ମୌଳିକ ସୁବିଧାରୁ ବଞ୍ଚିତ ମାଡବାଲସା ଗ୍ରାମବାସୀ

ଜଙ୍ଗଲଜାତ ଦ୍ରବ୍ୟ ଓ ପାହାଡିଆ ଚାଷ ଉପରେ ଏଠାକାର ଲୋକେ ନିର୍ଭର କରନ୍ତି । ଚାଉଳ ଓ ଭତ୍ତା ପାଇବା ବ୍ୟତୀତ ଆଉ କିଛି ବି ସରକାରୀ ସହାୟତା ଏମାନଙ୍କୁ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ମାଡବାଲସା ଗ୍ରାମବାସୀ

ସୁଭଦ୍ରା ବେହେରା, କୋରାପୁଟ: ନାହିଁ ନାହିଁର ଗାଁ । ସରକାରୀ ଯୋଜନା ଏଠାରେ ଅପହଞ୍ଚ । ନା ଏଠାରେ ଭଲ ରାସ୍ତାଟିଏ ଅଛି, ନା ସ୍ୱାସ୍ଥ୍ୟ ବ୍ୟବସ୍ଥା ନା ପାନୀୟ ଜଳ ଯୋଗାଣ । ଆମେ କହୁଛୁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ରହିଛି ମାଡବାଲସା ଗାଁ କଥା । ସରକାରୀ ଯୋଜନା ଏଠାରେ ବାଟମାରଣା । ଫଳରେ ଏହି ଅଞ୍ଚଳରେ ବିକାଶ ଅପହଞ୍ଚ ।

ପାହାଡ଼ଘେରା ଏହି ମାଡବାଲସା ଗାଁରେ ୩୦ ପରିବାର ବସବାସ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ଓ ପାହାଡିଆ ଚାଷ ଉପରେ ଏଠାକାର ଲୋକେ ନିର୍ଭର କରନ୍ତି । ଚାଉଳ ଓ ଭତ୍ତା ପାଇବା ବ୍ୟତୀତ ଆଉ କିଛି ବି ସରକାରୀ ସହାୟତା ଏମାନଙ୍କୁ ମିଳୁ ନ ଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତମାସରେ ହୋଇଥିବା ଲଗାଣ ବର୍ଷା ପବନରେ ଅନେକ ଘର ନଇଁ ପଡ଼ିଛି । କାନ୍ଥ ଭାଙ୍ଗି ତଳେ ପଡିବା ଭୟରେ  ଲୋକେ କାନ୍ଥରେ କାଠ ଗଣ୍ଡି ଭରା ଦିଆଯାଇଛି ।  ଘର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ ଘର ଭିତରୁ ହିଁ ଲୋକେ ସୂର୍ଯ୍ୟ ତାରା ଦେଖିପାରୁଛନ୍ତି ।  କାଠ ଗଣ୍ଡି ଭରା ଦିଆଯାଇଥିବା ଘରେ ଅତି ବିପଦପୂର୍ଣ୍ଣ ଭାବେ ନିଜ ଜୀବନ ବିତାଉଛନ୍ତି ମାଡବାଲସା ଗ୍ରାମବାସୀ । ଏହିଭଳି ଭଙ୍ଗା ଘରେ ଜୀବନ ବିତୁଥିବାବେଳେ ପ୍ରଶାସନ ଚୁପ  ବସିଥିବା ଲୋକେ କହିଛନ୍ତି ।

ଏପରିକି ଗାଁକୁ ଖଣ୍ଡିଏ ଭଲ ରାସ୍ତା ନାହିଁ ।  ରାସ୍ତା ଖରାପ ଯୋଗୁ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ରାସ୍ତା ଖରାପ ଯୋଗୁ ପ୍ରାୟ ସମୟରେ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଏଠାରେ ଦୀର୍ଘବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ରାସ୍ତା, ମରାମତି ଅଭାବରୁ ଏବେ ତାହା ଶୋଚନୀୟ ହୋଇପଡ଼ିଛି ।

ପାନୀୟ ଜଳ କଥା ନ କହିବା ତ ଭଲ । କାହିଁକି ନାଁ ୩୦ ପରିବାର ବସବାସ କରୁଥିବା ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ । ପାଣି ପାଇଁ ଗାଁଲୋକେ ବହୁ ସମସ୍ୟା ଭୋଗୁଥିବା ବେଳେ ଏଥିପ୍ରତି ପ୍ରଶାସନର କୃପା  ଦୃଷ୍ଟି ପଡୁନାହିଁ । ଏଥିସହିତ ପରିମଳ ଯୋଜନା ମଧ୍ୟ ଗାଁରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଗାଁରେ ଶୌଚାଳୟ ନଥିବାରୁ ବାହାରକୁ ଶୌଚ ହେବାକୁ ଯାଆନ୍ତି ଗ୍ରାମବାସୀ ।
ଗାଁରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନଥିବାରୁ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । କିଛି ପିଲା ପାଖ ଗାଁ ସ୍କୁଲକୁ  ପାଠପଢିବାକୁ ଯାଉଥିବା ବେଳେ ବାକି ପିଲାମାନେ ପାଠ ନ ପଢି ଘରେ ରହି ଘର କାମରେ ବାପା, ମାଙ୍କୁ ସାହାଯ୍ୟ କରୁଛନ୍ତି ।

ସ୍ୱାସ୍ଥ୍ୟ ସେବା ଗ୍ରାମବାସୀଙ୍କ ପାଇଁ ସାତସପନ । ରୋଗୀଙ୍କୁ ଚିକିତ୍ସା ପାଇଁ ଦୀର୍ଘ ୧୦ କିଲୋମିଟର ପଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥାଏ । ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ସହ ରାସ୍ତା ଖରାପ ଯୋଗୁ ଜରୁରୀକାଳୀନ ଗାଡ଼ି ଗାଁକୁ ଆସିପାରୁନାହିଁ । ଫଳରେ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନକୁ ଏବିଷୟରେ ଗ୍ରାମବାସୀ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିପାରିନାହିଁ । କେବଳ ମାଡବାଲସା ଗାଁ ନୁହେଁ କୋରାପୁଟ ଜିଲ୍ଲାର ଅନେକ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇପଡ଼ିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।