁ ସୁବିଧା ସବୁ ଉପଲବ୍ଧ ହେଉଛି, ତାହାକୁ ସରକାରୀ ନିୟମ ଅନୁଯାୟୀ ଅପସାରଣ କରି ନିଆଯିବ।

ଅପରପାର୍ଶ୍ୱରେ ରାଜ୍ୟରେ କୋରୋନା ସ୍ଥିତି ମଧ୍ୟ ବେଶ ସଂକଟଜନକ ସ୍ଥିତିରେ ରହିଛି। ଅନିୟନ୍ତ୍ରିତ ଭାବେ ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୦୦ ଲୋକ ଆକ୍ରାନ୍ତ ରହିଛନ୍ତି। ପାଖାପାଖି ୨ ଶହ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ରାଜ୍ୟରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାରେ ମଧ୍ୟ ଉଦ୍ଧବ ଏକ ପ୍ରକାର ବିଫଳ ହୋଇଛନ୍ତି। ଉଚିତ ରଣନୀତିର ଅଭାବ ବୋଲି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିରୋଧୀଙ୍କ ମଧ୍ୟରେ ଆଲୋଚନା ତୀବ୍ର ହେବାରେ ଲାଗିଛି।  

ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ଛକାପଞ୍ଝା ଓ କୋରୋନା ମୁକାବିଲାର ବିଫଳ ପରିଚାଳନର ବୁଢିଆଣୀ ଜାଲିରେ ଛନ୍ଦି ହୋଇ ପଡ଼ିଛନ୍ତି ଉଦ୍ଧବ। ଭବିଷ୍ୟତ ତ ନିଶ୍ଚିତ କହିବ କେଉଁ ପାଣି କୁଆଡ଼େ ଯିବ। କିନ୍ତୁ ମହାବିକାଶ ଅଘାଡ଼ିର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡା ହୋଇଛି।