ଜିନୁ ଜେନା, ରାଉରେକେଲା: କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ । ତଥାପି ଅନ୍ୟ ଠାରୁ କମ୍ ନୁହଁନ୍ତି ଏମାନେ । ଅନ୍ୟ ସାଧାରଣ ପିଲାଙ୍କ ଭଳି ଏମାନେ ବି କ୍ରିକେଟ ମୈଦାନରେ ମାରିପାରନ୍ତି ଚୌକା, ଛକା । ହଁ, ଠିକ୍ ଏମିତି କିଛି ଦେଖିବାକୁ ମିଳିଥିଲା ରାଉରକେଲା ଉଦିତନଗର ଷ୍ଟାଡିୟମରେ ।
ଏହି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି ଉମଙ୍ଗ ଭାରତ ଓଡିଶା ଓ ଝାଡ଼ଖଣ୍ଡ ଟି୨୦ ଦିବ୍ୟାଙ୍ଗ କ୍ରିକେଟ ମ୍ୟାଚ୍। ଏଥିରେ ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୫ ରନ କରିଥିଲା। ୧୪୬ ରନର ଲକ୍ଷ୍ୟ ନେଇ ଝାଡ଼ଖଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିବା ବେଳେ ମାତ୍ର ୧୪ ଓଭର ଦୁଇଟି ବଲ ଖେଳି ୬୨ ରନ କରି ଅଲ ଆଉଟ୍ ହୋଇ ଯାଇଥିଲେ। ଉମଙ୍ଗ ଭାରତ ଓଡ଼ିଶା ଦଳର ବାମହାତୀ ବ୍ୟାଟ୍ସମ୍ୟାନ ଜଗନ୍ନାଥ ପାତ୍ର ୪୧ ବଲରେ ୫୧ ରନ୍ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ହୋଇଛି ଏହି ଦିବ୍ୟାଙ୍ଗ କ୍ରିକେଟ ମ୍ୟାଚ୍ । ଏଭଳି ଖେଳ ଆୟୋଜନକୁ ନେଇ ବେଶ ଉତ୍ସାହିତ ଦିବ୍ୟାଙ୍ଗ ଖେଳାଳି। ତେବେ ଆଗକୁ ମଧ୍ୟ ଏଭଳି ଖେଳ ଆୟୋଜନ ହେବା ଦରକାର । ହେଲେ ଏଥିପାଇଁ ସରକାରୀ ସ୍ତରରୁ ଉଚିତ ପ୍ରୋତ୍ସାହନର ଆବଶ୍ୟକତା ରହିଛି ।
ଆଗକୁ ଆହୁରି ଏଭଳି ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ମିଳିଛି । ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ। ସାଧାରଣ ଲୋକଙ୍କ ଭଳି କରି ପାରନ୍ତି ସମସ୍ତ କାର୍ଯ୍ୟକଳାପ । ହାତ ନ ଥାଇ ଧରି ପାରନ୍ତି ଓ ଗୋଡ଼ ନଥାଇ ଦୌଡ଼ି ମଧ୍ୟ ପାରନ୍ତି ଏମାନେ । କିନ୍ତୁ ସମାଜରେ ଅନେକ କ୍ଷେତ୍ରରେ ଏମାନେ ହୁଅନ୍ତି ଉପେକ୍ଷାର ଶିକାର। ଯାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଏହି ଦିବ୍ୟାଙ୍ଗ କ୍ରିକେଟ ଖେଳାଳି।