ଚଳିତ ସପ୍ତାହରେ ଲୋକସଭାରେ ଆଗତ ହେବାକୁ ଯାଉଛି NRC ସଂଶୋଧିତ ବିଲ୍

ସଂସଦରେ ଚଳିତ ସପ୍ତାହରେ NRC ସଂଶୋଧିତ ବିଲ୍ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଲ୍ ଆଇନରେ ପରିଣତ ହେଲେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ୬ ଅଣ ମୁସଲମାନ ସଂଖ୍ୟାଲଘୁ ସମୂହର ଲୋକଙ୍କୁ ଭାରତୀୟ ନାଗରିକତା ମିଳିପାରିବ 

ଚଳିତ ସପ୍ତାହରେ ଲୋକସଭାରେ ଆଗତ ହେବାକୁ ଯାଉଛି  NRC ସଂଶୋଧିତ ବିଲ୍
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ରଞ୍ଜନ ପରିଡ଼ା, ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସଂସଦରେ ଚଳିତ ସପ୍ତାହରେ NRC ସଂଶୋଧିତ ବିଲ୍ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଲ୍ ଆଇନରେ ପରିଣତ ହେଲେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ୬ ଜଣ ମୁସଲମାନ ସଂଖ୍ୟାଲଘୁ ସମୂହର ଲୋକଙ୍କୁ ଭାରତୀୟ ନାଗରିକତା ମିଳିପାରିବ । ପୂର୍ବରୁ ମଧ୍ୟ ଏହି ବିଲ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ପାରିତ ହୋଇ ପାରି ନ ଥିଲା । କଂଗ୍ରେସ ସମେତ ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକ ଏହି ବିଧେୟକକୁ ବିରୋଧ କରିଥିଲେ । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନାଗରିକତା ସଂଶୋଧନ ବିଲକୁ ମଞ୍ଜୁରୀ  ମିଳିଛି । କେନ୍ଦ୍ର କ୍ୟାବିନେଟର ସବୁଜ ସଂକେତ ପରେ ଚଳିତ ସପ୍ତାହ ମଧ୍ୟରେ ବିଲ ଲୋକସଭାରେ ଆଗତ ହେବା ସମ୍ଭାବନା ବୃଦ୍ଧି ପାଇଛି । ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ସଂପ୍ରଦାୟରେ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ବିନା ବୈଧ ପ୍ରମାଣପତ୍ରରେ ଭାରତ ଆସିଛନ୍ତି, କିମ୍ବା ବୈଧ ପ୍ରମାଣପତ୍ରର ସମୟ ସୀମା ଶେଷ ହୋଇଛି, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରମାଣ ପତ୍ର ମିଳିପାରିବ । ଏହି ବିଲ୍ ଆଇନରେ ପରିଣତ ହେଲେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ୬ ଅଣ ମୁସଲମାନ ସଂଖ୍ୟାଲଘୁ ସମୂହର ଲୋକଙ୍କୁ ନାଗରିକତା ହାସଲ କରିବାରେ ଦେଖାଯାଇଥିବା  ସମସ୍ୟା ଦୂର ହୋଇପାରିବ ।

ସେପଟେ ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ପ୍ରବଳ ବିରୋଧ କରିଛନ୍ତି । ପୂର୍ବରୁ ଲୋକସଭାରେ NRC ବିଲ୍ ପାରିତ ହୋଇଥିଲେ ବି ରାଜ୍ୟସଭାରେ ପାସ ହୋଇପାରିନଥିଲା । ସଂଶୋଧିତ ବିଲକୁ ପୁଣି ଥରେ ମୋଦି ସରକାର ଲୋକସଭାରେ ଆଗତ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଲ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି । ସେପଟେ ଭାରତକୁ ହିନ୍ଦୁ ରାଷ୍ଟ୍ର କହି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ରବି କିଶନ । ଭାରତରେ ଶହେ କୋଟିରୁ ଅଧିକ ହିନ୍ଦୁ ଥିବାରୁ ଏହାକୁ ହିନ୍ଦୁ ରାଷ୍ଟ୍ର କହିବାରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ରାଜ୍ୟସଭାରେ ପାସ୍ ହୋଇପାରିନଥିବା ନାଗରିକତା ସଂଶୋଧନ ବିଲକୁ ଚଳିତ ଅଧିବେଶନରେ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେପଟେ ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକ ଏହି ବିଧେୟକକୁ ବିରୋଧ କରିଛନ୍ତି ।