ଧାର୍ମିକ ସ୍ୱତନ୍ତ୍ରତାକୁ ଦୁର୍ବଳ କରୁଛି ସିଏଏ: ଆମେରିକୀୟ ସାଂସଦ
Advertisement

ଧାର୍ମିକ ସ୍ୱତନ୍ତ୍ରତାକୁ ଦୁର୍ବଳ କରୁଛି ସିଏଏ: ଆମେରିକୀୟ ସାଂସଦ

ଦିଲ୍ଲୀ ହିଂସାକୁ ନେଇ ଆସିଲା ଆମେରିକୀୟ ସାଂସଦଙ୍କ ବୟାନ, ସିଏଏକୁ କଲେ ବିରୋଧ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ସିଏଏକୁ ନେଇ ଚାଲିଥିବା ହିଂସା ଉପରେ ଆମେରିକୀୟ ସାଂସଦଙ୍କ ପ୍ରତିକ୍ରିୟା ରଖିଛନ୍ତି । ଧାର୍ମିକ ଅସହିଷ୍ଣୁତା ବୃର୍ଦ୍ଧି ଭୟାବହ ଅଟେ ବୋଲି କହିଛନ୍ତି କିଛି ଆମେରିକୀୟ ସାଂସଦ । ସେହିପରି ସିଏଏ ପରି ଆଇନକୁ ଆଗକୁ ବଢ଼ିବାକୁ ନଦେଇ ପ୍ରତ୍ୟାହାର କରିନେବା ଉଚିତ ବୋଲି କେହିକେହି ମତ ରଖିଛନ୍ତି । 

ଆମେରିକୀୟ ସାଂସଦ ପ୍ରମିଳା ଜୟପାଲ କହିଛନ୍ତି, ''ଭାରତରେ ଧାର୍ମିକ ଅସହିଷ୍ଣୁତାରେ ବୃର୍ଦ୍ଧି ଭୟାବହ ଅଟେ । ଗଣତାନ୍ତ୍ରିକ ଦେଶରେ ବିଭାଜନ ଏବଂ ଭେଦଭାବ ବରଦାସ୍ତ କରିବା ଉଚିତ ନୁହେଁ । ସିଏଏ ପରି ଆଇନକୁ ସରକାର ପ୍ରତ୍ୟାହାର କରିନେବା ଉଚିତ । ଏହା ଧାର୍ମିକ ସ୍ୱତନ୍ତ୍ରତାକୁ ଦୁର୍ବଳ କରୁଛି । ସମଗ୍ର ବିଶ୍ୱ ଦେଖୁଛି, ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ୨୦ ଲୋକଙ୍କ ଜୀବନ ଗଲାଣି । ୨ଶହରୁ ଉର୍ଦ୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି ।'' 

ସାଂସଦ ଏଲନ ଲୋୱେନ୍ଥାଲ ମଧ୍ୟ ଦିଲ୍ଲୀ ହିଂସାକୁ ନୈତିକ ନେତୃତ୍ୱର ଦୁଃଖଦ ବିଫଳତା ଭାବରେ ଅବିହିତ କରିଛନ୍ତି । ସେ କହିଛନ୍ତି, ଭାରତର ମାନବାଧିକାରର ବିପଦ ଉପରେ ଆମକୁ କହିବାକୁ ପଡ଼ିବ । 

ସେପଟେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଦାବିଦାର ଥିବା ଡେମୋକ୍ରାଟିକ ପାର୍ଟିର ସାଂସଦ  ଏଲିଜାବେଥ ୱାରେନ କହିଛନ୍ତି, ଭାରତ ପରି ଗଣତାନ୍ତ୍ରିକ ସାଥୀ ଦେଶ ସହ ସମ୍ପର୍କ ମଜଭୁତ କରିବା ଗୁରୁତ୍ୱପୂର୍ଣ୍ଣ । ମାତ୍ର ଆମକୁ ମୂଲ୍ୟବୋଧ ଏବଂ ସତ୍ୟ ଉପରେ ମଧ୍ୟ ଆଲୋଚନା କରିବା ଉଚିତ, ଯେଉଁଥିରେ ଧାର୍ମିକ ସ୍ୱତନ୍ତ୍ରତା ଏବଂ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ସାମିଲ ଅଛି । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସା ଗ୍ରହଣୀୟ ନୁହେଁ । 

କଂଗ୍ରେସ ସଦସ୍ୟ ରଶୀଦା ତାଲିବ ଟ୍ୱିଟ କରି କହିଛନ୍ତି, ଏହି ସପ୍ତାହରେ ଟ୍ରମ୍ପ ଭାରତ ଯାଇଥିଲେ । କିନ୍ତୁ ବର୍ତ୍ତମାନ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ବଡ଼ ଖବର ହେବା ଉଚିତ । ଏହା ଉପରେ ଆମେ ଚୁପ୍ ରହିପାରିବା ନାହିଁ । ଗଣମାଧ୍ୟମ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱ ଦେଉଛି । 

ଆହୁରି ପଢ଼ନ୍ତୁ; 'ୟାକୁବ ମେନନର ମୁକ୍ତି ପାଇଁ କୋର୍ଟ ଯାଉଥିବା ଲୋକେ ମୋର ଗିରଫଦାରୀ ଦାବି କରୁଛନ୍ତି'