Trending Photos
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୋରାଦାବାଦରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉପରେ ହୋଇଥିବା ଘଟଣାରେ କଠୋର ମନୋଭାବ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଘଟଣାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ ଓ ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣରେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କର। ଏହା ସହିତ ସେମାନଙ୍କ ବିରୋଧରେ ଏନଏସଏ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଏନଏସଏ ସହିତ ଭାରତୀୟ ସମ୍ବିଧାନର ସବୁଠାରୁ କଠିନ ଧାରା ଲଗାଇ ତଦନ୍ତ କରିବାକୁ ପୋଲିସକୁ କୁହାଯାଇଛି। ଏଠାରେ କହି ରଖୁଛୁ ଯେ, ବୁଧବାର ମୋରାଦାବାଦକୁ ଯାଇଥିବା ଡାକ୍ତରୀ ଦଳ ଉପରକୁ କିଛି ସ୍ଥାନୀୟ ବାସିନ୍ଦା ଢେଲାମାଡ଼ କରିଥିଲେ। ଫଳରେ ଆମ୍ବୁଲାନ୍ସ ଭାଙ୍ଗିରୁଜି ଯିବା ସହିତ ଡାକ୍ତର ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତର ଆହତ ହୋଇଥିଲେ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକେ କ୍ଷୟକ୍ଷତି ହୋଇଥିବା ସମସ୍ତ ସମ୍ପତ୍ତିର କ୍ଷତିପୂରଣ ଅଭିଯୁକ୍ତମାନଙ୍କୁ ଠାରୁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଭିଯୁକ୍ତମାନେ କ୍ଷତିପୂରଣ ଦେଉନାହାନ୍ତି, ତେବେ ସେମାନଙ୍କ ସମ୍ପତ୍ତିକୁ ମଧ୍ୟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ।
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି କି, କୋରୋନା ଆକ୍ରାନ୍ତ ଯଦି ରୋଗ ସମ୍ପର୍କରେ ତଥ୍ୟ ଲୁଚାଇ ରଖନ୍ତି, ତେବେ ତାହାକୁ ମଧ୍ୟ ଗୁରୁତର ଅପରାଧ ଭାବେ ପରିଗଣିତ କରାଯିବ। ଏପରି ଲୋକଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ରୋଗ ଓ ରୋଗୀ ସମ୍ପର୍କରେ ଜାଣି ତଥ୍ୟ ଲୁଚାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।