Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କୋରନା ତାଣ୍ଡବ ରଚୁଛି। ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କୋରୋନା ଭାଇରସ ଆଗରେ ଆଣ୍ଠୁମାଡ଼ି ପଡ଼ିସାରିଲେଣି। ସମଗ୍ର ବିଶ୍ୱରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୭ ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି। ଏହା ଥିଲା ବିଶ୍ୱର ପରିସ୍ଥିତି। ତୁଳନାତ୍ମକ କ୍ରମରେ ଭାରତରେ ୬ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୨୯ ଜଣ ମୃତ୍ୟୁ ମୁଖରେ ପଡ଼ିଥନ୍ତି। ଗତବର୍ଷ ଡିସେମ୍ବର ମାସରେ ଚୀନର ଓ୍ୱୁହାନ ସହରରୁ ଜନ୍ମ ନେଇଥିବା ଏହି ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି।
ତେବେ ଏହି ଭାଇରସ ଉପରେ ଅନୁସନ୍ଧାନ ଆରମ୍ଭ ହେବା ପରେ ବିଭିନ୍ନ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଯେଉଁ ସହରରେ କୋରୋନା ଜନ୍ମ ନେଇଥିଲେ, ଏବେ ସେଠାରେ ସାଧାରଣ ଜୀବନଯାପନ ସ୍ୱାଭାବିକ ହେବାରେ ଲାଗିଛି। ଚୀନକୁ ଛାଡ଼ିଲେ ବିଶ୍ୱର ଦୁଇ ଶହରୁ ଊର୍ଦ୍ଧ୍ୱ ସହର ଏବେ ଏହି ଭାଇରସ ସହିତ ଲଢେଇ ଜାରି ରଖିଛି। ତେବେ ଏହାରି ମଧ୍ୟରେ ଏଭଳି ମହାମାରୀ ପାଇଁ ଚୀନକୁ ସମଗ୍ର ବିଶ୍ୱ ଦାୟୀ କରିଛି। ଏହି ଭାଇରସ ସମ୍ପର୍କରେ ସତ୍ୟତା ଲୁଚାଇବା ଚୀନ ବିରୋଧରେ ଅଭିଯୋଗ ହୋଇଛି। କେବଳ ବିଶ୍ୱ ନୁହେଁ ମଣିଷ ଠାରୁ ମଣିଷ ମଧ୍ୟରେ ଏହି ଭାଇରସ ବ୍ୟାପୁଛି ବୋଲି ନିଜ ଦେଶର ନାଗରିକମାନଙ୍କୁ ମଧ୍ୟ ଚୀନ ଲୁଚାଇଥିଲା।
ଗତ ଡିସେମ୍ବର ମାସରେ ଚୀନ ପ୍ରଥମ ଥର ପାଇଁ ନିମୋନିଆ ସମ୍ପର୍କରେ WHOର ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜାନୁଆରୀ ୭ ତାରିଖରେ ଚୀନ କୋରୋନା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜଣାଇଥିଲା। ଚୀନରେ ସ୍ଥିତି ବିଗିଡ଼ିବା ପରେ ୨୩ ଜାନୁୟାରୀରେ ଓ୍ୱୁହାନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରିଦେଇଥିଲେ। ତେବେ ସେତେବେଳକୁ ଏହି କୋରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଥିଲା।
ତେବେ ଏହି ଚୀନ ସୂଚନା ଦେବା ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥା ଏ ସମ୍ପର୍କରେ ସୂଚନା ଦେଇ ସାରିଥିଲା। ଆମେରିକାର ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ଅନୁଧ୍ୟାନ କଲେ ହିଁ ଚୀନର ଭୁଲ ସାମ୍ନାକୁ ଆସୁଛି। ଏବିସି ନ୍ୟୁଜ ମୁତାବକ ଓ୍ୱୁହାନ ସହରରେ କୋରୋନା ଭାଇରସ ବ୍ୟାପୁଥିବା ନେଇ ଆମେରିକାର ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ସୂଚନା ଦେଇଥିଲେ। ଆହୁରି ମଧ୍ୟ ସେମାନେ କହିଥିଲେ କି, ସେଠାରେ ଏହି ଭାଇରସ ମହାମାରୀର ରୂପ ନେଉଛି ଏବଂ ଓ୍ୱୁହାନରେ ଏହା ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି ବୋଲି ୟୁଏସ ଇଣ୍ଟେଲିଜେନ୍ସ ଅଧିକାରୀମାନେ ସୂଚନା ଦେଇଥିଲେ।
ସେପଟେ ୟୁଏସ ଇଣ୍ଟେଲିଜେନ୍ସର ଏହି ରିପୋର୍ଟ ଆସିବା ପରେ ଟ୍ରମ୍ପ ପ୍ରଶାସନରେ କମ୍ପନ ସୃଷ୍ଟି ହୋଇଛି। କାରଣ ଏହା ପୂର୍ବରୁ ଇଣ୍ଟେଲିଜେନ୍ସ ଅଧିକାରୀମାନେ ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି, ପେଣ୍ଟାଗନର ବରିଷ୍ଠ ଯୁଗ୍ମ ଅଧିକାରୀ, ଓ ହ୍ୱାଇଟ ହାଉସକୁ ବାରମ୍ବାର ସୂଚନା ଦେଇଥିଲେ। ମାତ୍ର ଟ୍ରମ୍ପ ପ୍ରଶାସନ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ନଥିବା ଉକ୍ତ ଗଣମାଧ୍ୟମ ସଂସ୍ଥା କହିଛି। କୋରୋନା ବିରୋଧରେ ଲଢିବା ପାଇଁ କୋରୋନା ପ୍ରଶାସନ ଉପଯୁକ୍ତ ପ୍ରସ୍ତୁତି କରିନଥିବା ଉକ୍ତ ଗଣମାଧ୍ୟମ ସଂସ୍ଥା କହିଥିଲା।