ଜାଣିଛନ୍ତି, କେତୋଟି ଚାନ୍ସରେ ଆଇଏଏସ ପାଇଥିଲେ ଅପରାଜିତା...

ସହଜ ନ ଥିଲା ଅପରାଜିତାଙ୍କ ଆଇଏଏସ ହେବା ଯାତ୍ରା

ଜାଣିଛନ୍ତି, କେତୋଟି ଚାନ୍ସରେ ଆଇଏଏସ ପାଇଥିଲେ ଅପରାଜିତା...
ଅପରାଜୟ ଅପରାଜିତାଙ୍କ ଅପରାଜୟ କାହାଣୀ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ବର୍ତ୍ତମାନ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଖୁବ କମ ଦିନରେ ରାଜଧାନୀବାସିଙ୍କ ମନ ଜିଣିପାରିଥିଲେ । ଭାରତୀୟ ଜନତା ପାର୍ଟି(BJP)ର ସଦସ୍ୟା ଅପରାଜିତା ନିଜ କ୍ୟାରିୟରେ ସର୍ବଦା ଅପରାଜୟ ରହିଛନ୍ତି । ସେ ରାଜନୀତିକ କ୍ୟାରିୟର ହେଉ ଅବା ପାଠପଢ଼ା କ୍ୟାରିଅର ହେଉ । ସବୁକ୍ଷେତ୍ରରେ ଅପରାଜୟ ଅପରାଜିତା ।

ପ୍ରଶାସନିକ ଅଧିକାରୀରୁ ପଦ୍ମ ପାଖୁଡ଼ା ହାତରେ ଧରି ରାଜନୀତିରେ ପାଦ ଦେଇଥିଲେ ସେ । ଅପରାଜିତାଙ୍କ ରାଜନୀତିରେ ଯୋଗଦାନ ଖୁବ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲା । ଓଡ଼ିଶାର ଗଣଶିକ୍ଷା ସଚିବ ଥିବାବେଳେ ଶିକ୍ଷା ବ୍ୟବସ୍ଥା ପ୍ରତି ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ସେ । ପ୍ରଶାସନିକ ଅଧିକାରୀ ଥିବାବେଳେଠାରୁ ହିଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ ତାଙ୍କ ପାଠ ପଢା କ୍ୟାରିଅର କେତେ ଜଟିଳ ଥିଲା ତାହା ହୁଏତ କେହି ଜାଣି ନ ଥିବେ ।

୧୯୬୯ ମସିହା ଅକ୍ଟୋବର ୮ ତାରିଖରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ ଅପରାଜିତା । ଛୋଟବେଳୁ ପାଠ ପଢିବା ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ । ମାତ୍ର ପାଠ ପଢିବା ପାଇଁ ତାଙ୍କୁ କରିବାକୁ ପଡିଥିଲା ପ୍ରବଳ ସଂଘର୍ଷ । କଲେଜରେ ପାଠ ପଢିବା ସମୟରେ ସେ ନିଜ ଗଳିରୁ ମଧ୍ୟ ବାହାରକୁ ବାହାରି ଯାଇ ନ ଥିଲେ  ଆଉ ଯେତେବେଳେ ସେ ପ୍ରଶାସନିକ ଅଧିକାରୀ ହେବେ ବୋଲି ଘରେ କହିଥିଲେ ଅପରାଜିତାଙ୍କ ବାପା ତାଙ୍କୁ ମାତ୍ର ଗୋଟାଏ ଚାନ୍ସ ଦେଇଥିଲେ । 

ଆଉ ଗୋଟାଏ ଚାନ୍ସରେ ନିଜ ସ୍ୱପ୍ନର ମହଲ ତିଆରି କରିବା ପାଇଁ ସେ ହୋଇଥିଲେ ପ୍ରସ୍ତୁତ । କଲେଜ ପାଇଁ ରିକ୍ସାରେ ବସି ଯିବାବେଳେ ତାଙ୍କ ଭାଇ ସାଇକେଲ ନେଇ ତାଙ୍କ ପଛେ ପଛେ କଲେଜ ଯାଏ ଯାଉଥିଲେ ଓ ଫେରିବା ବେଳେ ମଧ୍ୟ ଭାଇ ନେବା ପାଇଂ ଆସୁଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ । ଆଉ ଦୃଢ ଇଚ୍ଛାଶକ୍ତି ଓ ମନବଳ ଆଗରେ ସବୁ ଜଟିଳତାକୁ ସେ ଅତି ସହଜରେ ପାର କରିଦେଇଥିଲେ । ଆଉ ମାତ୍ର ଗୋଟିଏ ଚାନ୍ସରେ ୧୯୯୪ ମସିହାରେ ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ଢେଙ୍କାନାଳର ହିନ୍ଦୋଳରେ ପ୍ରଥମେ ସବ କଲେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ଆଉ ତା ପରଠାରୁ କେବେ ପଛକୁ ଫେରି ନାହାନ୍ତି ସେ । ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଛନ୍ତି । 

ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର କଲେକ୍ଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଅପରାଜିତା । ମୁନିସିପାଲ କର୍ପୋରେସନ (BMC)ରେ ତିନି ବର୍ଷ ଧରି ଦାୟିତ୍ୱ ସମ୍ଭାଳିଥିଲେ । ୨୦୧୦ ମସିହାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବାବେଳେ ଓଡ଼ିଶା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିଥିଲେ । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ଅଛି । ଏଥିପାଇଁ ଅନେକ ଶିକ୍ଷକ ସଙ୍ଘ ଆନ୍ଦୋଳନ ମଧ୍ୟ କରିଥିଲେ । 

୨୦୧୨ ମସିହାରେ ସେ ଶକ୍ତି ସମ୍ମାନରେ ସମ୍ମାନୀତ ହୋଇଥିଲେ ।  ଆଉ ନିଜ କ୍ୟାରିଅର ପରି ରାଜନୀତିର ଜଟିଳ ପରୀକ୍ଷାରେ ମଧ୍ୟ ପ୍ରଥମ ଚାନ୍ସରେ ହିଁ ସାଂସଦ ଆସନ ଅଳଙ୍କୃତ କରିଛନ୍ତି ।