୩ ଦଳର ସହମତି, 'ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ'

ବୈଠକରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ୩ ଦଳର ନେତା ନିଜର ସହମତି ପ୍ରଦାନ କରିଛନ୍ତି । ସେହିପରି ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତ ମଧ୍ୟ କହିଛନ୍ତି ଯେ ଉଦ୍ଧବ ଠାକରେ ସିଏମ ହେବାକୁ ରାଜି ହୋଇ ଯାଇଛନ୍ତି ।

୩ ଦଳର ସହମତି, 'ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ'

ମୁମ୍ୱାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଠନର ପଥ ପରିଷ୍କାର ହୋଇଯାଇଛି । ମୁମ୍ୱାଇରେ ଶୁକ୍ରବାର ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ସରକାର ଗଠନକୁ ନେଇ ବୈଠକ ହୋଇ ଯାଇଛି । ଏହି ବୈଠକରେ ସରକାର ଗଠନକୁ ନେଇ ୩ ଦଳ ସହମତି ପ୍ରକାଶ କରିଛି । ଏହାସହ କଂଗ୍ରେସ ଓ ଏନସିପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରଙ୍କ ନାଁ ଉପରେ ସହମତି ପ୍ରଦାନ କରିଛି । ଯାହାର ସୂଚନା ଏନସିପି ମୁଖିଆ ଶରଦ ପାୱାର ଦେଇଛନ୍ତି । 

ବୈଠକରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ୩ ଦଳର ନେତା ନିଜର ସହମତି ପ୍ରଦାନ କରିଛନ୍ତି । ସେହିପରି ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତ ମଧ୍ୟ କହିଛନ୍ତି ଯେ ଉଦ୍ଧବ ଠାକରେ ସିଏମ ହେବାକୁ ରାଜି ହୋଇ ଯାଇଛନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡୁଛି  ଯେ ଉଦ୍ଧବ ହିଁ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି । କେବଳ ବିଧିବଦ୍ଧ ଭାବେ ଏହାର ଘୋଷଣା ହେବାକୁ ଅପେକ୍ଷା ରହିଗଲା । ବୈଠକ ପରେ ଉଦ୍ଧବ କହିଛନ୍ତି ଯେ ଅନେକ ବିଷୟ  ଉପରେ ଚର୍ଚ୍ଚା କରାଯାଇଛି । ଦଳର ଅନ୍ୟ ନେତାଙ୍କ ସହ ବୈଠକ ଜାରି ରହିଛି । କିଛି ବିଷୟ ବାକି ରହିଯାଇଛି, ଯାହା ଉପରେ ଆଲୋଚନା ହେବାର ଅଛି । ଏହାସହ ସେ କହିଛନ୍ତି ଯେ ମନ୍ତ୍ରୀ ମଣ୍ଡଳକୁ ନେଇ ଆଲୋଚନା ଜାରି ରହିଛି ।

ଅନ୍ୟପକ୍ଷେ ବୈଠକ ପରେ ଏନସିପି ଅଧ୍ୟକ୍ଷ କହିଛନ୍ତି ଯେ, ଏହା ସ୍ପଷ୍ଟ ନେତୃତ୍ୱର ବିଷୟ ଆମ ଆଗରେ ନାହିଁ । ୩ ଦଳର ନେତା ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବ ଦେଇଛନ୍ତି । ଶନିବାର ୩ ଦଳର ମିଳିତ ପ୍ରେସ କନଫରେନ୍ସ ହେବ । ଦଳ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ଆସନ୍ତାକାଲି ଆମେ ସ୍ଥିର କରିବୁ, ରାଜ୍ୟପାଳଙ୍କ ସହ କେବେ ସାକ୍ଷାତ କରିବାର ଅଛି । ଏହି ବୈଠକରେ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇଛି । ଡ୍ରାଫ୍ଟିଂ ପ୍ରକ୍ରିୟା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବର୍ତ୍ତମାନ ଆଉ କୌଣସି ମତଭେଦ ନାହିଁ ।